କରୋନାରେ ଏମିତି ହେଲା ବିବାହ
ସମ୍ବଲପୁର: କରୋନା ଲକଡାଉନରେ ବିବାହ ପାଇଁ ପୁଅ ଘରକୁ ଗଲେ ସମ୍ବଲପୁର ସହର ମୁଦିପଡ଼ାର ପୂଜା ଠାକୁର । ଭିଡିଓ କଲରେ ଝିଅ ବାହାଘର ଦେଖିଲେ ମା ସୁକନ୍ୟା ଦେବୀଙ୍କ ସମେତ ତାଙ୍କ ପରିବାର । ଏଭଳି ଘଟଣା ସମ୍ବଲପୁରରେ ଆଲୋଡ଼ନ ସୃଷ୍ଟି କରିଛି ।
ଝିଅ ବାହାଘର ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ ମା । ବାପା ନଥିବାରୁ ଝିଅ ବିବାହର ଦାୟିତ୍ୱ ଅଧିକ ଥିଲା ମା ଉପରେ । କିନ୍ତୁ ଲକଡାଉନ ସବୁ କିଛି ଓଲଟପାଲଟି କରି ଦେଇଥିଲା । ବାରମ୍ବାର ଝିଅ ବିବାହକୁ ଘୁଞ୍ଚାଇବା ଅପେକ୍ଷା ଭିନ୍ନ ପରମ୍ପରାରେ ବିବାହ କାର୍ଯ୍ୟ ସମ୍ପନ୍ନ ପାଇଁ ନିଷ୍ପତ୍ତି ନେଇଥିଲେ ଉଭୟ ପରିବାର । ସୂଚନା ଅନୁଯାୟୀ, ମୁଦିପଡ଼ାର ସୁକନ୍ୟା ଦେବୀଙ୍କ ଝିଅ ପୂଜା ଠାକୁରଙ୍କ ବିବାହ ଝାରଖଣ୍ଡ ଜାମସେଦପୁର ବ୍ୟବସାୟୀ ଆକାଶ କୁମାରଙ୍କ ସହିତ ଠିକ ହୋଇଥିଳା । ଏଥିପାଇଁ ଜାନୁଆରୀ ମାସରେ ସେମାନଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ଏପି୍ରଲ ୨୬ ତାରିଖରେ ବିବାହପାଇଁ ତାରିଖ ସ୍ଥିର କରାଯାଇଥିଲା । ଲକଡାଉନ ଯୋଗୁଁ ନିର୍ଦ୍ଧାରିତ ସରେ ବିବାହ ସମ୍ପନ୍ନ ହେବା ସମ୍ଭବ ନଥିଲା । ତେଣୁ ମେ ୮ ତାରିଖରେ ବିବାହକୁ ଘୁଞ୍ଚାଇ ଦିଆଯାଇଥିଲା । ଏଣେ ଲକଡାଉନ ଅବଧି ପୁନର୍ବାର ବୃଦ୍ଧି କରାଯାଇଥିଲା । ବିଧି ବ୍ୟବସ୍ଥା ମଧ୍ୟରେ ବିବାହ ହୋଇଥିଲେ ବରାତିରେ ଓଡ଼ିଶା ଆସିଥିବା ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିଥାଆନ୍ତା । ଏଣେ ଝିଅର ପରିବାର ଜାମସେଦପୁର ଯାଇ ଫେରିଲେ ତାଙ୍କୁ କରୋନା ସନ୍ଦିଗ୍ଧ ଭାବରେ ବିବେଚନା କରାଯାଇ ଥାଆନ୍ତା । ତେଣୁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଥିଲା । ବିବାହ କରୁଥିବା ଆକାଶ କୁମାର ଏକ କାରରେ ଓଡ଼ିଶା ଝାରଖଣ୍ଡ ସୀମାନ୍ତକୁ ଆସିଲେ । ଏଠୁ ପୂଜା ବିଧି ଦେଶରେ ତାଙ୍କର ସମ୍ପର୍କୀୟ ଭାଉଜଙ୍କ ସହିତ ସେଠାରେ ପହଞ୍ଚିଥିଲେ । ପୂଜା ଆକାଶ ସହିତ କାରରେ ଯାଇ ଜାମସେଦପୁରରେ ପହଞ୍ଚିଥିଲେ । ସେଠାରେ ଆକାଶଙ୍କ ଘରେ ସେମାନଙ୍କ ବିବାହ ହୋଇଥିଲା । ଏହାକୁ ଭିଡିଓ କଲରେ ପୂଜାଙ୍କ ମା, ଭାଇ, ଭାଉଜ ଦେଖିଥିଲେ ।


