କରଞ୍ଜିଆ ବନଖଣ୍ଡରେ ୨୭ ଜଣିଆ ହାତୀପଲଙ୍କ ପ୍ରାଦୁର୍ଭାବ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ବନଖଣ୍ଡ କରଞ୍ଜିଆ ବନାଞ୍ଚଳ ଘାଗରବେଡା ସେକ୍ସନରେ ୨୭ ଝାରଖଣ୍ଡ ହାତୀଙ୍କ ପ୍ରାଦୁର୍ଭାବ ଦେଖାଯାଇଛି । ଗତ ୧୪ ତାରିଖରୁ ଆଜକୁ ୧୨ଦିନ ହେଲା ହାତୀପଲ ଅଞ୍ଚଳ ଛାଡି ଯିବାକୁ ନାରାଜ । ଦିନବେଳା ବୈତରଣୀ ନଦୀ ପାର ହୋଇ କେନ୍ଦୁଝର ସୀମାନ୍ତ ଜଙ୍ଗଲରେ ଅବସ୍ଥାନ କରୁଛନ୍ତି ଏବଂ ରାତି ହେଲେ ପୁନଃ ନଦୀ ପାର ହୋଇ ଧାନକ୍ଷେତକୁ ଆସି ଖାଇବା ସହ ନଷ୍ଟ କରୁଛନ୍ତି । ବୈତରଣୀ କୂଳସ୍ଥିତ ଶଗଡ଼ା, ସରାଶପସି, ଶଙ୍କରପୁର, ରଘୁନାଥପୁର, ବୁଡାମରା, କେଶରୀ, ତାଳ ବିଉଁରିଆ, ନୂଆଗାଁ ଓ ନଈଭଙ୍ଗା ଗ୍ରାମର ଲୋକମାନେ ଉଠା ଜଳସେଚନ ପଏଣ୍ଟ ମାଧ୍ୟମରେ ରବି ଧାନଚାଷ କରିଛନ୍ତି । ବର୍ତ୍ତମାନ ଧାନ ଗଛରେ ଫୁଲ ହୋଇଥିବା ବେଳେ ଝାରଖଣ୍ଡି ହାତୀପଲଙ୍କ ଫସଲ ନଷ୍ଟ ନେଇ ଚାଷୀଙ୍କ ଆଶା ନିରାଶାରେ ପରିଣତ ହୋଇଛି । ଉକ୍ତ ହାତୀପଲରେ ୬ ଦନ୍ତା, ୧୪ ମାଈ ଓ ୭ ଶାବକ ହାତୀ ଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ହାତୀପଲଙ୍କୁ ବନବିଭାଗ ଓ ଗ୍ରାମବାସୀ ଘଉଡାଇବାରେ ନୟାନ୍ତ ହୋଇପଡିଛନ୍ତି । ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ନିର୍ଦ୍ଦେଶରେ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଘାଗରବେଡା ବନପାଳ ବ୍ରହ୍ମାନନ୍ଦ ବେହେରା, ବନରକ୍ଷୀ, ସବୁଜବାହିନୀ, ସ୍ୱତନ୍ତ୍ର ହାତୀ ଘଉଡାଇବା ଦଳ ଓ ଗ୍ରାମବାସୀ ପ୍ରତ୍ୟେହ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ହାତୀ ଘଉଡାଇବା କାର୍ଯ୍ୟରେ ଲିପ୍ତ ଥିବା ଜଣାଯାଇଛି । ଅଦ୍ୟାବଧି ପ୍ରାୟ ୫୦ କ୍ଷତିଗ୍ରସ୍ତ ଚାଷୀ କ୍ଷୟକ୍ଷତି ସମ୍ପର୍କୀତ୍ବ କ୍ଷତିପୂରଣ ପାଇଁ ବିଭାଗକୁ ଜଣାଇଛନ୍ତି ।


