କମ୍ପ୍ୟୁଟର ଯୁଗରେ ଅଲୋଡା ଟାଇପ୍‍ ମେସିନ୍‍

ଆସିକା, (ଯୁଗାବ୍ଦ ନ୍ୟୁଜ):ଯୁଗ ପରିବର୍ତ୍ତନ ସହ ତାଳ ଦେଇ ଦିନକୁ ଦିନ ମଣିଷର ବ୍ୟବହାରିକ ବସ୍ତୁ ବଦଳିବାରେ ଲାଗିଛି । ଦିନେ ଯାହାକୁ ବହୁଳ ବ୍ୟବହାର କରାଯାଉଥିଲା ତାହା ଆଗାମୀ କିଛି ବର୍ଷ ମଧ୍ୟରେ ଇତିହାସ ପାଲଟିବାକୁ ଯୀଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଥି ମଧ୍ୟରୁ ଟାଇପ୍‍ ମେସିନ୍‍ ଅନ୍ୟତମ । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଅତୀତରେ ଟାଇପ୍‍ ମେସିନ୍‍ ଗୁଡିକ ବହୁଳ ଭାବରେ ବ୍ୟବହାର ହେଉଥିଲା । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରୁ ଆବଶ୍ୟକ ସମୟରେ ପ୍ରକାଶ ପାଉଥିବା ବିଭିନ୍ନ ଇଂରାଜୀ ଲିଖିତ ଚିଠି ଗୁଡିକ ଟାଇପ୍‍ ମେସିନ୍‍ରେ ଟାଇପ୍‍ କରି ପ୍ରକାଶ କରାଯାଉଥିଲା । କିନ୍ତୁ ଆଜିର କମ୍ପ୍ୟୁଟର ଯୁଗରେ ଏହି ଟାଇପ୍‍ ମେସିନ୍‍ର ବ୍ୟବହାର ଓ ଚାହିଦା ଦିନକୁ ଦିନ କମିବାରେ ଲାଗିଥିବା ବେଳେ ଆଗାମୀ କିଛି ବର୍ଷ ମଧ୍ୟରେ ଏହି ଟାଇପ୍‍ ମେସିନ୍‍ ଜନମାନସରୁ ଲିଭିଯିିବା ସହ ଲୋପ ପାଇଯିବା ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ସାଂପ୍ରତିକ ପରିସ୍ଥିତିରେ କମ୍ପ୍ୟୁଟର ଯୁଗରେ ଆଗାମୀ କିଛି ବର୍ଷ ମଧ୍ୟରେ ଟାଇପ୍‍ ମେସିନ୍‍ ଅଲୋଡା ହୋଇରହିବା ସହ ଏକ ସ୍ମୃତି ହୋଇ ରହିଯିବା ସମ୍ଭାବନାକୁ ମଧ୍ୟ ଏଡାଇ ହେଉ ନାହିଁ । ଅତୀତରେ ବିଭିନ୍ନ କମ୍ପାନୀର ଟାଇପ୍‍ ମେସିନ୍‍ର ଚାହିଦା ଅଧିକ ଥିଲା । ରେଟିଂଟନ୍‍, ଆବିଏମ୍‍, ଗୋଦରେଜ୍‍, ପ୍ୟାସିଟ୍‍, ଅଲିଭେଟି, ରୟାଲ୍‍, ସ୍ମିଥ୍‍, କରୋନା, ଆଡ୍ରଲ୍‍, ଅସ୍ତର୍ଭଟ୍‍, ହାତ୍‍ଦା ଭଳି ବିଭିନ୍ନ କମ୍ପାନୀ ଟାଇପ୍‍ ମେସିନ୍‍ ପ୍ରସ୍ତୁତ କରି ବଜାରକୁ ବିକ୍ରୀ ପାଇଁ ଛାଡୁଥିଲେ । ଉକ୍ତ ଟାଇପ୍‍ ମେସିନ୍‍ ଗୁଡିକ ବ୍ରିଟିଶ୍‍ ଶାସନ କାଳରୁ ବିଭିନ୍ନ କାର୍ଯ୍ୟାଳୟରେ ବହୁଳ ଭାବରେ ବ୍ୟବହାର ହେଉଥିଲା । କେତେକ କମ୍ପାନୀ ପୋର୍ଟେବଲ୍‍ ଓ ଷ୍ଟାଣ୍ଡାର୍ଡ-୨ ପ୍ରକାରର ଟାଇପ୍‍ ମେସିନ୍‍ ତିଆରି କରୁଥିବା ବେଳେ ଷ୍ଟାଣ୍ଡାର୍ଡ ଟାଇପ୍‍ ମେସିନ୍‍ ଆକାରରେ ଛୋଟ ହୋଇଥିବାରୁ ଗୋଟିଏ ବ୍ରିଫ୍‍କେଶ୍‍ରେ ରଖି ଏହାକୁ ନେବା ଆଣିବା ସହଜ ହେଉଥିଲା । ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର ନଥିପତ୍ର ଗୁଡିକ ଏହି ଟାଇପ୍‍ ମେସିନ୍‍ରେ ପ୍ରସ୍ତୁତ କରାଯାଉଥିଲା ଓ ତାହା ଦୀର୍ଘ ବର୍ଷ ଧରି ରହିପାରୁଥିଲା । କାରଣ ଟାଇପ୍‍ ମେସିନ୍‍ରେ ଯେଉଁ କାଳି ବ୍ୟବହାର କରାଯାଉଥିଲା ତାହାର ପ୍ରସ୍ତୁତ ପ୍ରଣାଳୀ ସ୍ୱତନ୍ତ୍ର ଥିଲା । ତେଣୁ ତାହା ଦୀର୍ଘ ଦିନ ରହିପାରୁଥିଲା ଏବଂ ଲିଭିଯାଉନଥିଲା କି ଫିକା ମଧ୍ୟ ପଡୁନଥିଲା । ସାଂପ୍ରତିକ ପରିସ୍ଥିିତିରେ କମ୍ପ୍ୟୁଟରର ବହୁଳ ପ୍ରସାର ଓ ପ୍ରଚାର ସାଙ୍ଗକୁ ସହଜ ଓ ସୁନ୍ଦର ଭାବରେ ବିଭିନ୍ନ ନଥିପତ୍ର ମୁଦ୍ରଣ ହୋଇପାରୁଥିବାରୁ ଟାଇପ୍‍ ମେସିନ୍‍ ଅଲୋଡା ହେବାରେ ଲାଗିଛି । ଅପର ପକ୍ଷରେ ଦୀର୍ଘ ବର୍ଷ ତଳେ ଟାଇପ୍‍ ମେସିନ୍‍ରେ ଟାଇପ୍‍ ହୋଇଥିବା ବିଭିନ୍ନ ନଥିପତ୍ର ଓ କାଗଜପତ୍ର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପ୍ରାଞ୍ଜଳ ଭାବେ ପଢିହେଉଥିବା ଜଣାପଡିଛି । କିନ୍ତୁ କମ୍ପ୍ୟୁଟର ପ୍ରିଣ୍ଟରରେ ବ୍ୟବହୃତ କାଗଜ ଅଧିକ ଦିନ ରହିବା ସମ୍ଭବ ନୁହେଁ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଅପର ପକ୍ଷରେ ଅତୀତରେ ଯେଉଁମାନେ ଟାଇପ୍‍ ମେସିନ୍‍ ବ୍ୟବହାର କରୁଥିଲେ ସେମାନଙ୍କ ମିନଟ୍‍ ପ୍ରତି ବେଗ ଓ ନିର୍ଭୁଲତା ପ୍ରାୟତଃ କମ୍ପ୍ୟୁଟରରେ ହୋଇପାରୁ ନଥିବା ଜଣାପଡିଛି । ଦିନକୁ ଦିନ ସମୟକ୍ରମେ ଟାଇପ୍‍ ମେସିନ୍‍ର ଚାହିଦା ହ୍ରାସ ପାଇଆସିଥିବା ବେଳେ ବିଭିନ୍ନ କମ୍ପାନୀର ଟାଇପ୍‍ ମେସିନ୍‍ ଉତ୍ପାଦନ ମଧ୍ୟ ବନ୍ଦ ହୋଇଯାଇଥିବା ଜଣାପଡିଛି । ଯଦି ସରକାରଙ୍କ ପକ୍ଷରୁ ପୁନର୍ବାର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ ଟାଇପ୍‍ ମେସିନ୍‍ ପ୍ରଚଳନ କରନ୍ତି ତେବେ ଅଲୋଡା ହୋଇଯାଇଥିବା ଏହି ଟାଇପ୍‍ ମେସିନ୍‍ ପୁଣି ଥରେ ବଜାରରେ ଉପଲବ୍ଧ ହୁଅନ୍ତା ବୋଲି ମତ ପ୍ରକାଶ ପାଉଛି । ନଚେତ୍‍ ଆଗାମୀ କିଛି ବର୍ଷ ପରେ ଏହି ଟାଇପ୍‍ ମେସିନ୍‍ ମାନବ ସମାଜ ପାଇଁ ଇତିହାସ ପାଲଟିଯିବ ଏଥିରେ ସନ୍ଦେହ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ