କରଞ୍ଜିଆରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ଉପଖଣ୍ଡ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଜି କରଞ୍ଜିଆ ବିଚାରବିଭାଗ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ଆଶିଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଦାଲତକୁ ସବଜଜ ଅମିତ ସ୍ୱରୂପ କୁମାର ସେଠା ଏବଂ ଏସଡିଜେଏମ ପ୍ରଭାତ କୁମାର ସାମଲ ପରିଚାଳନା କରିଥିଲେ ।ଅଦାଲତକୁ ୩୯୨ ଗୋଟି ମକଦ୍ଦମା ଆଗତ ହୋଇଥିଲା । ମକଦ୍ଦମାଗୁଡିକ ମଧ୍ୟରେ କ୍ରିମିନାଲ କମ୍ପାଉଣ୍ଡେବୁଲ, ଏନ ଆଇ ଆକ୍ଟର ଧାରା ୧୩୮, ମନୀ ରିକୋଭେରୀ, ମୋଟର ଦୁର୍ଘଟଣା କ୍ଷତିପୂରଣ, ବୈବାହିକ ବିବାଦ, ଦେୱାନି ଓ ଫୌଜଦାରୀ ପ୍ରଭୁତି । ଆଗତ ମୋକଦ୍ଦମାଗୁଡିକ ମଧ୍ୟରୁ ୧୨୯ଟିର ଫଇସଲା ହୋଇ ମୋଟ ୧୧ଲକ୍ଷ ୪୮ହଜାର ୪୧୬ଟଙ୍କା ଜୋରିମାନା ଆଦାୟ ହୋଇଥିଲା। ଅଦାଲତ ପରିଚାଳନାରେ ବିଚାରବିଭାଗର ଅର୍ଚନା ସାହୁ, ନାରାୟଣ ସାହୁ, ଶାନ୍ତନୁ ନନ୍ଦନ ପାତ୍ର, ଜନ୍ମେଜୟ ଦାସ, ଦେବବ୍ରତ ରାୟ ଓ ବିଦ୍ୟାଧର ରାଉତ ସହଯୋଗ କରିଥିଲେ ।