କମ୍ୟୁନିଷ୍ଟନେତା ଅର୍ଜ୍ଜୁନ ଚରଣ ବେହେରା ସ୍ମୃତି ସମାରୋହ ଓ ସ୍ମୃତି ସମ୍ମାନ ପ୍ରଦାନ
କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍): ବିଶିଷ୍ଟ କମ୍ୟୁନିଷ୍ଟ ନେତା, କୈବର୍ତ୍ତ ମହାସଭାର ପ୍ରାକ୍ତନ ରାଜ୍ୟ ସଭାପତି, ଆଜୀବନ ସଂଗ୍ରାମୀ, ଗ୍ରାମ୍ୟ ନ୍ୟାୟ ଦରବାରର ପ୍ରମୁଖ ମୂରବୀ, ବହୁବର୍ଷଧରି ସରପଂଚ ତଥା ପ୍ରଖ୍ୟାତ ଜନସେବକ ଏବଂ ସମାଜସେବୀ କମ୍ରେଡ ଅର୍ଜ୍ଜୁନ ଚରଣ ବେହେରାଙ୍କ ୨ୟ ଜିଲ୍ଲା ସ୍ତରୀୟ ଶ୍ରାଦ୍ଧ ବାର୍ଷିକୀ ରବିବାର ପୂର୍ବାହ୍ନରେ କେନ୍ଦ୍ରାପଡା ପୈାରସଂସ୍ଥା ଉର୍ଦ୍ଦୁ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସି.ପି.ଆଇ.ଜିଲ୍ଲା ସମ୍ପାଦକ କମ୍ରେଡ ରମଣୀରଞ୍ଜନ ରାଉତରାୟଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସ୍ମୃତି ସଭାରେ ସି.ପି.ଆଇ. ରାଜ୍ୟ ସମ୍ପାଦକ କମ୍ରେଡ ଆଶିଷ କାନୁନଗୋ ମୁଖ୍ୟ ଅତିଥି , କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟବକ୍ତା ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ଏ.ଆଇ.ଟି.ୟୁ.ସି. ସାଧାରଣ ସମ୍ପାଦକ କମ୍ରେଡ ଗୁରୁଦାସ ଦାସଗୁପ୍ତା, ବିପ୍ଲବୀ କବି ରବି ସିଂ ଓ ବିଶିଷ୍ଟ ସ୍ତମ୍ଭକାର ଦିବାକର ବିଶ୍ୱାଳଙ୍କ ବିୟୋଗରେ ସେମାନଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସଭାପତି ସ୍ମୃତି ସମାରୋହର କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କ.ଅର୍ଜ୍ଜୁନ ଚରଣ ବେହେରାଙ୍କ ୨ୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ମୁଖ୍ୟଅତିଥି କ. କାନୁନଗୋ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ସମସ୍ତ ଅତିଥି ଓ ଉପସ୍ଥିତ ସଭାସଦବର୍ଗ ଅର୍ଜ୍ଜୁନବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି କ.କାନୁନଗୋ ତାଙ୍କ ବକ୍ତବ୍ୟରେ ଅର୍ଜ୍ଜୁନବାବୁ କମ୍ୟୁନିଷ୍ଟ ପାର୍ଟିର ନୀତି ଓ ଆଦର୍ଶରେ ସମ୍ପୂର୍ଣ୍ଣ ଭାବେ ନିଜକୁ ସମର୍ପିତ କରି ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଓ ଛାତ୍ର ଜୀବନରୁ ଆରମ୍ଭ କରି ଭାଗଚାଷୀ ଆନ୍ଦୋଳନ,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନଷ୍ପେସିତ ଜନତାର ସେବା,ଉତ୍ସର୍ଗୀକୃତ ଲୋକ ପ୍ରତିନିଧି,ସାଧାରଣ ଜନତାର ଆସ୍ଥା ଭାଜନ ହୋଇଥିବାରୁ ରାଜ୍ୟ ପାର୍ଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟବକ୍ତା କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ଅର୍ଜ୍ଜୁନବାବୁଙ୍କ ସହିତ ତାଙ୍କର ନିବିଡ ପାରିବାରିକ କଥା ଉଲ୍ଲେଖ କରି ସେ ସମାଜବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସାରାଜୀବନ ସଂଗ୍ରାମ କରିଥିଲେ କୈବର୍ତ୍ତ ସମାଜର ପ୍ରତିଷ୍ଠା ଓ ଅଗ୍ରଗତିରେ ତାଙ୍କର ଅବଦାନ ଅତୁଳନୀୟ ଏବଂ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ମତପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ପୂର୍ବତନମନ୍ତ୍ରୀ ଶ୍ରୀ ବେହେରା ଅର୍ଜ୍ଜୁନବାବୁଙ୍କ ନୀତି,ଆଦର୍ଶ, ଗଭୀର ଲୋକସମ୍ପର୍କ ବ୍ୟକ୍ତି ତଥା ଗୋଷ୍ଠିଗତ ବିବାଦ ସମାଧାନ କ୍ଷେତ୍ରରେ ଗ୍ରାମାଚଂଳ ନ୍ୟାୟ ଦରବାର କ୍ଷେତ୍ରରେ ପ୍ରମୁଖ ମୂରବୀ ଭାବେ ସଭିଙ୍କର ଆସ୍ଥାଭାଜନ ହୋଇ ସାଧାରଣ ଲୋକଙ୍କୁ ଆର୍ଥିକ ତଥା ସାମାଜିକ ସଙ୍କଟରୁ ରକ୍ଷା କରୁଥିବା କଥା ଉଲ୍ଲେଖ କରିଥିଲେ । ସି.ପି.ଏମ.ନେତା ଆଇନଜୀବି ଉମେଶ ଚନ୍ଦ୍ର ସିଂହ ଅର୍ଜ୍ଜୁନବାବୁଙ୍କ ସହିତ ତାଙ୍କର ପ୍ରାୟ ୫୦ବର୍ଷର ସମ୍ପର୍କ,ଭାଗଚାଷୀ ଆନ୍ଦୋଳନ ଏବଂ ୱେଲାର କେଶ ମାଧ୍ୟମରେ କେଶର ଓକିଲ ଭାବେ ସେ ଲଢିବା ଏବଂ ଅଚଂଳକୁ ଗଲାବେଳେ ଅର୍ଜ୍ଜୁନବାବୁଙ୍କ ସହିତ ଅନ୍ୟ ଚାଷୀନେତାମାନଙ୍କ ସହ ଗଭୀର ସମ୍ପର୍କରେ ଆସିବା କଥା ଉଲ୍ଲେଖ କରିଥିଲେ । ଏହି ଅବସରରେ ଆଜୀବନ ସଂଗ୍ରାମୀ ,କନିକା ଭାଗଚାଷୀ ଆନ୍ଦୋଳନର ଅନନ୍ୟ ସାରଥି ଅର୍ଜ୍ଜୁନବାବୁଙ୍କ ଆଦର୍ଶଧାରାର ଅନ୍ୟତମ ସହଯୋଦ୍ଧା ଆଳି ମେଣ୍ଢପୁର ଗ୍ରାମର କମ୍ରେଡ କୃଷ୍ଣ ଚନ୍ଦ୍ର ମଲ୍ଲିକଙ୍କୁ “ପ୍ରଥମ ଅର୍ଜ୍ଜୁନ ବେହେରା ସ୍ମୃତି ସମ୍ମାନ”ରେ ସମ୍ମାନୀତ କଲାବେଳେ କ.କୃଷ୍ଣବାବୁ -ଲାଲ ସଲାମ,ଲାଲ ଝଣ୍ଡା-ଲାଲ ସଲାମ,ଦୁନିଆର ମଜଦୁର ଏକ ହୁଅ,କମ୍ରେଡ ଅର୍ଜ୍ଜୁନ ବେହେରା ଅମର ରହେ ଧ୍ୱ୍ୱନୀରେ ସଭାସ୍ଥଳ ପ୍ରକମ୍ପିତ ହୋଇ ଉଠିଥିଲା । ଚଳିତବର୍ଷ ଠାରୁ ଏହି ସମ୍ମାନ ପ୍ରତିବର୍ଷ ପ୍ରଦାନ କରାଯିବା କଥା ସ୍ମୃତି କମିଟି ଏବଂ ତାଙ୍କ ସୁପୁତ୍ର ଅଧ୍ୟାପକ ଦେବେନ୍ଦ୍ର କୁମାର ବେହେରା ଘୋଷଣା କରିଥିଲେ । ଏଥିସହିତ ଦେବେନ୍ଦ୍ରବାବୁ ମଂଚାସୀନ ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଉପଲକ୍ଷେ ଏକ ସ୍ମରଣିକା “ବିପ୍ଳବୀ ଅର୍ଜ୍ଜୁନ ବେହେରା” ଆନୁଷ୍ଠାନିକ ଭାବେ ଅତିଥିମାନଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଡଃ.ବାସୁଦେବ ଦାସ, କ.ଆଦିକନ୍ଦ ରାଉଳ, ନିରଞ୍ଜନ ମେକାପ ଓ କବି ହେମନ୍ତ ରାଉତଙ୍କ ମିଳିତ ସମ୍ପାଦନାରେ ଏହା ପ୍ରକାଶିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ପ୍ରଫେସର ଅଜୟ ସାମଲ, କମ୍ୟୁନିଷ୍ଠ ନେତା ବାବାଜୀ ଧଳ, ଆଇନଜୀବି ଅଧିକାରୀ ପ୍ରଭାତ ଦାସ, କ.ଗୋବିନ୍ଦ ଚନ୍ଦ୍ର ପୃଷ୍ଟି, ସୁହାନା ବେଗମ, ସି.ପି.ଆଇ.(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଗଣେଶ୍ୱର ମେକାପ, ନାରୀନେତ୍ରୀ ଅବନ୍ତୀ ବେହେରା, ସୁଭାଷିନୀ ଭଦ୍ର, ମୁକ୍ତାର ଖାଁ, ମହମ୍ମଦ ଆକବର ଅଲ୍ଲୀ, କ.ରଣଧିର ଜେନା, କାନ୍ତୀପ୍ରଭା ନାୟକ, ନନ୍ଦିନୀ ନାୟକ, ରତ୍ନାକର ଦାସ, ସତ୍ୟନାରାୟଣ ଜେନା, ରବିନ୍ଦ୍ର ସିଂହ, ଶତ୍ରୁଘନ ତରାଇ, ଅଭୟ କୁମାର ଦାସ, ରବୀନ୍ଦ୍ର କୁମାର ପରିଡା, ମାଧବାନନ୍ଦ ଦାସ, ବାବାଜୀ ପରିଡା, ଜଗତଜୀବନ ଦାସ, ରଞ୍ଜନ କୁମାର ମଲ୍ଲିକ, କ୍ଷୀରୋଦ କୁମାର ଭଳ ପ୍ରମୁଖ ଅର୍ଜ୍ଜୁନବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ କ.ବିକାଶ ଚନ୍ଦ୍ର ବେଉରା ଧନ୍ୟବାଦ ଅର୍ପଣ କରିଥିଲେ ।


