କରୋନା କାଳରେ ଗରିବଙ୍କୁ ସାହା ହୋଇଛି ମନରେଗା କାର୍ଯ୍ୟ
ନିମାପଡା, (ସନ୍ତୋଷ ଦାଶ):ଏବେ କରୋନା ମହାମାରୀ ପାଇଁ ସାରା ଦେଶ ଅସ୍ତବ୍ୟସ୍ତ ହେଉଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଜିଉଁନ୍ତି ଗ୍ରାମର ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କ ପାଇଁ ରାଜ୍ୟ ସରକାରଙ୍କ ମନରେଗା ଯୋଜନା ଏବେ କିନ୍ତୁ ବଞ୍ଚିବାର ନୂଆ ଆଶା ଦେଖାଇଛି l ଏହି ଗ୍ରାମ ର ପ୍ରାୟ ସତୁରି ଟି ପରିବାର ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନିଜ ଗ୍ରାମର ଶ୍ମଶାନ ରାସ୍ତାର ପୁନଃଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି l ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବା ଉକ୍ତ କାର୍ଯ୍ୟକୁ ଆରମ୍ଭ କରି ବେଶ ଖୁସି ହୋଇଯାଇଛନ୍ତି ଗ୍ରାମବାସୀ l ଆଜକୁ ୭ ଦିନ ହେବ ଉକ୍ତ କାର୍ଯ୍ୟ ଚାଲୁଅଛି ଆହୁରି ଆଗକୁ ୧୫ ଦିନ ଚାଲିବ ବୋଲି କହିଛନ୍ତି ଗ୍ରାମସାଥୀ ଦୁଷ୍ମନ୍ତ ବିଶ୍ୱାଳ l ସରକାରଙ୍କ ମନରେଗା ଯୋଜନାରେ ଯେଉଁ କାର୍ଯ୍ୟ ଚାଲୁଛି ତାହା ଦ୍ୱାରା ସ୍ଥାନୀୟ ବ୍ଲକ ପ୍ରଶାସନ ଆମ୍ଭ ମାନଙ୍କୁ ରୋଜଗାରକ୍ଷମ କରାଇଥିବାରୁ ଆମ୍ଭେ ସ୍ଥାନୀୟ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଙ୍କୁ ଧନ୍ୟବାଦ ଦେଉଛୁ ବୋଲି କହିଛନ୍ତି ଗ୍ରାମବାସୀ ପ୍ରମୋଦ ଖଣ୍ଡୁଆଳ, ଅଲେଖ ସ୍ୱାଇଁ ଲଷ୍ମୀପ୍ରିୟା ବିଶ୍ୱାଳ, ଭୋବନି ଦାଶ l ଆଜି ଅସ୍ତରଙ୍ଗ ବିଡ଼ିଓ ଡ଼ଃ ବେବିତା ମଞ୍ଜରୀ ନାୟକ ଏବଂ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ଲେଙ୍କା କାର୍ଯ୍ୟସ୍ଥଳ ରେ ପହଂଚି କାର୍ଯ୍ୟର ତଦାରଖ କରି ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ଗ୍ରାମବାସୀ ମାନଙ୍କୁ ପରାମର୍ଶ ଦେଇଥିଲେ l


