କମେଣ୍ଟ ମାରାକୁ କେନ୍ଦ୍ରକରି ବସ୍ ଟର୍ମିନାଲ ପରିସର ପାଲଟିଲା ରଣକ୍ଷେତ୍ର ୨ ରୋମିଓ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୈାରାଞ୍ଚଳର ବିଭିନ୍ନ ସାହି ବସ୍ତିରେ ଗଢି ଉଠିଥିବା କୋଚିଂ ସେଣ୍ଟର ଓ ବସ୍ ଟର୍ମିନାଲ ପାଲଟିଛି ରୋଡ ରୋମିଓଙ୍କ ଆଡ୍ଡାସ୍ଥଳୀ । ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରୁ ହିଞ୍ଜିଳିକାଟୁ ସହରକୁ ଆସୁଥିବା ବିଭିନ୍ନ କୋଚିଂ ସେଣ୍ଟରକୁ ପାଠ ପଢିବାକୁ ଆସୁଥିବା ଛାତ୍ରୀଙ୍କୁ କମେଣ୍ଟ ମାରିବା ଏବଂ ଅଶାଳୀନ ଇଙ୍ଗିତ କରିବା ରୋଡ ରୋମିଓଙ୍କ ପାଇଁ ନିତିଦିନିଆ ଘଟଣା ପାଲଟିଛି। ଏପରିକି ପାଠ ପଢା ସାରି ଛାତ୍ରୀ ମାନେ ଘରକୁ ଫେରିବା ପାଇଁ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ବସକୁ ଅପେକ୍ଷା କରିବା ସମୟରେ ରୋଡ ରୋମିଓ ମାନେ ବସ୍ ଟର୍ମିନାଲ ପରିସରରେ ମୋଟର ସାଇକେଲରେ ଚକ୍କର କାଟିବା ସହ ଛାତ୍ରୀ ମାନଙ୍କୁ କମେଣ୍ଟ ମାରିବା, ଅଶାଳୀନ ଇଙ୍ଗିତ କରିବା ସହ ବଳପୂର୍ବକ ଭଲପାଇବାକୁ ବାଧ୍ୟ କରିବା ଭଳି ଘଟଣା ଘଟି ଆସୁଥିବା ନଜିର ରହିଛି। ପୂର୍ବରୁ ୪/୫ ଥର ଏଭଳି ଘଟଣା ଘଟିବା ପରେ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବସ୍ ଟର୍ମିନାଲ ପରିସରରେ ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ସକାଶେ ପୁଲିସ ନିୟୋଜିତ କରାଯାଇଛି। ହେଲେ କିଛି ଦିନର ନିରବତା ପରେ ପୁଣିଥରେ ଗୁରୁବାର ବସ୍ ଟର୍ମିନାଲ ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ପ୍ରକାରେ, ଗୁରୁବାର ସକାଳେ ହିଞ୍ଜିଳିକାଟୁ ପୈାରାଞ୍ଚଳ ପାଟଣା ସାହିରେ ଥିବା ଏକ କୋଚିଂ ସେଣ୍ଟର ସମ୍ମୁଖରେ ଜୈନିକା ଛାତ୍ରୀଙ୍କୁ କିଛି କଲେଜ ପଢୁଆ ଛାତ୍ର କମେଣ୍ଟ କରିଥିଲେ। ଏହାକୁ କେନ୍ଦ୍ର କରି ୨ ରୋମିଓ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ପରେ ହାତାହାତି ହୋଇଥିଲେ। କିଛି ସମୟପରେ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ୧୫ରୁ ୨୦ ଜଣ ଯୁବକ ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଠେଙ୍ଗା ବାଡିରେ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ। ଉଭୟ ଗୋଷ୍ଠୀଙ୍କ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଜଣେ ରୋଡ ରୋମିଓ ଗୁରୁତର ଆହତ ହୋଇଥିବା ବେଳେ ୪/୫ ଜଣ ଯୁବକ ଆହତ ହୋଇଥିଲେ। ସହଯୋଗୀ ମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୈାଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ଜଣାପଡିଛି। ପ୍ରତ୍ୟହ ସକାଳ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ବହୁ ମଦ୍ୟପ ଯୁବ ଗୋଷ୍ଠୀ ଓ ଅସାମାଜିକ ବ୍ୟକ୍ତିମାନେ ବସ୍ ଟର୍ମିନାଲ ପରିସର ଓ ସହରର ବିଭିନ୍ନ କୋଚିଂ ସେଣ୍ଟର ସମ୍ମୁଖରେ ମୋଟର ସାଇକେଲରେ ଚକ୍କର କାଟିବା ସହ ବହୁ ସମୟରେ ଛାତ୍ରୀ, ଯୁବତୀ ଓ ମହିଳାଙ୍କୁ କମେଣ୍ଟ ମାରିବା ସହ ଅଶାଳୀନ ଇଙ୍ଗିତ କରୁଥିବାରୁ ନଜିର ରହିଛି। ବସ୍ ଟର୍ମିନାଲ ପରିସରରେ ପୁଲିସ ନିୟୋଜିତ ଥାଇ ମଧ୍ୟ ଏଭଳି ଘଟଣା ଘଟୁଥିବାରୁ ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୋକଲଜ୍ୟା ଭୟରେ ଛାତ୍ରୀ ମାନେ ପରିବାର କିମ୍ବା ଘଟଣା ସମ୍ପର୍କରେ ହିଞ୍ଜିଳି ଥାନାରେ ଅଭିଯୋଗ କରୁନଥିବା ଜଣାପଡିଛି। ଏ ଦିଗରେ ପୁଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ରୋଡ ରୋମିଓ ଓ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ପ୍ରକାଶ ଥାଉକି, କିଛି ନାବାଳକ ଓ ଯୁବକ ପ୍ରତିଦିନ ସକାଳ ସମୟରେ ମୋଟର ସାଇକେଲରେ ଉଚ୍ଚ ଶବ୍ଦ ସୃଷ୍ଟି କରି ବସ୍ ଟର୍ମିନାଲ ପରିସରରେ ଚକ୍କର କାଟିବା ନିତିଦିନିଆ ଘଟଣା ପାଲଟିଛି। ଘଟଣା ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଏକ ବଡ ଧରଣର ହିଂସାକାଣ୍ଡ ଘଟିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ