କରୋନା ନେଇ ଗଜପତି ଜିଲା ପ୍ରଶାସନର ତତ୍ପରତା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ସାରା ବିଶ୍ୱରେ କରୋନା ଆତଙ୍କ ଦେଖାଦେଇଛି । ଏଥିନେଇ ଓଡିଶା ଶରକାରଙ୍କ ନିର୍ଦ୍ଦେଶ ଅନୁଯାଇ ଗଜପତି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଗଜପତି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ,ସିନେମା ହଲ ଆଜିଠାରୁ ବନ୍ଦ ହୋଇଛି । ଗଜପତି ଜିଲାପାଳଙ୍କ ସମ୍ମିଳନୀ ଗୃହ ଠାରେ କରୋନା ଭାଇରସକୁ ନେଇ “କୋଭିଡ୍-୧୯” ବିଷୟରେ ତଥ୍ୟ ଉପସ୍ଥାପନ କରିବାପାଇଁ ଗତ କାଲି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲାପାଳ ଅନୁପମ ସାହା ଯୋଗଦେଇ ବର୍ତ୍ତମାନ ବ୍ୟାପୀଥିବା କରୋନା ଭାଇରସ ପାଇଁ ରାଜ୍ୟ ସରକାର ବର୍ତ୍ତମାନ ତାକୁ ରାଜ୍ୟର ଏକ ବିପର୍ଯ୍ୟୟ ବୋଲି ଘୋଷଣା କରିବା ସହ ଏଥିପାଇଁ “କୋଭିଡ୍-୧୯” ଯେଉଁ ନିୟମାବଳୀ ପ୍ରସ୍ତୁତ କରିଛନ୍ତି ତଦନୁଯାଇ ସମସ୍ତେ କାର୍ଯ୍ୟ କରିବାପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମ ଅନୁସାରେ ସମସ୍ତ ଶିକ୍ଷାନୁଷ୍ଠାନ ଆସନ୍ତା ୩୧.୦୩.୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିବ । କେବଳ ପରୀକ୍ଷା ଥିଲେ ତାହା ସେହି ଦିନମାନଙ୍କରେହିଁ ହେବ । ସେହିପରି ଜନସଂଖ୍ୟା ସମାଗମ କାର୍ଯ୍ୟକ୍ରମକୁ ବନ୍ଦ ରଖାଯିବ ଯେପରିକି ସେମିନାର ଏବଂ ଅନ୍ୟାନ୍ୟ ଜନ ସମାଗମ କାର୍ଯ୍ୟକ୍ର ବନ୍ଦ ରଖାଯିବ । ବିଭିନ୍ନ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ, ବିବାହ ଭୋଜି ଇତ୍ୟାଦି ସରକାରୀ ସ୍ୱିକୃତ ନିୟମ ମୁତାବକ ପାଳିତ ହେବ । ସିନେମା ହଲ, ସନ୍ତରଣ ଗୃହ, ବ୍ୟାୟମ ଶାଳା ଇତ୍ୟାଦି ମଧ୍ୟ ଆସନ୍ତା ୩୧.୦୩.୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ଏହି ରୋଗ ସମ୍ପର୍କରେ ଯଦି କେହି ଗୁଜବ ପ୍ରଚାର କରୁଥିବା ଦୃଷ୍ଟିକୁ ଆସେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହି ରୋଗ ଠାରୁ ଦୂରେଇ ରହିବାପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଲୋକମାନଙ୍କୁ କିପରି ସଚେତନ କରାଯିବ ସେ ବିଷୟରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା । ମୁଖ୍ୟତଃ ଏହି ବୈଠକରେ ରାଜ୍ୟ ସରକାରଙ୍କର “କୋଭିଡ୍-୧୯” ନିୟମାବଳୀ ଜିଲାରେ କିପରି ସଫଳତାର ସହ କାର୍ଯ୍ୟକାରୀ ହେବ ସେ ବିଷୟରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ସହ ଜିଲାର ସମସ୍ତ ପଦାଧିକାରୀ ଉପସ୍ଥିତଥିଲେ ।