କରୋନା : କେରଳରେ ବର୍ଷେ କଟକଣା
ତିରୁବନନ୍ତପୁରମ : କରୋନା ମାମଲା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ କେରଳରେ ୧ ବର୍ଷ ପର୍ଯ୍ୟନ୍ତ କୋଭିଡ-୧୯ କଟକଟା ବୃଦ୍ଧି କରାଯାଇଛି । ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାର ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ପକ୍ଷରୁ ରବିବାର ଏକ ନୂତନ ମାର୍ଗଦର୍ଶିକା ଜାରି କରାଯାଇ ଏହି ଘୋଷଣା କରାଯାଇଛି । ଏଥିନିମନ୍ତେ ଏକ ନୂଆ ଆଇନ ଅଣାଯାଇଛି । ଯାହାର ନାମ ରହିଛି ‘କେରଳ ଏପିଡେମିକ ଡିଜିଜ କରୋନା ଭାଇରସ ଡିଜିଜ (କୋଭିଡ-୧୯) ଆଡିସିନାଲ ରେଗୁଲେସନ ୨୦୨୦’ । ଏହି ଆଇନ ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୨୧ ଜୁଲାଇ ମାସ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ରାଜ୍ୟବାସୀ କଟକଣା ନ ମାନିଲେ ଏହି ଆଇନ ଅଧୀନରେ ସେମାନଙ୍କୁ ଦଣ୍ଡିତ କରାଯିବ । ସର୍ବସାଧାରଣ ସ୍ଥାନରେ ଓ ଯାନବାହାନରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା (ଜଣକ ଠାରୁ ଅନ୍ୟ ଜଣଙ୍କୁ ୬ ଫୁଟ ଦୂରତା) ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ବିବାହ କାର୍ଯ୍ୟରେ ୫୦ ଓ ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି ଦିଆଯିବା, ସାର୍ବଜନୀନ ସ୍ଥାନ, ରାସ୍ତାଘାଟ ଓ ଫୁଟପାଥରେ ଛେପ ନ ଫିଙ୍ଗିବା ଭଳି କଟକଣା ଲାଗୁ କରାଯାଇଛି । ସେହିଭଳି ସ୍ଥାନୀୟ ପ୍ରଶାସନର ବିନା ଅନୁମତିରେ ସଭା, ସମାବେଶ, ଧାରଣା, ଆନ୍ଦୋଳନ, ଶୋଭାଯାତ୍ରା କରାଯାଇପାରିବ ନାହିଁ । କୌଣସି ବ୍ୟବସାୟିକ ପ୍ରତିଷ୍ଠାନରେ ୨୦ ରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ । ଏଥି ସହ ଅନ୍ୟ କୌଣସି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ କିମ୍ବା ଅନ୍ୟ ଦେଶରୁ କେରଳ ଆସୁଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୋଦିତ ‘କୋଭିଡ-୧୯ ଜାଗ୍ରତ ଇ-ପ୍ଲାଟଫର୍ମ’ ର ପଞ୍ଜିକରଣ କରିବା ବାଧ୍ୟତାମୂଳକ କରାଯାଇଛି । କେରଳରୁ ଅନ୍ୟ ରାଜ୍ୟକୁ ଓ ଅନ୍ୟ ରାଜ୍ୟରୁ କେରଳକୁ ମାଲ ପରିବହନ ସେବା ମଧ୍ୟ ବନ୍ଦ କରିଦିଆଯାଇଛି ।


