କବି ଡଃ. ଶ୍ରୀଧର ସାମଲଙ୍କ କବିତା ସଙ୍କଳନ “ସ୍ୱପ୍ନ କିଛି ବାକିଥାଉ” ଲୋକାର୍ପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସାରସ୍ୱତ ଜଗତର ଅମ୍ଳାନ ବ୍ୟକ୍ତିତ୍ୱ ତଥା ସୁନାମଧନ୍ୟ କବି ପ୍ରଫେସର ଡଃ. ଶ୍ରୀଧର ସାମଲଙ୍କ ଦ୍ୱିତୀୟ କବିତା ସଙ୍କଳନ “ସ୍ୱପ୍ନ କିଛି ବାକିଥାଉ” ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଏହି ଉପଲକ୍ଷେ ପ୍ରାକ୍ତନ କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ ଉତ୍ସବରେ ଓଡିଶାର ବିଶିଷ୍ଟ ସାହିତ୍ୟିକ ଡଃ. ବୈଷ୍ଣବ ଚରଣ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି ଡଃ. ଶ୍ରୀଧର ସାମଲଙ୍କ କବିତା ସଙ୍କଳନ “ସ୍ୱପ୍ନ କିଛି ବାକିଥାଉ” ପୁସ୍ତକକୁ ଲୋକାର୍ପିତ କରିବା ସହ ଆଜିର ଯୁବକଯୁବତୀମାନେ ରାଜନୀତି ରୂପକ ମାୟା ମିରିଗ ବା ମରିଚିକା ପଛରେ ନଗୋଡାଇ ଏକ ସୁନ୍ଦର ଭବିଷ୍ୟତ ଗଠନ ପାଇଁ ପ୍ରୟାସ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଡଃ. ସାମଲ କହିଥିଲେ ଯେ ରୂପ, ଭାବ, ଶଦ୍ଦ ଓ ସାଙ୍ଗିକତାକୁ ନେଇ କବିତାର ସୃଷ୍ଟି ହୋଇଥାଏ । ଡଃ. ଶ୍ରୀଧର ସାମଲ ହେଉଛନ୍ତି ଜଣେ ମାଟି ମନସ୍କ କବି । ମାନବ ସଂପ୍ରିତି ତାଙ୍କ ଭିତରେ ଭରି ରହିଛି । ତେଣୁ ତାଙ୍କର ଏହି କବିତା ସଙ୍କଳନ ପୁସ୍ତକ “ସ୍ୱପ୍ନ କିଛି ବାକିଥାଉ” ଆଗାମୀ ଦିନରେ ନିଶ୍ଚିନ୍ତ ପାଠକୀୟ ସ୍ୱିକୃତି ଲାଭ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପିକା ଡଃ. ବୀଣାପାଣି ତ୍ରାପାଠୀ ଓ ପ୍ରାଧ୍ୟାପକ ଅଜୟ କୁମାର ସାମଲ ଯୋଗଦେଇ ପୂର୍ବାଶା ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ କବି ଡଃ. ସାମଲଙ୍କ କବିତା ସଙ୍କଳନ ପୁସ୍ତକ ଏକ ଯୁଗପୋଯୋଗୀ ଓ ହୃଦୟସ୍ପର୍ଶୀ ବୋଲି ମତବ୍ୟକ୍ତ କରିବା ସହିତ ସେହି ପୁସ୍ତକର ସାମଗ୍ରିକ ରୂପ ବର୍ଣ୍ଣନା ସହ ସମୀକ୍ଷା କରିଥିଲେ । ଏହି ଅବସରରେ ମୈାସୁମୀ ସାହିତ୍ୟ ସଂସଦ ପକ୍ଷରୁ କବି ହେମନ୍ତ କୁମାର ରାଉତ, ପ୍ରାବନ୍ଧିକ ନିରଞ୍ଜନ ମେକାପ, କବି ପ୍ରେମାନନ୍ଦ ଖଣ୍ଡୁଆଳ, ଅଧ୍ୟାପକ ବୃନ୍ଦାବନ ଦାସ, କବି ରଞ୍ଜନ ବାଇ, କବି ଶଶିକାନ୍ତ ଦାସ ଓ କବି ନାରାୟଣ ଜେନାଙ୍କୁ ମାନପତ୍ର, ଉପଢୈାକନ ଏବଂ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଆଶୁକବି ହେମନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟାପକ ଶିଶିର କୁମାର ମହାପାତ୍ର ବେଦପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶୁଭାଂଶୁ ଦାସ, ନଳିନୀକାନ୍ତ ପୃଷ୍ଟି, ଅବନ୍ତୀ ବେହେରା, ଅଜୟ କୁମାର ପାତ୍ର, ଅଧ୍ୟାପକ ତପନ କୁମାର ପତି, ଶିକ୍ଷାବିତ କାଶୀନାଥ ରାଉତରାୟ, ପ୍ରେମାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ