କରମଣ୍ଡଳ ଇଣ୍ଟରନ୍ୟାସନାଲ ପକ୍ଷରୁ ଚାଷୀ ସମ୍ବର୍ଦ୍ଧନା ପର୍ବ
ବାଲେଶ୍ୱର, (ସରୋଜ ପଣ୍ଡା):କରମଣ୍ଡଳ ଇଣ୍ଟନ୍ୟାସନାଲ ଫର୍ଟିଲାଇଜର କମ୍ପାନୀ ଆଞ୍ଚଳିକ କ୍ଷେତ୍ର ପକ୍ଷରୁ ‘ଗ୍ରୋମର ଖରିଫ ଧମାକା’ କାର୍ଯ୍ୟକ୍ରମ ଓ ଚାଷୀ ସମ୍ବର୍ଦ୍ଧନା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । କମ୍ପାନୀର ପୂର୍ବତନ ଆଞ୍ଚଳିକ ମୁଖ୍ୟ ମନୋଜ ଚୌଧୁରୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାଷୀ ଓ ଚାଷର ଉନ୍ନତି ପାଇଁ ଗ୍ରୋମର ସାର ଚାଷୀଙ୍କ ସାଥୀ ହୋଇଆସିଛି ବୋଲି କହିଥିଲେ । ୧୯୬୪ ମସିହାରୁ ଦେଶର ସାର ଉତ୍ପାଦନ ଆରମ୍ଭ କରିଥିବା ଏହି କମ୍ପାନୀ ଗୁଣବତ୍ତା ସହ କେବେ ସାଲିସ କରି ନାହିଁ । ଦେଶର ପ୍ରଥମ ଅଣୁସାର ଓ ଜୈବିକ ସାର ଉତ୍ପାଦନରେ କରମଣ୍ଡଳ ଇଣ୍ଟରନ୍ୟାସନାଲ ଫର୍ଟିଲାଇଜର ଚାଷୀଙ୍କର ବିଶ୍ୱାସ ଓ ଭରସା ଜିତିଛି । ଆଗାମୀ ଦିନରେ ବି ଏହି ଧାରା ଜାରି ରହିବ ବୋଲି ଶ୍ରୀ ଚୌଧୁରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । କମ୍ପାନିର ଉତ୍ତର ଓଡ଼ିଶା ଜୋନ ତଥା ଦେଶର ପୂର୍ବ ବିଭାଗ ମୁଖ୍ୟ ବିଷ୍ଣୁ ପ୍ରସାଦ ମିଶ୍ର, ବ୍ୟବସାୟିକ ପ୍ରବନ୍ଧକ ସୂତାନୁ ଶଙ୍ଖ ଘୋଷ, ଜୋନାଲ ପ୍ରବନ୍ଧକ ବଳରାମ ପଟ୍ଟନାୟକ, କ୍ଷେତ୍ର ବିଶେଷଜ୍ଞ ଆଦିତ୍ୟ ପାତ୍ର, ବାଲେଶ୍ୱର ମାର୍କେଟିଂ ଅଫିସର ମନଜିତ ସାହୁ, ଭଦ୍ରକର ସୌଭାଗ୍ୟ ସ୍ୱାଇଁ, ଭୁବନେଶ୍ୱରର ଜ୍ୟୋତିରଂଜନ ଚୌଧୁରୀ ଓ ରାଜ୍ୟ କ୍ଷେତ୍ର ଅଧିକାରୀ ରଞ୍ଜନ ଦାସ ପ୍ରମୁଖ ଏଥିରେ ଯୋଗଦେଇ ଗ୍ରୋମର ସାରର ଗୁଣବତ୍ତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ କମ୍ପାନି ପକ୍ଷରୁ ଡ୍ରୋନ ସାହାଯ୍ୟରେ ସିଞ୍ଚନ ବ୍ୟବସ୍ଥା କରାଯିବା ନେଇ ପ୍ରସ୍ତୁତି ଚାଲିଛି ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ ।ଏହି ଅବସରରେ ଉତ୍ତର ଓଡ଼ିଶାର ଶ୍ରେଷ୍ଠ ଚାଷୀ ଓ ଡିଲରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଅଧିକ ସାର ବ୍ୟବହାରକାରୀ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଦୁଇ ଚାଷୀଙ୍କୁ ଟିଭିଏସ ବାଇକ ପ୍ରଦାନ କରାଯାଇଥିଲା ।