କରାତଳିରେ ଆମ ପୁଲିସ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ପଞ୍ଚାୟତ ଗୁଡିକରେ ଅବାଧ, ନିରେପକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା କରିବା ପାଇଁ ଏବେଠୁ ହିଁ ପୁଲିସର ଉଦ୍ୟମ ଆରମ୍ଭ ହୋଇଛି । ଛତ୍ରପୁର ଥାନା ପୁଲିସ ପକ୍ଷରୁ ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତ ଗୁଡିକରେ ଜନସାଧାରଣଙ୍କୁ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି କ୍ରମରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମର ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ଆମ ପୁଲିସ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିପୁଳିଙ୍ଗି ସରପଞ୍ଚ ନରସିଂହ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଞ୍ଚାୟତବାସୀଙ୍କୁ ବିଭିନ୍ନ ବିଷୟରେ ସଚେତନତା କରାଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ପଞ୍ଚାୟତରେ ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିବେ ବୋଲି ଅନୁମାନ କରୁଛନ୍ତି ତେବେ ସେମାନଙ୍କ ବିଷୟରେ ପୁଲିସକୁ ସୂଚନା ଦେବା ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅସମାଜିକ କାର୍ଯ୍ୟରେ ଜଡିତ ରହୁଥିବା ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ସୂଚନା ଦେବା ପାଇଁ କୁହାଯାଇଛି । ଏହା ସହ ମହିଳା ମାନଙ୍କ ସୁରକ୍ଷା, କରୋନା ନିୟମ ମାନିବା ପାଇଁ ଥାନାଧିକାରୀ ଗ୍ରାମବାସୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ସମୟରେ ପଞ୍ଚାୟତବାସୀ ପୁଲିସ ସହ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବେ ତେବେ ପୁଲିସ ଉଚିତ୍ ସମୟରେ ସହଯୋଗ କରି ପାରିବ । ମହିଳା, ଶିଶୁ ଏବଂ ବୃଦ୍ଧବୃଦ୍ଧାମାନଙ୍କ ସୁରକ୍ଷା ଦେବା ଲାଗି ପୁଲିସ ଦିନରାତି କାମ କରୁଛି । ଏଥିପାଇଁ ଥାନାରେ ସ୍ୱତନ୍ତ୍ର କକ୍ଷ ରହିଛି । ପଞ୍ଚାୟତବାସୀ ପୁଲିସର ସେବା କିଭଳି ସଠିକ୍ ସମୟରେ ପାଇପାରିବେ ତାହାକୁ ନେଇ ସଚେତନତା ହେବାକୁ ଥାନା ଅଧିକାରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିପୁଳିଙ୍ଗି ସମିତିସଭ୍ୟ ଜୟଦେବ ଲେଙ୍କା, ଗ୍ରାମର ଭଦ୍ର ବ୍ୟକ୍ତି ସେନାପତି ନାହାକ, ଜି. ରଘୁନାଥ ରେଡ୍ଡିଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।


