କବ୍ ବୁଲ୍ବୁଲ୍ ଉତ୍ସବ ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ତା୧୯ା୯ା୨୨ରିଖ ଠାରୁ ତା୨୩.୯.୨୦୨୨ରିଖ ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟାଳୟ ପରିସରରେ ଏକ କବ୍ ବୁଲ୍ବୁଲ୍ ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟର ୧୧ଟି ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟରୁ ୫୩୫ ଜଣ କବ୍ ସ୍କାଉଟ, ବୁଲ୍ବୁଲ୍ ଗାଇଡ୍ ସେମାନଙ୍କର ୟୁନିଟ୍ ଲିଡରମାନଙ୍କ ତତ୍ୱାବଧାନରେ ଉକ୍ତ ଉତ୍ସବରେ ଯୋଗଦାନ କରିଛନ୍ତି । ଅପରାହ୍ନ ୪.୦୦ ସମୟରେ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ତଥା ସଭାପତି ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଉତ୍ସବରେ କବ୍ ବୁଲ୍ବୁଲ୍ମାନଙ୍କର ଉତ୍ସାହର ସହ ଯୋଗଦାନକୁ ଦେଖି ତାଙ୍କ ଉଦ୍ଘାଟନୀ ଭାଷଣରେ ସେମାନଙ୍କର ଉଚ୍ଚ ପ୍ରଶଂସା କରିବା ସହିତ ଏହି ଉତ୍ସବ ଭବିଷ୍ୟତରେ ସେମାନଙ୍କର ମାନସିକ ବିକାଶ ଦିଗରେ ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ । ସମ୍ମାନୀତ ଅତିଥିଭାବେ ଉପସଭାପତି ଡଃ. (ଶ୍ରୀମତୀ) ମିନତୀ ବେହେରା, ପ୍ରଗତିବାଦୀ କାର୍ଯ୍ୟନିର୍ବାହୀ ସମ୍ପାଦକ ଶ୍ରୀଯୁକ୍ତ ବିରୁପାକ୍ଷ ତ୍ରିପାଠୀ ଏବଂ ଶ୍ରୀମତୀ ପ୍ରୀତିଛନ୍ଦା ଧଳ ମଧ୍ୟ ଅନୁରୂପ ଭାବେ କବ୍ ବୁଲ୍ବୁଲ୍ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଉତ୍ସବର ସଫଳତା କାମନା କରିଥିଲେ । ସେହିପରି ସାନ୍ଧ୍ୟ ଅଧିବେଶନରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଓଡିଶା ବିଧାନସଭା ସଚିବ ଶ୍ରୀଯୁକ୍ତ ଦାଶରଥୀ ଶତପଥୀ, ଆଇଏଏସ୍ ଏବଂ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ପୋଲିସ କମିଶନର, ଭୁବନେଶ୍ୱର-କଟକ ଶ୍ରୀଯୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇପିଏସ୍ କୁନି କୁନି ପିଲା ମାନଙ୍କର ବିଭିନ୍ନ ପ୍ରତିଯୋଗିତାକୁ ଦେଖିଥିଲେ ଏବଂ କ୍ୟାମ୍ପରେ ପିଲାଙ୍କ ରହଣୀ ତାଙ୍କ ଭିତରେ ଭାତୃଭାବ, ସମାନତା ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ । ପରିଶେଷରେ ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।