କରୋନାକୁ ମାତ ଦେଲା ସ୍ଲୋଭେନିଆ

ବର୍ଲିନ: ୧୬ କରୋନା ମହାମାରୀ ପାଇଁ ସବୁଠୁ କ୍ଷତିଗ୍ରସ୍ତ ମହାଦେଶ ହେଉଛି ୟୁରୋପ । ୧୮ ଲକ୍ଷରୁ ଅଧିକ ଲୋକ ୟୁରୋପରେ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ପ୍ରାୟ ୧ ଲକ୍ଷ ୬୦ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି । ଏଭଳି ସ୍ଥିତିରେ ୟୁରୋପୀୟ ରାଷ୍ଟ୍ର ସ୍ଲୋଭେନିଆ ଏବେ କରୋନା ଭାଇରସର ଦେଶର ପରିସମାପ୍ତି ଘଟିଥିବା ଘୋଷଣା କରିଛି । ପ୍ରଥମ ୟୁରୋପ ରାଷ୍ଟ୍ର ଭାବେ ସ୍ଲୋଭେନିଆ ଏହି ଘୋଷଣା କରିଛି । ଏବେ ଅନ୍ୟ ୟୁରୋପୀୟ ରାଷ୍ଟ୍ରରୁ ଆସୁଥିବା ଲୋକମାନଙ୍କୁ ସ୍ଲୋଭେନିଆରେ ଅଧିକ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବନି ବୋଲି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି । ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସ୍ଲୋଭେନିଆରେ ମୋଟ ୧୬୬୪ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ୧୦୩ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ପକ୍ଷରେ ବିଶ୍ୱର ସବୁଠରାରୁ କ୍ଷତିଗ୍ରସ୍ତ ଆମେରିକାରେ ଗତ ୨୪ ଘଣ୍ଟାରେ ପୁଣି ୧୬୮୦ ଜଣଙ୍କ ମୃତ୍ୟୁ ହୋଇଛି ଓ ମୃତ୍ୟୁ ସଂଖ୍ୟା ୮୯ ହଜାରରେ ପହଞ୍ଚିଛି । ରୁଷରେ ପୁଣି ୯,୨୦୦ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଯାଇଛି ।
ବିଶ୍ୱରେ ଦ୍ୱିତୀୟ ପ୍ରଭାବିତ ଏବଂ ୟୁରୋପରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ସ୍ପେନରେ ଏବେ ଧୀରେ ଧୀରେ ସ୍ଥିତି ସୁଧୁରୁଛି । ସ୍ପେନ ଏହାର ୭୦ ପ୍ରତିଶତ ଜନସଂଖ୍ୟାଙ୍କ ପାଇଁ କଟକଣା କୋହଳ କରିଛି । ପ୍ରଥମ ପର୍ଯ୍ୟାୟରେ ୭୦ ପ୍ରତିଶତ ଲୋକଙ୍କ ପାଇଁ କଟକଣା କୋହଳ କରାଯାଇଛି କିନ୍ତୁ ଅନ୍ୟ ୩୦ ପ୍ରତିଶତ ଜନସଂଖ୍ୟା ମାଦ୍ରିଦ ଓ ବାର୍ସେଲୋନାର । ଅନ୍ୟ ପକ୍ଷେ ସିଓଲ ନାଇଟକ୍ଲବ ସଂକ୍ରମଣ ବଢ଼ିଚାଲିଛି । ସିଓଲ ନାଇଟକ୍ଲବ ସହ ଜଡ଼ିତ ମୋଟ ୧୬୨ଟି ମାମଲା ଚିହ୍ନଟ ହୋଇଛି । ଦକ୍ଷିଣ କୋରିଆରେ ଏବେ ପୁଣି ନୂଆ ମାମଲା ବଢ଼ୁଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହୋଇଥିବା ନେଇ ଭୟ ବଢ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ