କରୋନାରେ ପିତାମାତାଙ୍କୁ ହରାଇ ଅଭାବ ଓ ଅନାଟନରେ ୬ ଭଉଣୀଙ୍କ ଦୁଃଖଦ କାହାଣୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଅଧିନସ୍ଥ ଖାରିସାହି ଗ୍ରାମରେ ମହାମାରୀ କରୋନାରେ ଉଭୟ ବାପା ଓ ମା ତିନି ଦିନର ବ୍ୟବଧାନ ମଧ୍ୟରେ ଚାଲିଗଲେ ଆରପାରିକୁ । ଫଳରେ ବାପାମାଆଙ୍କୁ ହରାଇ ବେଶାହାରା ହୋଇ ଯାଇଛିନ୍ତି ପରିବାରର ୬ ଜଣ ଛୋଟଝିଅ । ପାଠପଢାରେ ବନ୍ଧା ହୋଇଥିଲେ ମଧ୍ୟ ସାନ ୫ଜଣ ଭଉଣୀଙ୍କ ବୋଝ ମୁଣ୍ଡାଇଛନ୍ତି ବଡ ଭଉଣୀ । ବାପା ଆଉ ମାଙ୍କୁ ହରାଇ ଅଭବ ଅନାଟନରେ ବଞ୍ଚିବାର ରାହା ଖୋଜୁଛନ୍ତି ବେଶାହାରା ଏହି ୬ ଭଉଣୀ । ଏଭଳି ହୃଦୟ ବିଦାରକ ଘଟଣା ଟିଏ ଦେଖିବାକୁ ମିଳିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୂଆଗଡ ବ୍ଲକ ଖାରୀସାହି ଗାଁରେ । ଗତବର୍ଷ ବିଶ୍ୱ ମହାମାରୀ କରୋନାରେ ଉର୍ବଙ୍ଗ ଦଳବେହେରାଙ୍କ ମୃତ୍ୟୁର ୩ ଦିନ ବ୍ୟବଧାନରେ ସ୍ତ୍ରୀ ସୁଜନୀ ଦଳବେହେରାଙ୍କ ମୃତ୍ୟୁ ଘଟିଥିଲା । ଯାହାଫଳରେ ପରିବାରର ୬ଜଣ କନ୍ୟା ସନ୍ତାନ ହୋଇ ଗଲେ ବାପା,ମା ଛେଉଣ୍ଡ ପରିବାରର ବଡ ଝିଅ ସରୋଜିନୀ (୧୫), ଉର୍ବନୀ (୧୩) ତ୍ରିବେଣୀ (୧୦) ଅଞ୍ଜଳିତା (୮) ସରିତା (୪) ଏବଂ ସାନ ଝିଅ ନନ୍ଦିତା (୨) ଏମାନଙ୍କର ଦୁଃଖ ନ କହିବା ଭଲ । ଏମାନଙ୍କ ଦୁଃଖଦ ଜୀବନୀକୁ ନା ଦେଖି ହେଉଛି ନା କହି ହେଉଛି । ସୁରକ୍ଷିତ ରହିବା ପାଇଁ ପକ୍କା ଘର ଖଣ୍ଡିଏ ମଧ୍ୟ ନାହିଁ । ଯାହାଫଳରେ ମା ବାପାଙ୍କ ଦ୍ୱାରା ତିଆରି ଭଙ୍ଗା ଦଦରା ଘରେ ରହି ଆସୁଛନ୍ତି । ଏମାନଙ୍କ କେହିବି ସାହାରା ନଥିବାରୁ ବର୍ତ୍ତମାନ ପାଖରେ ବୃଦ୍ଧ ଅଜାଆଇଙ୍କ ଘରେ ଆଶ୍ରୟ ନେଇଛନ୍ତି । ବଡ ଭଉଣୀ ସରୋଜିନୀ ୧୦ମ ଶ୍ରେଣୀରେ ପାଠ ପଡିବା ସହ ସବୁ ଦୁଃଖ କଷ୍ଟକୁ ସହି କୁଲି ମଜୁରୀ ଲାଗି ସାନ ୫ଭଉଣୀଙ୍କ ପେଟକୁ ଦାନା ଜଗାଉଛି । ଦ୍ୱିତୀୟ ଝିଅ ଅର୍ବନୀ ୭ମ ଶ୍ରେଣୀରେ ପାଠ ସହ ସାନଭଉଣୀମାନଙ୍କ ଲାଳନପାଲନ ସମ୍ଭାଳି ନେଉଛନ୍ତି । ସରକାରଙ୍କ ସହାୟତା ଟିକିଏ ପାଇବା ସକାଶେ ଅନେକ ଥର ଆକୁଳ ନିବେଦନ କରିଛନ୍ତି ବାପା, ମା ଛେଉଣ୍ଡ ପିଲାମାନେ । ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ କୌଣସି ସରକାରୀ ସାହାର୍ଯ୍ୟ ପହଞ୍ôଚ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନାଥ ଶିଶୁ ଥଇଥାନ ସକାଶେ ଅନେକ ଯୋଜନା ରହିଥିଲେ ମଧ୍ୟ ଏମାନଙ୍କ ପାଇଁ ସରକାରୀ ସହାୟତା ନ ମିଳିବା ନେଇ ସମ୍ପ୍ୃକ୍ତ ଅଞ୍ଚଳର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଏମାନଙ୍କୁ ସରକାରୀ ସାହାଯ୍ୟ ପାଇଁ ଦାବି ହୋଇଛି ।


