କରୋନା କଟକଣା ପାଇଁ ନିଜ ଦୋକାନରେ ତାଲା ଝୁଲୁଥିବା ବେଳେ ମାଗଣାରେ ଘରଘର ବୁଲି ଧରୁଛନ୍ତି ସାପ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା କଟକଣା ଓ ଲକଡାଉନ ଯୋଗୁଁ ଅନେକ ଦୋକାନରେ ତାଲା ଝୁଲୁଛି। ଏଭଳି ପରିସ୍ଥିତିରେ ଦୋକାନ ବଜାର ବନ୍ଦ ରହିଥିବାରୁ ଉକ୍ତ ବ୍ୟବସାୟୀମାନଙ୍କୁ ନିଜର ପରିବାର ପ୍ରତିପୋଷଣ କରିବାରେ ଅନେକ ଅସୁବିଧା ପରିଲକ୍ଷିତ ହେଉଛି। ଏହି କ୍ରମରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରିର ସାଗରଅଞ୍ଚଳରେ ବ୍ୟବସାୟୀଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିଲେ ମଧ୍ୟ ଟଙ୍କା ପ୍ରତି ସେ ମୋହ ନରଖି ଘରଘର ବୁଲି ମାଗଣାରେ ସାପ ଧରୁଛନ୍ତି। ଉକ୍ତ ସାପ ଧରାଳିଙ୍କ ନାମ ଜଗନ୍ନାଥ ବୋଲି ଜଣାପଡ଼ିଛି।ସୂଚନାଯୋଗ୍ୟଯେ , ଉକ୍ତ ସାଗର ଅଞ୍ଚଳରେ କାହା ଘରେ ସାପ ବାହାରିଲେ ସଙ୍ଗେସଙ୍ଗେ ଜଗନ୍ନାଥଙ୍କୁ ଫୋନ କରି ଡକାଇ ଥାଆନ୍ତି। ଫୋନ ପାଇବା ମାତ୍ରେ ବିଳମ୍ବ ନ କରି ଜଗନ୍ନାଥ ଘଟଣାସ୍ଥଳରେ ଯାଇ ପହଞ୍ଚି ଯାଆନ୍ତି। ବିନା ପଇସାରେ ସାପ ଧରିବା ଭଳି ଦୁଃସାହସିକ କାର୍ଯ୍ୟ କରନ୍ତି ଜଗନ୍ନାଥ ।ତେବେ ପେସାରେ ଜଗନ୍ନାଥ ଜଣେ କ୍ଷୁଦ୍ର ବ୍ୟବସାୟୀ ଅଟନ୍ତି। ଏକ ଛୋଟ ପାନ ଦୋକାନଟିଏ କରି ସେ ନିଜ ପରିବାର ଗୁଜରାଣ ମେଣ୍ଟାଇ ଥାଆନ୍ତି। ହେଲେ କରୋନା କଟକଣା ଲକଡାଉନ ଯୋଗୁଁ ନିଜ ଦୋକାନରେ ତାଲା ଝୁଲୁଛି। ଏଭଳି ପରିସ୍ଥିତିରେ ନିଜ ପରିବାର ଚଳେଇବା କଷ୍ଟ ସାଧ୍ୟ ହୋଇଥିବା ବେଳେ ଜଗନ୍ନାଥ ନିଜ ସାପ ଧରିବା କାର୍ଯ୍ୟ ଚାଲୁ ରଖିଛନ୍ତି ।ସାପ ଧରିବା ନିମନ୍ତେ ସେ କୌଣସି ପ୍ରଶିକ୍ଷଣ ନେଇ ନାହାନ୍ତି। ପିଲାବେଳୁ ସାପ ଧରିବା ତାଙ୍କର ଏକ ନିଶା ହୋଇଯାଇଛି। ସେ ଏଯାବତ ହଜାରରୁ ଊର୍ଧ୍ୱ ସାପ ଧରିଲେଣି। ସାପ ଧରିବା ପାଇଁ ତାଙ୍କ ପାଖରେ କୌଣସି ସରଞ୍ଜାମ ବି ନାହିଁ। ଏକ ଛୋଟିଆ ବାଡ଼ି ସାହାର୍ଯ୍ୟ ରେ ଅତି ଚମତ୍କାର ଭାବେ ଯେକୌଣସି ପ୍ରଜାତିର ସାପକୁ ସେ ନିଜ ଆୟତ୍ତକୁ ନେଇ ଆସି ଥାଆନ୍ତି ଏବଂ ସୁରକ୍ଷିତ ଭାବେ ତାହାକୁ ନେଇ ଜଙ୍ଗଲରେ ଛାଡ଼ି ଦେଇ ଥାଆନ୍ତି ଜଗନ୍ନାଥ।ସହରରେ ସେ ସ୍ନେକବୟ ଭାବେ ବେଶ ପରିଚିତ। ଜଗା ସାପ ଧରିବା ନିମନ୍ତେ କୌଣସି ଟଙ୍କା ପଇସା ନିଅନ୍ତି ନାହିଁ। ଲକଡାଉନ ସମୟରେ ମଧ୍ୟ ନିଜର ଏହି ସାମାଜିକ କାର୍ଯ୍ୟକୁ ଜାରି ରଖିଛନ୍ତି। ଗତ ଦୁଇ ଦିନରେ ସହରର ପଦାସାହି ଏବଂ ବନ୍ଧ ଛକରେ ଦୁଇଟି ବିଷଧର ସାପ ଧରି ସେ ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି।