କମଲନାଥ ସରକାର ଉପରେ ସଂକଟର କଳାବାଦଲ : କିଛି ବିଧାୟକ ଦେଇପାରନ୍ତି ଇସ୍ତଫା

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ କମଲନାଥ ସରକାର ଉପରେ ରାଜନୈତିକ ସଙ୍କଟ ଜାରି ରହିଛି। ରାଜ୍ୟରେ କମଲନାଥଙ୍କ କଂଗ୍ରେସ ସରକାର ପ୍ରତି ବିପଦ ଘନଉଛି। ଗୁରୁବାର ବିଳମ୍ବିତ ରାତ୍ରିରେ କଂଗ୍ରେସର ମନ୍ଦସୌର୍‌ ଜିଲ୍ଲାର ସୁବାସରାରୁ ବିଧାୟକ ହରଦୀପ ସିଂ ଡାଙ୍ଗ୍‌ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇ ଦଳକୁ ଏକପ୍ରକାର ଝଟ୍‌କା ଦେଇଛନ୍ତି । ସେହିପରି ଡାଙ୍ଗଙ୍କ ସହିତ ବେଙ୍ଗାଲୁରୁରେ ରହିଥିବା କଂଗ୍ରେସ ଏମଏଲଏ ବିସାହୁଲାଲ୍‌ ସିଂହ, ରଘୁରାଜ ସିଂହ କଂସାନା ଓ ନିର୍ଦ୍ଦଳୀୟ ବିଧାୟକ ସୁରେନ୍ଦ୍ର ସିଂହ ଶେରା ଗୁରୁବାର ମଧ୍ୟ ଭୋପାଳ ଫେରିନାହାନ୍ତି। ତିନି ଦିନ ଧରି ନିଖୋଜ ରହିଥିବା କଂଗ୍ରେସ ବିଧାୟକ ହରଦୀପ ସିଂହ ଡଙ୍ଗ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯାଇ ନ ଥିବାବେଳେ ଆଉ ୭ ବିଧାୟକ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି। ମଧ୍ୟପ୍ରଦେଶରେ ଆସିଥିବା ରାଜନୈତିକ ସଂକଟକୁ ଦୃଷ୍ଟିରେ ରଖି ଏବେ ଡ୍ୟାମେଜ୍‌ କଣ୍ଟ୍ରୋଲ୍‌ ପାଇଁ ମୁଖ୍ୟମନ୍ତ୍ରୀ କମଲ ନାଥ ଖୁବ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ବୋଲି ସୂଚନା ରହିଛି। ଏହି ଫର୍ମୁଲା ଜରିଆରେ ଅସନ୍ତୁଷ୍ଟ ବିଧାୟକ ତଥା ବାହାରୁ ସହଯୋଗ କରୁଥିବା ଦଳକୁ ସନ୍ତୁଷ୍ଟ କରାଯିବ, ଯେମିତିକି ବିଜେପି ଆଉ ଦଳ ଭିତରେ ଫାଟ ସୃଷ୍ଟି କରିବାକୁ ସୁଯୋଗ ପାଇବ ନାହିଁ । ବିଜେପି କିନ୍ତୁ କର୍ଣ୍ଣାଟକ ପରି ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟିକରିବାକୁ ଜୋରସୋର୍‌ରେ ଉଦ୍ୟମ ଜାରି ରଖିଛି । ସେହିପରି କଂଗ୍ରେସ ମଧ୍ୟ ବିଜେପିର କିଛି ବିଧାୟକଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରିଛି। ବିଧାୟକ ନାରାୟଣ ତ୍ରିପାଠୀ, ଶରଦ କୋଲ ଓ ସଂଜୟ ପାଠକ ପ୍ରମୁଖ କଂଗ୍ରେସରେ ଯୋଗଦେଇ ପାରନ୍ତି ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ କମଲନାଥ ଓ ବରିଷ୍ଠ ରାଜନେତା ଦିଗବିଜୟ ସିଂହ ମିଶି ରାଜ୍ୟ ରାଜନୀତିରେ ଚାଲିଥିବା ଅଚଳାବସ୍ଥାର ସମାଧାନ ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ