କରୋନା ଭୟ : ଏଥର ହୋଲି ପାଳିବେନି ମୋଦି
ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍ର ମାମଲା ସାମ୍ନାକୁ ଆସିବା ପରେ ସତର୍କତା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଦିନ ପ୍ରଧାନମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ଚଳିତ ହୋଲି ମିଳନ ସମାରୋହରେ ସାମିଲ୍ ହେବେ ନାହିଁ। କରେନା ଭାଇରସ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରିଛନ୍ତି । ‘ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ବହୁ ଲୋକ ଏକତ୍ରିତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ମୋଦି। ଭିଡ ଜରିଆରେ ଏହି ଭାଇରସ୍ ବ୍ୟାପିବାର ପ୍ରବଳ ଆଶଙ୍କା ଥାଏ। କରୋନା ଭାଇରସ୍ରେ ଆତଙ୍କରେ ଚୀନ୍ ସମେତ ୧୮ଟି ଦେଶରେ ସ୍ବାସ୍ଥ୍ୟ ସଂକଟ ବଢି ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ହୋଲି ମିଳନ ସମାରୋହରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ପ୍ରତ୍ୟେକ ବର୍ଷ ହୋଲି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଲି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥା’ନ୍ତି। ଏହି ଅବସରରେ ସାଧାରଣ ଲୋକଙ୍କ ସହିତ ଦଳର କାର୍ଯ୍ୟକର୍ତ୍ତା ଓ ମିଡିଆ କର୍ମୀଙ୍କ ସହ ସାକ୍ଷାତ କରିଥା’ନ୍ତି। ବିଗତ କିଛି ବର୍ଷ ଧରି ଏହି କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ହେଇ ଆସୁଛି। ଭାରତରେ କରୋନା ସମ୍ପର୍କିତ ୧୮ଟି ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଇଟାଲୀର ୧୫ଜଣ ବିଦେଶୀ ପର୍ଯ୍ୟଟକ ସାମିଲ୍ ରହିଛନ୍ତି। କରୋନାକୁ ନେଇ ସରକାର ସତର୍କତା ଜାରି କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଶି କରୋନାକୁ ରୋକିବାରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାବଧାନତା ତଥା ସତର୍କ ରହିବାକୁ ଉଭୟ ସରକାର ପରାମର୍ଶ ଦେଉଛନ୍ତି। ହାତକୁ ଭଲ ଭାବରେ ଧୋଇବା ସହିତ ପରିଷ୍କାର ପରିଚ୍ଛନ୍ନ ଉପରେ ଧ୍ୟାନ ଦେବାକୁ କୁହାଯାଇଛି।