କରଞ୍ଜିଆ ରେଞ୍ଜକୁ ବାହୁଡିଲେ ହାତୀପଲ : ଭାଙ୍ଗିଲେ ଘର, ଖାଇଲେ ଧାନ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ପୁଣି ବାହୁଡ଼ିଲେ ୨୬ ଟିକିଆ ହାତୀପଲ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ପଲ ପଶି ଲୋକଙ୍କ ଧାନ ଓ ପରିବା ଫସଲ ବ୍ୟାପକ ନଷ୍ଟ କରିବା ସହ ଘର ଭାଙ୍ଗି ଦେଇଥିବା ନେଇ ସୂଚନା ମିଳିଛି।କେନ୍ଦୁଝର ଜିଲ୍ଲା ସାହାରପଡା ଦେଇ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ପଶି ଆସିଥିବା ଏହି ୨୬ ଟିକିଆ ହାତୀ ପଲ ୪ ଦିନ ମଧ୍ୟରେ ଲୋକଙ୍କ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀ ଧନ ଫସଲ କାଟି ଅମଳ କରିପାରିନ ଥିବା ବେଳେ ହାତୀ ପଲଙ୍କ ଦ୍ୱାରା ଫସଲ ନଷ୍ଟ ହେଉ ଥିବାରୁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ହାତୀ ପଲ ଏହି ରେଞ୍ଜ ଅନ୍ତର୍ଗତ ଅନ୍ଧାରିଖମଣ, ଆମ୍ବବେଡା, ବୋରିଂ, ବଗବସା, ପଡ଼ିଆବେଡା, ଗୌରୀଗଦା,ବାଲିପୋଷୀ ଦେଇ ରବିବାର ରାତିରେ ଟିକରପଡ଼ା ଗ୍ରାମ ନିକଟ ତାଳପଦା ଓ ଟିକରପଡ଼ା ମଧ୍ୟରେ ଥିବା ଜଙ୍ଗଲ ଭିତରେ ପ୍ରବେଶ କରିଛନ୍ତି । ହାତୀ ପଲଙ୍କୁ ଘଉଡ଼ାଇବାକୁ ବନବିଭାଗ ଓ ଗ୍ରାମବାସୀ ଉଦ୍ୟମ ଜାରି ରଖିଛନ୍ତି । ହାତୀ ପଲକୁ ଘଉଡାଇଲେ ମଧ୍ୟ ସେମାନେ ଗୋଟିଏ ଗ୍ରାମରୁ ଆଉ ଗୋଟିଏ ଗ୍ରାମ ଆଡକୁ ଯାଉଛନ୍ତି । ରାସ୍ତାରେ ଧାନ ବିଲରେ ଥିବା ପାଚିଲା ଧାନ ଖାଇବା ସହ ମାଡି ଦେଇ ଧାନ ଗଛକୁ ନଷ୍ଟ କରିଦେଇଛନ୍ତି । ସୋମବାର ରାତିରେ ହାତୀ ପଲ ଗୌରୀଗଦା ଗ୍ରାମର ଗୋଟିଏ ଘର ଭାଙ୍ଗି ୨ କୁଇଣ୍ଟାଲ ଧାନ, ୫୦ କେଜି ଚାଉଳ ଖାଇବା ସହ ଘର ବାଡ଼ିରେ ଲଗାଇଥିବା ପନିପରିବା ଗଛକୁ ନଷ୍ଟ କରିଦେଇଛନ୍ତି । ସେହିପରି ଟିକରପଡ଼ା ଗ୍ରାମରେ ମଧ୍ୟ ଗୋଟିଏ ଘରକୁ ହାତୀ ଭାଙ୍ଗି ଦେଇଛନ୍ତି । ବନବିଭାଗ ହାତୀମାନଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ।