କରୋନାରେ ଆଉ ୨ ମୃତ
ରାଉରକେଲା: ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ଦୁଇ ମୃତକଙ୍କୁ ମିଶାଇ ରାଜ୍ୟରେ ମହାମାରୀ କରୋନା ୩୬ ଜଣଙ୍କ ଜୀବନ ନେଇଥିବା ଜଣାପଡିଛି। ରବିବାର ମୃତ୍ୟୁ ବରଣ କରିଥିବା ଦୁଇ ମୃତକଙ୍କ ମଧ୍ୟରେ ଜଣେ ଗଜପତି ଜିଲାରୁ ଏବଂ ଅନ୍ୟଜଣେ ସୁନ୍ଦରଗଡ ଜିଲାର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ଗଜପତି ଜିଲାରୁ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ବୟସ ୪୦ ବର୍ଷ ହୋଇଥିବା ବେଳେ ସେ ମଧୁମେହରେ ପୀଡ଼ିତ ଥିଲେ। ସେହିପରି ସୁନ୍ଦରଗଡ ଜିଲାରୁ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତ ଜଣଙ୍କ ୪୬ ବର୍ଷୀୟ ପୁରୁଷ ହୋଇଥିବା ବେଳେ ସେ ମଧ୍ୟ ମଧୁମେହରେ ପୀଡିତ ଥିଲେ । ସେହିପରି ରାଜ୍ୟରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତଙ୍କ ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣଙ୍କ ବାଲେଶ୍ବରର ୪୫ ବର୍ଷୀୟା ମହିଳା ହୋଇଥିବା ବେଳେ ସେ ଫୁସଫୁସ୍ ଜନିତ ରୋଗରେ ପ୍ରାଣ ହରାଇ ଥିବା ଜଣାପଡିଛି।