କଫ୍ୟୁ ବେଳେ ଲୁଗା ଦୋକାନ ଖୋଲାଇବା ଘଟଣା ୧୦ଦିନ ପରେ ତହସିଲଦାରଙ୍କ ପାଲଟା ଅଭିଯୋଗ

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନ ଲକ୍ ଡାଉନ୍ ଓ କଫ୍ୟୁ ସମୟରେ ଜଣେ ତହସିଲଦାର ସବୁ ନୀତି ନିୟମକୁ ଉଲଂଘନ କରି ଲୁଗା ଦୋକାନ ଖୋଲାଇ ଲୁଗା କିଣିବା ଭିଡିଓ ଭାଇରାଲ ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହେବା ପରେ ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତଦନ୍ତ ବିଳମ୍ବ ହେଉଥିବା ବେଳେ ଅନ୍ୟ ପକ୍ଷରେ ଘଟଣାର ୧୦ ଦିନ ପରେ ନିୟମ ଉଲଂଘନ କରିଥିବା ତହସିଲଦାର ଥାନାରେ ପାଲଟା ଅଭିଯୋଗ କରିଥିବା ଜଣାଯାଇଛି । ତେବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ହେଉଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶ ଯେ, କରୋନା ଲକ୍ ଡାଉନ୍ ଓ କଫ୍ୟୁ ସମୟରେ ବନ୍ତ ତହସିଲଦାର ଗତ ୧୯ ତାରିଖ ସନ୍ଧ୍ୟା ୭ଟା ପରେ ଆଗରପଡା ବଜାରର ଏକ ଲୁଗା ଦୋକାନ ଖୋଲାଇ ଲୁଗା କିଣୁଥିବା ବେଳେ କିଛି ସ୍ଥାନୀୟ ଯୁବକ ସେଠାରେ ପହଞ୍ôଚ ଦୋକାନର ସଟର ପକାଇ ଦେଇଥିଲେ । ଏଥିସହ କଫ୍ୟୁ ସମୟରେ କାହିଁକି ଦୋକାନ ଖୋଲାଇ ଲୁଗା କିଣୁଛ ବୋଲି ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ । ଏହାକୁ ନେଇ ଦୋକାନ ଭିତରେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ମାତ୍ର ସେତେବେଳେ ତହସିଲଦାର ଘଟଣା ସମ୍ପର୍କରେ ନିକଟସ୍ଥ ଥାନାକୁ ଖବର ଦେବା କିମ୍ବା ଅଭିଯୋଗ କରି ନଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଫଳରେ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏବେ ଉକ୍ତ ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ଦୀର୍ଘ ୧୦ ଦିନ ପରେ ଗତ ୨୯ ତାରିଖରେ ତହସିଲଦାରଙ୍କ ପକ୍ଷରୁ ଆଗରପଡା ଥାନାରେ ଲୁଗା ଦୋକାନ ଭିତରେ ଯୁକ୍ତିତର୍କ କରିବା ସହିତ ଭିଡିଓ କରିଥିବା ଯୁବକ ମାନଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ଏନେଇ ଆଗରପଡା ଥାନାରେ କେସ ନଂ-୪୯/୨୦ ମୂଳେ ମାମଲା ରୁଜ୍ଜୁ ହୋଇଛି । ଅପରପକ୍ଷେ କଫ୍ୟୁ ସମୟରେ କଟକଣା ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବାର ନିୟମ ଥିବା ବେଳେ ମାଜିଷ୍ଟେଟ୍ ଦାୟୀତ୍ୱରେ ଥିବା ଜଣେ ତହସିଲଦାର କିପରି ନିୟମକୁ ଉଲଂଘନ କରି ଲୁଗା ଦୋକାନ ଖୋଲାଇ ଲୁଗା କିଣିଲେ ତାହା ତଦନ୍ତ ସାପେକ୍ଷ । ଏପରି ସମ୍ବେଦନଶୀଳ ଘଟଣାରେ ତଦନ୍ତ ତୁରନ୍ତ ହେବା ବଦଳରେ ବିଳମ୍ବ ହେବା ପଛରେ କ’ଣ କାରଣ ଥାଇପାରେ ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଯଦି ଲୁଗା ଦୋକାନରେ ଯୁବକ ମାନେ ତହସିଲଦାରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ ସେତେବେଳେ କାହିଁକି ତହସିଲଦାର ଥାନାରେ ଅଭିଯୋଗ କଲେ ନାହିଁ । ଘଟଣା ଘଟିବାର ୭ ଦିନ ମଧ୍ୟରେ ଅଭିଯୋଗ କରିବାର ନିୟମ ଥିବା ବେଳେ ୧୦ ଦିନ ପରେ ତହସିଲଦାର ଅଭିଯୋଗ କରିବା ଏବଂ ଥାନାରେ ମାମଲା ରୁଜ୍ଜୁ ହେବା ପଛରେ କି ଅଭିସନ୍ଧି ଥାଇ ପାରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଜିଲ୍ଲା ପ୍ରଶାସନ ଉପରୋକ୍ତ ଘଟଣା ପ୍ରତି ଗୁରୁତ୍ୱ ଦେଇ ବିଧିବଦ୍ଧ ତଦନ୍ତ କରି ପ୍ରକୃତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ