କବିତା ସଂକଳନ ‘ବାୟାବସା’ଲୋକାର୍ପିତ
ବାଲେଶ୍ୱର, (ସରୋଜ ପଣ୍ଡା):କବି ଜଳଧର ପଣ୍ଡାଙ୍କ କବିତା ସଂକଳନ ‘ବାୟାବସା’ ସହର ଉପକଣ୍ଠ କୁୁରୁଡ଼ାର ସ୍ୱସ୍ତି କଲ୍ୟାଣ ମଣ୍ଡପ ପରିସରରେ ରବିବାର ଲୋକାର୍ପିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ । କବି ଶ୍ରୀ ପଣ୍ଡାଙ୍କ ବାସ୍ତବାଦୀ ଲେଖା ଶୈଳୀକୁ ପ୍ରଶଂସା କରିବା ସହିତ ତାଙ୍କ ଭଳି ଜଣେ ସାରସ୍ୱତ ସାଧକ ସମ୍ପର୍କର ସେତୁ ବାନ୍ଧିପାରେ ବୋଲି ଶ୍ରୀମତୀ ଜେନା କହିଥିଲେ । ସାପ୍ତାହିକ ଖବର କାଗଜ ‘ଖୋଲାଫର୍ଦ୍ଦ’ର ସମ୍ପାଦକ ବିମଲ କୁମାର ଭଞ୍ଜଦେଓ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ତଥା ସାରସ୍ୱତ ସ୍ରଷ୍ଟାମାନଙ୍କର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଭାଷା ସାହିତ୍ୟର ସମୃଦ୍ଧି ପାଇଁ ଉଦୀୟମାନ ସାରସ୍ୱତ ସାଧକଙ୍କ ଭୂମିକା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସେମାନଙ୍କୁ ସବୁ ମହଲରୁ ସହଯୋଗ କରାଯିବା ଉଚିତ ବୋଲି ସେ କହିଛନ୍ତି । କଥାଶିଳ୍ପୀ ସାବିତ୍ରୀ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, କବି ଅଞ୍ଜଳି ପଣ୍ଡା, ପରିଚୟ ପତ୍ରିକାର ସମ୍ପାଦିକା ଅରୁଣା ରାୟ, ଯୁଗଶ୍ରୀ ଯୁଗନାରୀ ପତ୍ରିକାର ସମ୍ପାଦିକା ମମତା ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ଡ. ବଂଶୀଧର ଚୌଧୁରୀ, ରାଜାରାମ କରଶର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ପଣ୍ଡାଙ୍କ କବିତା ସଂକଳନର ବିଷୟବସ୍ତୁ ଓ ଲିଖନ ଶୈଳୀ ଉପରେ ଆଲୋଚନା କରିଥିଲେ । ଶିକ୍ଷାବିତ ଡ. ରାଧାରଂଜନ ପଟ୍ଟନାୟକ ଏଥିରେ ସମୀକ୍ଷକ ଭାବେ ଯୋଗଦେଇ କବିତା ସଂକଳନ ‘ବାୟାବସା’ର ଉପରେ ସମୀକ୍ଷା କରିଥିଲେ । ତେବେ କବି ଶ୍ରୀ ପଣ୍ଡାଙ୍କ ଭଳି ମାଟି ମନସ୍କ ହିଁ ବିଶ୍ୱସ୍ତ ଓ ବିଶ୍ୱାସର କବିତା ରଚନା କରିପାରେ ବୋଲି ଡ. ପଟ୍ଟନାୟକ ମତ ପ୍ରକାଶ କରିଥିଲେ । କବି ଶ୍ରୀ ପଣ୍ଡା ଏଥିରେ ଉପସ୍ଥିତ ରହି ନିଜର ଲେଖକୀୟ ଅଭିବ୍ୟକ୍ତ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରସନ୍ନ କୁମାର ପାତ୍ର ଓ ଜ୍ୟୋତିର୍ମୟୀ କର କବି ଶ୍ରୀ ପଣ୍ଡାଙ୍କ ସାହିତ୍ୟ ସାଧନା ଓ ସିଦ୍ଧି ସମ୍ପର୍କରେ କଥା ରଖିଥିଲେ । ପ୍ରାରମ୍ଭରେ କବି ଜ୍ୟୋତ୍ସ୍ନା ରାୟ ଅତିଥିଙ୍କୁ ମଞ୍ଚ ଅମନ୍ତ୍ରଣ କରିଥିବା ବେଳେ ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କବି ସାହିତ୍ୟିକଙ୍କ ସମେତ ବାଲେଶ୍ୱର ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏହି ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିଲେ ।