କରୋନା କଟକଣା, ଗ୍ରାମାଂଚଳରେ କାର୍ଯ୍ୟକାରୀ ହେଉନି ସାମାଜିକ ଦୂରତ୍ୱ ରକ୍ଷା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା ଭୁତାଣୁ ସଂକ୍ରମଣ । ଏହାକୁ ରୋକିବା ପାଇଁ କୌଣସି ପ୍ରତିଷେଧକ ଔଷଧ ଆବିଷ୍କୃତ ହୋଇନଥିବା ବେଳେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା ଏହାର ଏକମାତ୍ର ପନ୍ଥା ବୋଲି ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସରକାର ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ନହେଲେ ଘରୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ଜରୁରୀ ପରିସ୍ଥିତିରେ ଘରୁ ବାହାରକୁ ବାହାରିଲେ ମୁହଁରେ ମାସ୍କ ବ୍ୟବହାର ଓ ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସକାଶେ ପ୍ରଶାସନ ପକ୍ଷରୁ ସହରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣଙ୍କୁ ସଚେତନ କରାଯାଉଛି । ବାସ୍ତବ କ୍ଷେତ୍ରରେ ହିଞ୍ଜିଳିକାଟୁ ପୌରାଂଚଳରେ ଜନସାଧାରଣ ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳୁଥିବା ବେଳେ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା କରାଯାଉନଥିବା ଦେଖିବାକୁ ମିଳୁଛି । ଲକଡ଼ାଉନ ଘୋଷଣା କରାଯାଇଥିଲେ ମଧ୍ୟ ଏପରିକି ପ୍ରତ୍ୟେହ ଗ୍ରାମାଂଚଳରେ ସକାଳ ୭ଟାରୁ ମଧ୍ୟାନ୍ନ ୧୨ ଟା ଯାଏଁ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲିବା ସକାଶେ ନିର୍ଦ୍ଦେଶନାମା ରହିଥିଲେ ମଧ୍ୟ ସ୍ଥାନୀୟ ସହର ନିକଟବର୍ତି ବହୁ ଗ୍ରାମାଂଚଳରେ ଦିନତମାମ ଜଳଖିଆ, ପାନ ଓ ଚାହା ଦୋକାନ ଭଳି ବହୁ ଦୋକାନ ବଜାର ଖୋଲା ରହିଥିବାର ଦେଖିବାକୁ ମିଳୁଛି । ଏପରିକି ସଂପୃକ୍ତ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉନଥିବା ଦେଖିବାକୁ ମିଳୁଛି । ଗ୍ରାମାଂଚଳରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ୁନଥିବା ଯୋଗୁଁ ଗ୍ରାମାଂଚଳବାସୀ ଏହାକୁ ମାନୁନଥିବା ଜଣାପଡ଼ିଛି । ମଙ୍ଗଳବାର ସ୍ଥାନୀୟ ବ୍ଳକ ସିକିରି ଗ୍ରାମ ଛକ ନିକଟସ୍ଥ ବହୁ ଦୋକାନ ବଜାର ଦିନ ତମାମ ଖୋଲା ରହିଥିବା ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ଦୋକାନ ନିକଟରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏପରିକି ସେମାନେ ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ଦେଖିବାକୁ ମିଳିଥିଲା । ଏ ଦିଗରେ ପ୍ରଶାସନିକ ଅଧିକାରୀ ଦୃଷ୍ଟି ପ୍ରଦାନ କରିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଦିନକୁ ଦିନ ସ୍ଥାନୀୟ ଅଂଚଳର ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିଲେ ମଧ୍ୟ ଗ୍ରାମାଂଚଳବାସୀଙ୍କ ଏଥିପ୍ରତି ଆଦୌ ଭୟ ନଥିବା ନେଇ ପରିସ୍ଥିତିରୁ ଜଣାପଡ଼ିଛି । ପ୍ରକାଶ ଥାଉକି, ମଙ୍ଗଳବାର ସଂପୃକ୍ତ ଗାଁର ଜୈନିକ ଜନ ପ୍ରତିନିଦିଙ୍କ ସ୍ୱାମୀ କରେନା ସଂକ୍ରମିତ ଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ