କବି ଚକ୍ରଧର ରାଉତଙ୍କ ଦ୍ୱିତୀୟ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସବୁଜ ଓ ଆଧୁନିକ ଯୁଗର ସନ୍ଧିକାଳରେ ଚକ୍ରଧର ରାଉତ ଜଣେ ସ୍ୱଳ୍ପ ଅଲୋଚିତ ବିଶିଷ୍ଟ କବି । ତାଙ୍କ କବିତାରେ ମଣିଷର ସ୍ୱପ୍ନ, ସ୍ୱପ୍ନଭଙ୍ଗ ତଥା ପ୍ରେମ ଓ ପ୍ରଣୟର କଥା ଶବ୍ଦର ଲଳିତ ସଂଯୋଜନାରେ ପ୍ରକଟିତ ହୋଇଛି । ସେ କବି ଭାବରେ ସମାଜକୁ ଗଢିବା ପାଇଁ ଯେମିତି ପଣ କରିଥିଲେ, ଶିକ୍ଷକ ଭାବରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢିବା ପାଇଁ ସେମିତି ପ୍ରତିଜ୍ଞା କରିଥିଲେ । ଏହି ବରେଣ୍ୟ କବି ଓ କୃତୀ ଶିକ୍ଷକଙ୍କ ସମ୍ପର୍କରେ ଜୀବନୀ ପୁସ୍ତକ ଏବଂ ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶ ପାଇବା ଉଚିତ୍ । ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ଯଶସ୍ୱୀ କବି ଓ ଆଦର୍ଶ ଶିକ୍ଷକ ଚକ୍ରଧର ରାଉତଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ ସମାରୋହରେ ଯୋଗଦେଇ ଅତିଥିମାନେ ଏହି ମତପୋଷଣ କରିଛନ୍ତି ।ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରାଦ୍ଧୋତ୍ସବରେ ମୁଖ୍ୟ ଅତିଥି ଭାବରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ, ବିଶିଷ୍ଟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଯୋଗ ଦେଇଥିଲେ । ଚକ୍ରଧର-ସ୍ୱର୍ଣ୍ଣଲତା ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ବିଜୟ ନାୟକ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସହଯୋଗୀ ଅମିତାଭ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । ଫାଉଣ୍ଡେସନର ଅଧ୍ୟକ୍ଷ ଦୟାନିଧି ରାଉତ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ଏବଂ ସଭା ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ । ଏହି ଅବସରରେ ଦିବଂଗତ କବି ଚକ୍ରଧର ରାଉତଙ୍କ ସ୍ମୃତିଚାରଣ କରି ଅତିଥିଗଣ କହିଥିଲେ ଯେ, ଶିକ୍ଷକତା ସ୍ୱର୍ଗତଃ ରାଉତଙ୍କର ଜୀବିକା ଥିଲେ ବି କବିତା ରଚନା ଥିଲା ତାଙ୍କର ଜୀବନ । ଜୀବିକା ଓ ଜୀବନ ମଧ୍ୟରେ ସେ ଉପଯୁକ୍ତ ସମନ୍ୱୟ ରଖି ଉଚିତ୍ ନ୍ୟାୟ ଦେଇପାରିଥିଲେ । ସେ ନିଜ କାବ୍ୟ କବିତାରେ ସରଳ ସାବଲୀଳ ଭାଷା ପ୍ରୟୋଗ କରିବା ସହିତ ଭାବ, ଆଙ୍ଗିକ ଓ ଆତ୍ମିକ ଦୃଷ୍ଟିରୁ ସେସବୁକୁ ଉଚ୍ଚକୋଟୀର କରିପାରିଥିଲେ । ତାଙ୍କ ଜୀବନ ଓ କବିତା ସମ୍ପର୍କରେ ଅଧିକରୁ ଅଧିକ ଆଲୋଚନା ଆବଶ୍ୟକ ବୋଲି ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ।ଏହି ସ୍ମୃତିସଭାରେ ବିଭିନ୍ନ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏବଂ ସାହିତ୍ୟିକପ୍ରେମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ