କରୋନା ଭାଇରସ୍କୁ ‘କୁଙ୍ଗ୍ ଫ୍ଲୁ’ କହିଲେ ଟ୍ରମ୍ପ୍
ୱାସିଂଟନ୍: କୋଭିଡ୍-୧୯ ହେଉଛି ଗୋଟାଏ ରୋଗ ଏବଂ ଇତିହାସରେ ଯେକୌଣସି ରୋଗ ଅପେକ୍ଷା ଏହାର ଅଧିକ ନାମ ଅଛି। ମୁଁ ଏହାକୁ ‘କୁଙ୍ଗ୍-ଫ୍ଲୁ’ କହିପାରିବି। ମୁଁ ଏହାର ଭିନ୍ନ ଭିନ୍ନ ୧୯ଟି ନାଁ ଦେଇପାରିବି। ଭୂତାଣୁ ହୋଇଥିବାରୁ ଅନେକେ ଏହାକୁ ‘ଭୂତାଣୁ’ କହୁଛନ୍ତି। ଅନେକେ ଏହାକୁ ଫ୍ଲୁ କହୁଛନ୍ତି। ହେଲେ ଫରକ କ’ଣ? ମୋର ମନେହୁଏ ଆମେ ଏହାର ୧୯/୨୦ଟା ନାଁ ଦେଇଛୁ ବୋଲି ଶନିବାର ଦିନ ଓକ୍ଲାହୋମା ଅନ୍ତର୍ଗତ ଟୁଲ୍ସା ଠାରେ ତାଙ୍କର ପ୍ରଥମ ନିର୍ବାଚନ ପ୍ରଚାର ରାଲିରେ ଉଦ୍ବୋଧନ ଦେଇ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି। ଶନିବାର ଦିନ କରୋନା ଭାଇରସ୍କୁ ‘କୁଙ୍ଗ୍ ଫ୍ଲୁ’ କହି ବିଶ୍ବରେ ଏହାର ବିସ୍ତାର ପାଇଁ ପୁଣି ଚୀନ୍ ଉପରେ ଦୋଷାରୋପ କରିଛନ୍ତି ଟ୍ରମ୍ପ। କରୋନା ଭାଇରସ୍ ସମଗ୍ର ବିଶ୍ବରେ ପ୍ରାୟ ୪୫୦, ୦୦୦ ଲୋକଙ୍କର ମୃତ୍ୟୁର କାରଣ ହୋଇଥିବା ବେଳେ ଆହୁରି ୮. ୫ ନିୟୁତରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ଗତବର୍ଗ ଡିସେମ୍ବର ମାସରେ କେନ୍ଦ୍ରୀ ଚୀନ୍ ସହର ଊହାନ୍ ଉତ୍ପତ୍ତି ହୋଇଥିବା କରୋନାଭାଇରସ୍ ମହାମାରୀ ନିମନ୍ତେ ଟ୍ରମ୍ପ୍ ଥରକୁ ଥର ଚୀନ୍କୁ ଦାୟୀ କରିଆସୁଛନ୍ତି। ଚୀନ୍ ଦୋଷ ଦେଇ ଟ୍ରମ୍ପ୍ କହୁଛନ୍ତି ଯେ, ବେଜିଙ୍ଗ୍ କରୋନାଭାଇରସ୍ ସଂକ୍ରମଣର ସବିଶେଷ ତଥ୍ୟ ଚାପି ରଖିଲା। ପୂର୍ବରୁ ଉତ୍ପତ୍ତିସ୍ଥଳକୁ ଆଧାର କରି ଟ୍ରମ୍ପ୍ ପ୍ରଶାସନର ଅଧିକାରୀମାନେ କରୋନାଭାଇରସ୍କୁ ‘ଊହାନ୍ ଭାଇରସ୍’ ନାଁରେ ଡାକୁଥିଲେ। ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ‘କୁଙ୍ଗ୍ ଫୁ’ ହେଉଛି ଚୀନ୍ର ଏକ ଜାତୀୟ ‘ମାର୍ସାଲ୍ ଆର୍ଟ’ ବା ଆତ୍ମରକ୍ଷା ନିମିତ୍ତ ଯୁଦ୍ଧ ବିଦ୍ୟା। ଏଥିରେ ଲୋକେ ଖାଲି ହାତ ଓ ପାଦରେ ଲଢ଼େଇ କରନ୍ତି। କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ଦେଶମାନଙ୍କ ମଧ୍ୟରେ ଆମେରିକା ସବୁଠୁ ପ୍ରଭାବିତ ଦେଶ। ଏଠାରେ ୨. ୨ ନିୟୁତ ଲୋକ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି ଓ ୧, ୧୯୦୦୦ ଜଣଙ୍କର ମୃତ୍ୟୁ ଘଟିଲାଣି।