କପିଲ୍ଙ୍କ ମୁହଁ ବନ୍ଦ କଲେ ଉଦିତ୍ ନାରାୟଣ
“ଦ କପିଲ ଶର୍ମା ଶୋ’ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି । ଏହି ଶୋ’ ଲଗାତାର ଭାବେ ଟିଆର୍ପି ତାଲିକାରେ ଟପ୍ ୫ରେ ରହି ନିଜ ରେକର୍ଡ ବଜାୟ ରଖିଛି । କପିଲଙ୍କ ଶୋ’ର ପ୍ରତି ଏପିସାଡରେ ବଡ଼ ବଡ଼ ସେଲେବ୍ରିଟିଙ୍କୁ ଦେଖିବାକୁ ମିଳେ । ଏହି କ୍ରମରେ ଗତ ସପ୍ତାହରେ କପିଲଙ୍କ ଶୋ’ରେ ଜଣାଶୁଣା ଗାୟକ ଉଦିତ୍ ନାରାୟଣ ଅତିଥି ଭାବରେ ଯୋଗ ଦେଇଥିଲେ । ସେ ମଜା ମଜାରେ କପିଲଙ୍କ ଏପରି ଏକ ସିକ୍ରେଟ୍ କଥା କହିଥିଲେ, ଯାହାକୁ ଶୁଣିବା ପରେ ତାଙ୍କ ମୁହଁ ବନ୍ଦ ହୋଇଯାଇଥିଲା । ଏହି ଭିଡିଓକୁ କପିଲ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି ।
ଉଦିତ୍ ଶୋ’କୁ ଆସିବା ପରେ କପିଲ୍ ତାଙ୍କ ଚେହେରାକୁ ଦେଖି ଖୁବ୍ ପ୍ରଶଂସା କରିଥିଲେ ଓ କହିଥିଲେ, “ଆପଣଙ୍କ ସ୍ୱର ସହିତ ଆପଣଙ୍କ ଚେହେରା ବି ବହୁତ ସୁନ୍ଦର । ଆପଣଙ୍କ ଚେହେରା ଦେଖି ଲାଗୁଛି ଯେ ଆପଣ କେବେ କାହାଠୁ ପଇସା ମାରି ନଥିବେ । କିନ୍ତୁ ଆପଣଙ୍କ ପଇସାକୁ ସମସ୍ତେ ମାରି ନେଇଥିବେ ।” କପିଲଙ୍କର ଏହି କଥା ଶୁଣିବା ପରେ ଦର୍ଶକେ ଖୁବ୍ ହସିଥିଲେ ।
କପିଲଙ୍କର ଏହି କଥା ଶୁଣି ଉଦିତ୍ ନାରାୟଣ କହିଥିଲେ, “ଆପଣ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଶୁଣିଛି, ଆପଣ ଗୋଟିଏ ଗୋଟିଏ ଏପିସୋଡ୍ ପାଇଁ କୋଟିଏ ଟଙ୍କା ନେଉଛନ୍ତି ।” ଅବଶ୍ୟ ସେ ଥଟ୍ଟାରେ ଏ କଥା କହିଥିଲେ । ତେବେ ଉଦିତ୍ଙ୍କର ଏହି କଥା ଶୁଣି କପିଲ ପାଟି ବନ୍ଦ ହୋଇଯାଇଥିଲା ଓ ସେ ହସି ଥିଲେ । ତେବେ କପିଲ୍ ଗୋଟିଏ ଏପିସୋଡକୁ କୋଟିଏ ଟଙ୍କା ନେଉଥିବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।