କବି ଶ୍ରୀ ପ୍ରତାପ ଚନ୍ଦ୍ର ନାୟକଙ୍କ କବିତାଗ୍ରନ୍ଥ ‘ଅଗନାଗ୍ନି ବନସ୍ତର କାକଳି’ ଉନ୍ମୋଚିତ

ବାଲେଶ୍ୱର, (ସରୋଜ ପଣ୍ଡା):ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ କବିତୀର୍ଥ ଶାନ୍ତିକାନନଠାରେ ଗତ ତା ୧୭-୧୧-୨୪ ରିଖ ରବିବାର ସନ୍ଧ୍ୟା ୬ଘଟିକା ସମୟରେ କବି ଶ୍ରୀ ପ୍ରତାପ ଚନ୍ଦ୍ର ନାୟକଙ୍କ କବିତା ପୁସ୍ତକ ‘ଅଗନାଗ୍ନି ବନସ୍ତର କାକଳି’ ଲୋକାର୍ପିତ ହୋଇଯାଇଛି । ବରିଷ୍ଠ ସାହିତ୍ୟିକ ଡ. ପ୍ରହ୍ଲାଦ ଚରଣ ମହାନ୍ତି ଏହାକୁ ଉନ୍ମୋଚନ କରିଥିବାବେଳେ ଫକୀରମୋହନ ସାହିତ୍ୟ ପରିଷଦର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପାତ୍ର ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ । ସମୀକ୍ଷକ ଭାବେ ବିଶିଷ୍ଟ ସାହିତ୍ୟିକ ଗବେଷକ ଡ. ଶିରିଶ ଚନ୍ଦ୍ର ଜେନା ଓ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଡ. ସନ୍ତୋଷ କୁମାର ନାୟକ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ପରିଷଦର ଯୁଗ୍ମ ସଂପାଦକ ଶ୍ରୀ ରାଜେଶ କୁମାର ଗିରିି ପ୍ରାରମ୍ଭିକ ସୂଚନା ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ।କବି ପ୍ରତାପ ଚନ୍ଦ୍ର ନାୟକ ତାଙ୍କର ପୁସ୍ତକ ପରିଚୟ ସମ୍ପର୍କରେ ଆଲୋଚନା ପରିପ୍ରେକ୍ଷୀରେ ସାହିତ୍ୟ କିପରି ବ୍ୟକ୍ତିର ସୂକ୍ଷ୍ମ ସୃଜନଶୀଳ ଆଧ୍ୟାମିôକ ଚେତନାର ଅଭିବୃଦ୍ଧିରେ ସାହାଯ୍ୟ କରେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଶ୍ରୋତାମାନଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଆ ବିଭାଗର କଲେଜ୍ ଛାତ୍ର ଥିବାରୁ ସେମାନଙ୍କୁ କିପରି ସୃଜନଶୀଳ ସାହିତ୍ୟ ରଚନା କରିପାରିବେ ଏବଂ ମିଳିତ ଭାବରେ ନିଜନିଜ ମଧ୍ୟରେ ସାହିତ୍ୟ କୃତିର ଆଲୋଚନା କରି ନିଜନିଜର ଭାବଧାରାକୁ ଦୃଢ଼ କରିପାରିବେ – ସେ ବିଷୟରେ ପରାମର୍ଶ ଦେଇଥିଲେ । ଉପସ୍ଥିତ ସମସ୍ତ ଶ୍ରୋତାଙ୍କ ପାଇଁ ଏ ପୁସ୍ତକ ମାଗଣାରେ ଯୋଗାଇ ଦିଆଯିବ ବୋଲି ଶ୍ରୀ ନାୟକ ଘୋଷଣା କରିଥିଲେ । ଡ. ଶିରିଶ କୁମାର ଜେନା ଓ ଡ. ସନ୍ତୋଷ କୁମାର ନାୟକ ତାଙ୍କର ପୁସ୍ତକ ସମୀକ୍ଷାରେ ବହିଟିକୁ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରି କବି ଶ୍ରୀ ନାୟକଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଏହି ପୁସ୍ତକ ଓଡ଼ିଆ କବିତା ରାଜ୍ୟରେ ଏକ ଆଦର୍ଶ ନୂତନ ଟ୍ରେଣ୍ଡ୍ ସୃଷ୍ଟି କରିବା ସହ ପାଠକ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ଲାଭ କରିବ ବୋଲି ମତପୋଷଣ କରିଥିଲେ । ଉପସ୍ଥିତ ଶତାଧିକ ଶ୍ରୋତାଙ୍କୁ ଏ ପୁସ୍ତକଟିର ସମୀକ୍ଷା ଆନନ୍ଦିତ କରିଥିବାବେଳେ ଏ ପୁସ୍ତକ ଆଗାମୀ ପିଢ଼ି ପାଇଁ ପଥପ୍ରଦର୍ଶକ ହେବ ବୋଲି ମତ ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ