କରୋନାରେ ମୁମ୍ବାଇକୁ ଟପିଲା ଦିଲ୍ଲୀ

ନୂଆଦିଲ୍ଳୀ: କରୋନା ଯୋଗୁ ଏବେ ଦେଶରେ ସର୍ବାଧିକ ପ୍ରଭାବିତ ସହର ହେଉଛି ଦିଲ୍ଲୀ। କରୋନା ସଂକ୍ରମଣ ମାମଲାରେ ଜାତୀୟ ରାଜଧାନୀ ଦିଲ୍ଲୀ ମୁମ୍ବାଇକୁ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩,୭୮୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ଏଥିସହ ମୋଟ୍‌ ସଂକ୍ରମଣ ମାମଲା ଦିଲ୍ଲୀରେ ୭୦ ହଜାର ୩୯୦ ପହଞ୍ଚିଛି। ଦିଲ୍ଲୀରେ ମୃତ୍ୟୁସଂଖ୍ୟା ୨,୩୬୫ରେ ପହଞ୍ଚିଛି ଏବଂ ମୁମ୍ବାଇରେ ମୃତ୍ୟୁସଂଖ୍ୟା ୩,୯୬୪ ରହିଛି। ମୁମ୍ବାଇ ତୁଳନାରେ ଦିଲ୍ଲୀରେ ମୃତ୍ୟୁସଂଖ୍ୟା ଅପେକ୍ଷାକୃତ କମ୍‌ ରହିଛି। ମାର୍ଚ୍ଚ ୨ ଏବଂ ୧୧ରେ ଯଥାକ୍ରମେ ଦିଲ୍ଲୀ ଏବଂ ମୁମ୍ବାଇରେ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ତେବେ ମାର୍ଚ୍ଚ ୩୧ ବେଳକୁ ମୁମ୍ବାଇରେ ସଂକ୍ରମଣ ମାମଲା ୧୫୧‌ରେ ପହଞ୍ଚିଥିବାବେଳେ ଦିଲ୍ଲୀରେ ଏହା ୯୭ ଥିଲା। ତେବେ ପରବର୍ତ୍ତୀ ୨ ମାସ ମଧ୍ୟ‌ରେ ମୁମ୍ବାଇରେ ସଂକ୍ରମଣ ହଠାତ୍‌ ବଢ଼ି ଯାଇଥିଲା। ମେ’ ୩୧ ସୁଦ୍ଧା ମୁମ୍ବାଇରେ ସଂକ୍ରମଣ ମାମଲା ୩୯ ହଜାର ୬୮୬ରେ ପହଞ୍ଚିଥିଲା। ମେ’ ୨୨ ତାରିଖରେ ଆର୍ଥିକ ରାଜଧାନୀ ମୁମ୍ବାଇରେ ସର୍ବାଧିକ ୧୭୫୧ ମାମଲା ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷେ ଦିଲ୍ଲୀରେ ମେ’ ଶେଷ ବେଳକୁ ସଂକ୍ରମଣ ମାମଲା ୧୯ ହଜାର ୮୪୪ରେ ପହଞ୍ଚିଥିଲା। ଏହାପରେ ପରବର୍ତ୍ତୀ ୨୪ ଦିନ ମୁମ୍ବାଇରେ ଦୈନିକ ସଂକ୍ରମଣ ମାମଲା ପ୍ରାୟ ସ୍ଥିର ରହିଲା । କିନ୍ତୁ ଦିଲ୍ଲୀରେ ସଂକ୍ରମଣ ବଢ଼ି ବଢ଼ି ଚାଲିଲା। ଜୁନ୍‌ ୨୩ ତାରିଖରେ ଦିଲ୍ଳୀରେ ଦିନକରେ ୩ ହଜାର ୯୪୭ ନୂଆ ମାମଲା ଚିହ୍ନଟ ହୋଇଥିଲା। ବିଶେଷଜ୍ଞମାନେ କହୁଛନ୍ତି ଯେ, ଟେଷ୍ଟିଂ ବଢ଼ିବାରୁ ଦିଲ୍ଲୀରେ ସଂକ୍ରମଣ ମାମଲା ହଠାତ୍‌ ବଢ଼ିଗଲା। ୨ ସପ୍ତାହ ପୂର୍ବେ ଦିଲ୍ଲୀରେ ଦୈନିକ ୫ ହଜାର ଟେଷ୍ଟ୍‌ କରାଯାଉଥିଲା। କିନ୍ତୁ ଏବେ ଏହା ୧୯ ହଜାରକୁ ବୃଦ୍ଧି ପାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସବୁ ସମୟରେ ବାହାରକୁ ଗଲେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଡ. କେ ଶ୍ରୀନାଥ ରେଡ୍ଡି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ