କରୋନା, ଡ୍ରାଇଭିଂ ଲାଇସେନ୍ସ ଦେବା ବାତିଲ ବିଦେଶ ଫେରନ୍ତା ସହଯୋଗ କଲେ ୧୫ ହଜାର
ଛତ୍ରପୁର, 17/3: କରୋନା ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ଦେବା ବାତିଲ କରାଯାଇଛି । ପରିବହନ କାର୍ଯ୍ୟାଳୟରେ ଅତ୍ୟଧିକ ଭିଡ ହେଉଥିବାରୁ ସମ୍ଭାବ୍ୟ କରୋନା ସଂକ୍ରମଣ ଆଶଙ୍କା କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଲାଇସେନ୍ସ ପ୍ରଦାନ ମାର୍ଚ୍ଚ ୧୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଗଞ୍ଜାମ ଜିଲ୍ଲା ବାସିନ୍ଦା ଯେଉଁମାନେ ବିଦେଶରୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ସେମାନେ ସ୍ବତଃ ଘୋଷଣାନାମା ପ୍ରଦାନ କରି ୧୪ ଦିନ ପର୍ଯ୍ୟନ୍ତ ଘରେ ନିଃସଙ୍ଗ ବାତାବରଣରେ ରହିଲେ ସେମାନଙ୍କର କରୋନା ପରୀକ୍ଷଣ କରାଯାଇ ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଜିଲ୍ଲାପାଳ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିଛନ୍ତି । ବିସ୍ତୃତ ବିବରଣୀ ପାଇଁ ଟେଲିଫୋନ୍ ନମ୍ବର ୧୦୪ ରେ ଯୋଗାଯୋଗ କରିବାକୁ କୁହାଯାଇଛି କରୋନା ବାବଦରେ ସବିଶେଷ ବିବରଣୀ ଜାଣିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାର୍ଚ୍ଚ ୧୭ ତାରିଖ ଠାରୁ ଅହୋରାତ୍ର ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି । ଆବଶ୍ୟକ ସ୍ଥଳେ ଟେଲିଫୋନ୍ ନମ୍ବର ୦୬୮୧୧-୨୬୩୯୭୮ ରେ ଯୋଗାଯୋଗ କରିପାରିବେ । କରୋନାକୁ ଦୃଢତାର ସହ ମୁକାବିଲା କରିବାପାଇଁ ଭିଡରୁ ଦୂରେଇ ରହିବା ଏବଂ ଯେତେ ଦୂର ସମ୍ଭବ ଜନ ସାଧାରଣ ପ୍ରାୟତଃ ଘରେ ରହିବାପାଇଁ ଜିଲ୍ଲାପାଳ ପୁନର୍ବାର ନିବେଦନ କରିଛନ୍ତି ।