କନ୍ୟା
ବାପା ଏଯାଏଁ ହସ୍ପିଟାଲରୁ ଫେରିନଥିଲେ ତ ଅପେକ୍ଷା କରି ରହିଥିଲା ସ୍ୱାତୀ. ଢେର ରାତିରେ ଫେରିଲେ ସୁଧାକର. ବିସର୍ଣ୍ଣ ବାପାଙ୍କୁ ଦେଖି ବିଚଳିତ ହୋଇପଡ଼ିଲା ସ୍ୱାତୀ. ବାପାଙ୍କୁ ସବୁବେଳେ ସେ କହେ ରୋଗୀର ରୋଗ ଉପଶମ ପାଇଁ ଚେଷ୍ଟା କର ବାପା କିନ୍ତୁ ରୋଗୀର ସାମାଜିକ,ଅର୍ଥନୈତିକ ତଥା ପାରିବାରିକ ଜୀବନ ଉପରେ କାହିଁକି ବ୍ୟସ୍ତ ରହୁଛ?ବାପା ଟିକେ ବିଚଳିତ ହୋଇ ପଡି କହନ୍ତି ରୋଗୀର ସାମାଜିକ, ଅର୍ଥନୈତିକ,ପାରିବାରିକ ଜୀବନର ସନ୍ତୁଳନ ହିଁ ଅନେକାଂଶରେ ରୋଗର କାରଣ ମାଆ. ପରିବାରର ସହୃଦୟତା, ଆନ୍ତରିକତା, ପ୍ରାର୍ଥନା ବେଳେ ବେଳେ ରୋଗୀକୁ ବଞ୍ଚାଇ ଦିଏ ମାଆ. ବାପାଙ୍କ କଥା ଶୁଣି ଚୁପ ରୁହେ ସ୍ୱାତୀ. ସତେତ ରୋଗର ନିଦାନ କେବଳ ଔଷଧ ନୁହେଁ ବରଂ ସହାନୁଭୂତିସମ୍ପନ୍ନ ପରିବାର ସଦସ୍ୟଙ୍କ ମାନସିକ, ଆର୍ଥିକ ବଳ ହିଁ ବେଳେ ବେଳେ ପାଥେୟ ନିଶ୍ଚିନ୍ତ. ତଥାପି ବାପା ସୁଧାକରଙ୍କୁ ବୁଝାନ୍ତି ସ୍ୱାତୀ କହନ୍ତି କେତେଜଣଙ୍କୁ ତୁମେ ନିଜେ ପରିଜନଟିଏ ବନି ତାର ମାନସିକ, ସାମାଜିକ ଓ ଆର୍ଥିକ ବଳ ହୋଇ ଠିଆ ହେବ ବାପା?ଝିଅ ମୁଁହକୁ ଚାହିଁ ସୁଧାକର ହସି ଦିଅନ୍ତି ଶୁଖିଲା ହସ. କହନ୍ତି ତୁ ମୋର ଏକମାତ୍ର ଝିଅ ସ୍ୱାତୀ. ତୁ ମଧ୍ୟ ଜଣେ ଡାକ୍ତରୀ ଛାତ୍ରୀ.ତୁ କହିପାରିବୁ ମାଆ ମୋ ଅନ୍ତେ ଏ ହସ୍ପିଟାଲ, ଘର, ଜମି ଇତ୍ୟାଦି ସବୁକୁ ତୁ କଣ ଦେଖାରଖା କରିପାରିବୁ ମାଆ? ତୋ ଶାଶୁ ଶଶୁର ଓ ସ୍ୱାମୀଙ୍କ ଆଜ୍ଞାବହ ହୋଇ ତୋ ଜୀବନ ଡ଼ଙ୍ଗା ବାହୁ ବାହୁ ଯେବେ ଥକି ପଡ଼ିବୁ ନିଶ୍ଚୟ ଏ ବାପାଙ୍କ କଥା ମନେପକାଅଇବୁ. ବରଂ ଦେଇଥିଲେ ପାଇ. ଅନ୍ୟର ସାହାଯ୍ୟ ସହଯୋଗରେ ସାହାୟକ ହୋଇଥିଲେ ଭଗବାନ ସହାୟ ହୁଅନ୍ତି. କୌଣସି ବିଜ୍ଞାନ ନାହିଁ ଯାହା ଐଶ୍ବର୍ଗୀକ ଭାବନା ବ୍ୟତିରେକେ ଆଗକୁ ବଢିପାରିବ. ଅପରେସନ ଟେବୁଲ ଉପରେ ସେଇଥିପାଇଁ ଆଗ ଇଶ୍ୱରଙ୍କୁ ହାତଯୋଡି ତା ପରେ ଡାକ୍ତର ଓ. ଟି କୁ ଯାଏ.ବାପାଙ୍କ ଭାବନାକୁ ସମ୍ମାନ ଜଣେଇ ଚୁପ ହୋଇଯାଏ ସ୍ୱାତୀ. ଏମିତିରେ ଆର୍ଥିକ ସାହାଯ୍ୟ ପାଇ ଅନେକ ରୋଗୀ ଭଲ ହୋଇ ଗଲାବେଳେ ପିତା ପୁତ୍ରୀଙ୍କୁ ଆଶୀର୍ବାଦ ଢାଳିଦେଇ ଯାଉଥିବା ବେଳେ ଅନ୍ୟମନସ୍କ ହୋଇପଡନ୍ତି କାହିଁକି ଡାକ୍ତର ସୁଧାକର ବୁଝିପାରେନା ଝିଅ.
ଏବେ ଯୋଉ ନୂଆ ରୋଗୀ ଆସିଛି ତା ପାଇଁ ଅଧିକ ବ୍ୟସ୍ତ ଡାକ୍ତର ସୁଧାକର. ତାର ସମସ୍ତ ଖର୍ଚ୍ଚ ଯଥା ଔଷଧ, ଇଞ୍ଜେକ୍ସନ ସାଲାଇନ ଇତ୍ୟାଦି ଯୋଗେଇବା କିଛି ନୂଆ କଥା ନଥିଲା କିନ୍ତୁ ସେହି ରୋଗୀର ମାନସିକ ବିକୃତିରେ ସାହାୟକ ହେବାପାଇଁ ଝିଅ ସ୍ବାତୀକୁ ଦୂରେଇ ରଖିବାର କାରଣ କିଛି ବୁଝି ପାରୁନଥିଲା ଡାକ୍ତର ଝିଅ ସ୍ୱାତୀ. ଦିନେ ପଚାରିଥିଲା ବାପାଙ୍କୁ ତ ଡାକ୍ତର ସୁଧାକର ଉତ୍ତର ରଖିଥିଲେ ସେ ମୋର ପରିଚିତ ବାଲ୍ୟ ବନ୍ଧୁ. ସେଇଥିପାଇଁ ତାର ସମସ୍ତ ଉପଚାର ମୁଁ ଏକା କରିବାକୁ ଚାହେଁ. ମାନସିକ ରୋଗୀର ସମସ୍ତ ଅତୀତ ତ ତୁମେ ଜାଣିଥିବ ନା ବାପା ତେବେ ଅସୁବିଧା କଣ? ମତେ ବରଂ ଏ କେଶଟି ଦେଲେ ଭଲ ହୁଅନ୍ତା ବାପା କହିବାରୁ ସୁଧାକର ପଛେଇ ଯାଆନ୍ତି. ଉତ୍ତର ନଦେବାରୁ ବାଧ୍ୟ ହୋଇ ସେଦିନ ପଚାରିଥିଲା ସ୍ୱାତୀ ସେହି ମାନସିକ ରୋଗୀର କେଶ ହିଷ୍ଟ୍ରି.
ବାପା ସୁଧାକର କହିଥିଲେ ରମେଶ ପିଲା ଥିଲା ବେଳେ ଗାଁରେ ନ୍ୟାୟ ବସିଥିଲା ତାଙ୍କ ପରିବାରର ପାଇଁ ଗାଁ ମହାଦେବଙ୍କ ମନ୍ଦିରରେ . ରମେଶ ବାପାଙ୍କର ଏକା ଜିଦ ଥିଲା ସେ ତାଙ୍କ ବୁଢା ବାପାଙ୍କଠୁ ଅଲଗା ହେବେ. ଫକୀର ମୋହନ ସେନାପତିଙ୍କ ଡାକ ମୁନିସ ଗପର ବାପା ହରି ସିଂଙ୍କ ପରି ରମେଶର ଜେଜେ ନାଶ ଶୁଙ୍ଘି ରାତିସାରା କାଶୁ ଥିଲେ,ଗାମୁଛା ଲୁଙ୍ଗି ସଫା କରୁନଥିଲେ,ଗୁଡ଼ାଖୁ ଘସୁଥିଲେ ଓ ପାନ ଖାଇ ଏଠି ସେଠି ଛେପ ଖଙ୍କାର ପକାଇବା ସହ ଦିନ ସାରା ମାଗୁଣିର ଶଗଡ଼ ଗୀତ ଗାଇ ଘର ପରିବେଶ ନଷ୍ଟ କରୁଥିଲେ ତ ରମେଶକୁ ଧରି ତା ବୋଉ ବାପଘର ଚାଲିଯିବାକୁ ବସିଥିଲା. ମାଆ ପୁଅଙ୍କୁ ନଛାଡିବା ପାଇଁ ବାପାଙ୍କଠୁ ଅଲଗା ହେବାକୁ ପଡିଥିଲା ପଞ୍ଚଙ୍କ ନ୍ୟାୟରେ ତ ରମେଶ ଓ ମୁଁ ଖୁବ କାନ୍ଦିଥିଲୁ ସେଦିନ. ରମେଶ ଜେଜେଙ୍କଠାରୁ ଅଲଗା ହୋଇ ରହିବାକୁ ଯେତିକି ଦୁଃଖରେ କାନ୍ଦୁଥିଲା ମୁଁ ତା ଦୁଃଖରେ.ବଡହେଲା ପରେ ଭାବିନଥିଲି କି ସେଇ ରମେଶ ତା ବାପାଙ୍କଠାରୁ ଅଧିକ କିଛି ଭୁଲ କରିବସିବ. କିନ୍ତୁ ଯୁବକ ଅବସ୍ଥାରେ ବିବାହ କରି ପ୍ରଥମ ଝିଅଟିଏ ଜନ୍ମ ହେବାପରେ କୁଆଡେ ଚାଲିଗଲା.ଯେତେବେଳେ ତା ବାପା ବୋଉ ଓ ସ୍ତ୍ରୀ ଆଗପଛ ହୋଇ ଏ ସଂସାର ଛାଡ଼ି ଚାଲିଗଲେ କାନ୍ଦୁଥିବା ଝିଅଟିକୁ ଉଠାଇ ଆଣିଥିଲା ତୋ ମାଆ.ଏଯାଏଁ ଶୁଣୁଥିବା ସ୍ୱାତୀ ସବୁ ବୁଝିପାରି କହୁଥିଲା ଚାଲ ବାପା ମତେ ମୋ ପିତାଙ୍କ ପାଖକୁ ନେଇଚାଲ. ମୋ ପରିଚୟ ହିଁ ତାଙ୍କ ରୋଗର ନିଦାନ ବାପା.ମନା କରନା. ସୁଧାକର ଚାହିଁଥିଲେ ସ୍ୱାତୀ ମୁଁହକୁ. ଆଉ ଭାବୁଥିଲେ ଡାକ୍ତର ସ୍ୱାତୀକୁ ସତ ନକହିଥିଲେ ବରଂ ସେ ପାପ କିଣିଥାଆନ୍ତେ କେବଳ.ସତେ ଯେମିତି ଅପେକ୍ଷା କରିଥିଲେ ରମେଶ ଝିଅ ପରିଚୟ ପାଇବା ପରେ ଆସ୍ତେ ଆସ୍ତେ ସ୍ୱାଭାବିକ ହୋଇ ଆସୁଥିଲେ.
ଏବେ ଦୁଇ ବାପା ସ୍ୱାତୀକୁ ବିବାହ ଦେଇଥିଲେ ଅନୁରାଗ ସହ. ଅନୁରାଗ ଥିଲେ ଭିର୍ନ୍ନ ମଣିଷ.ସେଦିନ ସହରର ଗୋଟେ ପାର୍କରେ ସୁନ୍ଦର ସୁନ୍ଦର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦମ୍ପତ୍ତିମାନଙ୍କୁ ଆମନ୍ତ୍ରିତ କରାଯାଇଥାଏ. ନିଜକୁ ଖୁବ ସୁନ୍ଦର ଭାବେ ସଜେଇ ପ୍ରାୟ କୋଡିଏ ଜଣ ଦାମ୍ପତ୍ତି ଅର୍ଥାତ ଚାଳିଶ ଜଣ ପ୍ରତିଯୋଗୀ , ଯେଉଁମାନେ ଭାଗ ନେବା ପାଇଁ ନିଜ ନାମ ପଞ୍ଜିକରଣ କରିଥିଲେ ସେଠାରେ ଉପସ୍ଥିତ ଥିଲେ. ପରିବେଶ ଖୁବ ମନମୁଗ୍ଧକର ଥିଲା. ମାଇକରୁ ସୁନ୍ଦର ସୁନ୍ଦର ଗୀତ ସବୁ ଭାଷି ଆସୁଥିଲା. ରଙ୍ଗୀନ ଆଲୋକ ଓ ପରଦାରେ ସ୍ଥାନଟି ଆକର୍ଷଣୀୟ ଲାଗୁଥିଲା.ସଂଗୀତର ତାଳେ ତାଳେ ଆରମ୍ଭ ହୋଇଥିଲା ପ୍ରତିଯୋଗିତା କାର୍ଯ୍ୟକ୍ରମ. ଗୋଟିକ ପରେ ଗୋଟିଏ ଖେଳ ଆଗେଇ ଚାଲିଥିଲା. ରିଙ୍ଗ ପକେଇ କିଏ ଘରକରଣା ସାମଗ୍ରୀ ପାଉଥିଲା ତ କିଏ ଏକ ମିନିଟରେ ବେଲୁନ ଫୁଟାଇ ଜୟଯୁକ୍ତ ସାବ୍ୟସ୍ତ ହେଉଥିଲା.
ସ୍ୱାତୀ ଅପେକ୍ଷା କରିଥିଲେ ତାଙ୍କ ପାଳି କେବେ ଆସିବ. ଶେଷକୁ ଘୋଷିକା ସ୍ୱାତୀଙ୍କ ନାମ ଡାକିଲେ ତ ଘନ ଘନ ତାଳି ମାଡରେ ସ୍ୱାତୀ ଷ୍ଟେଜ ଉପରକୁ ମୁଗ୍ଧ ନୟନରେ ଉପସ୍ଥିତ ହେଲେ. ଏଥର ଘୋଷିକା ଏକ ଧଳା ବୋର୍ଡରେ ତାଙ୍କୁ ତାଙ୍କର ପଚାଶ ଜଣ ବନ୍ଧୁ ବା ବାନ୍ଧବୀଙ୍କ ନାମ ଲେଖିବାକୁ କହିଲେ ଯେଉଁମାନଙ୍କୁ ସେ ଖୁବ ଭଲ ଭବେ ଜାଣନ୍ତି ଓ ସେମାନେ ପରସ୍ପରକୁ ଖୁବ ଭଲ ପାଆନ୍ତି. ଓଃ ଏଇ କଥା କହି ପ୍ରେମ ଖେଳରେ ଭାଗନେବାକୁ ଆଗେଇ ଗଲେ ସ୍ୱାତୀ . ଲେଖିଦେଲେ ଦୁଇ ବାପାଙ୍କ ନାମ ପରେ ସ୍ବାମୀ ଓ ସ୍ବାମୀ ଘରର ପଚାଶ ଜଣଙ୍କ ନାମ, ତାଙ୍କ ଏ ସହଜ ଖେଳର ପୁରସ୍କାର କଣ ଥିବ ଭାବି ଘୋଷିକାଙ୍କ ପାଖକୁ ଆଗେଇ ଯାଆନ୍ତେ, ସେ କହୁଥିଲେ ଖେଳ ସରିନି ମ୍ୟାଡାମ, ଆପଣ ଏଥର ବାଛି ବାଛି ସେହି ନାମ ତାଲିକାରୁ କୋଡିଏ ଜଣଙ୍କୁ ବାଦ ଦିଅନ୍ତୁ. ସହଜ ମନେ ହେଉଥିବା ଖେଳଟି ଏଥର କଷ୍ଟକର ମନେ ହେଲା ସ୍ୱାତୀଙ୍କୁ.
କଷ୍ଟେ ମଷ୍ଟେ କୋଡିଏ ଜଣଙ୍କ ନାମ କାଟି ସାରିବା ପରେ ପୁଣି ଯେବେ କୋଡିଏ ଜଣଙ୍କ ନାମ କାଟିବାକୁ କୁହାଗଲା, ହଡ଼ବଡେଇ ଗଲେ ସ୍ୱାତୀ . ଘୋଷିକା ବୁଝେଇ ଦେଇଥିଲେ ଆପଣଙ୍କ ପାଖରେ ଢେର ସାରା ପରିବା ଥିଲେ ମଧ୍ୟ, ସନ୍ତୁଳା ପାଇଁ କେବଳ ସାରୁ, ଆଳୁ, କଖାରୁ, ଜହ୍ନି, ଭେଣ୍ଡି ରଖି ଅନ୍ୟ ପରିବାସବୁକୁ, ପୁଣି ଫ୍ରିଜରେ ରଖିନେଲା ଭଳି କଥା ଟିଏ ମାତ୍ର. ଏଥର ସ୍ୱାତୀ କାଟି ଚାଲିଲେ ଆଉ କୋଡିଏ. ରହିଲା ମାତ୍ର ଦଶ. ସେଥିରେ ତାଙ୍କ ଦୁଇ ବାପା,ଶଶୁର, ନଣନ୍ଦ,ନଣନ୍ଦେଇ ଦିଅର,ଯା,ସ୍ୱାମୀ ଓ ଏକମାତ୍ର ଶିଶୁ ପୁତ୍ର ଥିଲେ. ଏଥର ପୁଣି ଯେବେ ପାଞ୍ଚ ଜଣଙ୍କୁ କାଟିବାକୁ କୁହାଗଲା ତ କାନ୍ଦି ପକେଇ କେବଳ ନିଜ ଦୁଇ ପିତା ସ୍ୱାମୀ ଓ ଶିଶୁ ପୁତ୍ରକୁ ରଖିଥିଲେ. ପୁଣି ଯେବେ ତାଙ୍କୁ କୁହାଗଲା କେବଳ ଜଣକ ନାମ ରଖିବାକୁ, ସେ ବହୁ ସମୟ ନେବା ପରେ କେବଳ ଶିଶୁ ପୁତ୍ରର ନାମ ରଖି ଦୌଡୁଥିଲେ ଷ୍ଟେଜରୁ ଘର ଅଭିମୁଖେ, ଶିଶୁ ପୁତ୍ରକୁ କୋଳକୁ ନେଇ ସେ ସିଧା ଆସି ଗାଁରେ ପହଞ୍ଚି ଦେଖିଥିଲେ ପିତା ସୁଧାକର ବାବୁ ଓ ବାପା ରମେଶ ଉଭୟଙ୍କ ଦେହ ଖରାପ. ନିଜେ ଡାକ୍ତର ହୋଇଥିବାରୁ ସେ ଆରମ୍ଭ କରିଥିଲେ ଉପଚାର.
ସେଦିନ ରାତିରେ ସ୍ବପ୍ନଟିଏ ଦେଖିଲେ ସ୍ୱାତୀ.କେହି ତାଙ୍କୁ କହୁଛନ୍ତି ତୋର କିଏ ଦରକାର ପୁତ୍ର ନା ପିତା?ସେ କାନ୍ଦି କାନ୍ଦି କହୁଥିଲେ ପିତା. ତ କୋଉ ପିତା? ଯିଏ ତତେ ଜନ୍ମ ଦେଇ ଛାଡ଼ି ଚାଲିଯାଇଥିଲେ ସେ ପିତା ରମେଶ ନା ଯିଏ ତତେ ନୂଆ ଜୀବନ ଦେଇ ପାଳିପୋଷି ଡାକ୍ତର କରିଛନ୍ତି ପୁଣି ଜନ୍ମିତ ପିତାଙ୍କୁ ଆଣି ଭେଟି ଦେଇଛନ୍ତି ସେ ପିତା ସୁଧାକର?କାନ୍ଦି ଉଠିଲେ ସ୍ୱାତୀ. କହୁଥିଲେ ମୋର ପୁତ୍ର ଦରକାର. ଦୁଇ ବାପା ଦୌଡ଼ି ଆସିଥିଲେ. ସବୁ ଶୁଣି ଝିଅର ମୁଣ୍ଡରେ ହାତ ଆଉଁସି ଜଣେ କହୁଥିଲେ ଏଇଟା ସ୍ବପ୍ନ ମାତ୍ର ତା ଛଡା ଶିଶୁପୁତ୍ର ଚାଁହୁ କହି ତୁ ତୋର ମାତୃତ୍ୱର ପରିଚୟ ଦେଇଛୁ ମାଆ ତୁ ଧନ୍ୟା. ଆଉ ଜଣେ କହୁଥିଲେ ଆମେ ଦୁଇଜଣ ବୟସର ଶେଷ ପାହାଚରେ. ତୁ ବରଂ ସ୍ୱାମୀ ପୁତ୍ର ସହ ସୁଖରେ ସଂସାର କର ମାଆ. ଏହି ଆମର ଆଶୀର୍ବାଦ. ସ୍ବପ୍ନ କଣ ସତ ହୁଏ? ଭୁଲିଯା ସେ ଅନାହୁତ ସ୍ବପ୍ନକୁ ଧରିରଖ ବାସ୍ତବକୁ.ଠିକ ସେହି ସମୟରେ ସ୍ୱାମୀ ଆସି କହିଥିଲେ ପ୍ରତିଯୋଗିତାରେ ବିଜୟୀ ହୋଇଛ ସ୍ୱାତୀ ଜଣେ ଡାକ୍ତର ହିସାବରେ ନୁହେଁ, ଜଣେ ପୁତ୍ରୀ ଓ ସ୍ୱାମୀ ପୁତ୍ରଙ୍କ ପ୍ରତି ମମତା ରଖିଥିବା ଦୁଇ କୁଳର ହିତା ପାଇଁ.ପ୍ରତିଯୋଗିତା ଫଳକରେ ଲେଖାଯାଇଥିଲା ଶ୍ରେଷ୍ଠ ଦୁହିତା ଦୁଇ କୂଳକୁ ହିତା.ସ୍ୱାତୀଙ୍କୁ ଅନୁରାଗ ଚିଡ଼ାଉଥିଲେ ଶ୍ରେଷ୍ଠ ସହଧର୍ମିଣୀ ତ ହୋଇ ପାରିଲ ନାହିଁ. ପିତା ଦୁହେଁ କର୍ମକ୍ଷେତ୍ରରେ, ଶହ ଶହ ରୋଗୀଙ୍କ ସହ ଅପେକ୍ଷା କରିଥିଲେ ସ୍ୱାତୀଙ୍କ ଫେରିବା ବାଟକୁ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ