କନ୍ଧମାଳ ପୁଲିସ ହେପାଜତରେ ଥିବା ମହିଳା ମାଓବାଦୀଙ୍କ ଆତ୍ମହତ୍ୟା; ବର୍ଷେ ତଳେ କରିଥିଲେ ଆତ୍ମସମର୍ପଣ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ମାଓବାଦୀଙ୍କ କାର‌୍ୟ୍ୟକଳାପରେ ଅସନ୍ତୁଷ୍ଟ ହୋଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ମହିଳା ମାଓବାଦୀ ସିଜୁ କହଁର । ବର୍ଷେ ହେଲା ସେ ପୁଲିସ ହେପାଜତରେ ଥିଲେ । କେଇସପ୍ତାହ ତଳେ ତାଙ୍କୁ ସରକାରଙ୍କ ଥଇଥାନ ପ୍ୟାକେଜ ଅନୁସାରେ କିଛି ଟଙ୍କା ମଧ୍ୟ ମିଳିଥିଲା । ହେଲେ ସୋମବାର ଦିନ ବେକରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଛନ୍ତି । କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ । ଘଟଣାର ଅନୁସନ୍ଧାନ ଚାଲିଛି ଏବଂ ଏହାପରେ ସ୍ପଷ୍ଟ ଚିତ୍ର ଜଣାପଡ଼ିବ ବୋଲି କହିଛନ୍ତି କନ୍ଧମାଳ ଏସପି ପ୍ରତୀକ ସିଂହ। ପ୍ରକାଶ ଯେ, ଗତବର୍ଷ ମାର୍ଚ ଶେଷ ସପ୍ତାହରେ ପୁଲିସ ନିକଟରେ ମାଓ କ୍ୟାଡର ସିଜୁ କହଁର ଆତ୍ମସମର୍ପଣ କରିଥିଲେ । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଆଉ ସେ ଗାଁକୁ ଫେରି ନ ଥିଲେ । କନ୍ଧମାଳ ପୁଲିସ ରିଜର୍ଭରେ ସେ ରହୁଥିଲେ । ହେଲେ ସୋମବାର ସକାଳେ ତାଙ୍କର ଝୁଲନ୍ତା ଶରୀର ଉଦ୍ଧାର କରାଯାଇଥିଲା । ବେକରେ ଦଉଡ଼ି ବାନ୍ଧି ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି ।ମୃତ ସିଜୁ କହଁରଙ୍କ ଘର ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗାର୍ଗୀସୋରୁ ଅଞ୍ଚଳରେ । ତେବେ କ’ଣ ପାଇଁ ସେ ଆତ୍ମହତ୍ୟା କଲେ ତାହା ଅୟୁତ ପ୍ରଶ୍ନ ସୃଷ୍ଟି କରିଛି । ମାଓ ସଙ୍ଗଠନରେ ପ୍ରତାଡ଼ିତ ହୋଇ ସେ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଯେତେବେଳେ ବାହାରି ଆସିଥିଲେ ସେତେବେଳେ କେଉଁ ଚାପ ବା କେଉଁ ପରିସ୍ଥିତି ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କଲା ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ