କରୋନା ପଜିଟିଭ ବ୍ୟକ୍ତି ସହ ସଂସ୍ପର୍ଶରେ ଥିବା ବ୍ୟକ୍ତି ଏବେ ସଙ୍ଗରୋଧ କେନ୍ଦ୍ରରେ

ବୁଗୁଡା ( ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକର ବେତାରସିଂ ଗ୍ରାମର ଜଣେ ବ୍ୟକ୍ତି ଅନ୍ୟ ରାଜ୍ୟରୁ ଫେରି ୭ ଦିନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସଙ୍ଗରୋଧ ଗୃହରେ ରହି ନିଜ ଘରକୁ ଫେରିଥିଲେ। ନିଜ ଘରେ ୧୪ ଦିନ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା।ମାତ୍ର ସେହି ବ୍ୟକ୍ତି ଜଣଙ୍କ ଆଇନକୁ ନମାନି ପ୍ରଥମେ ଶ୍ୱଶୁର ଘରକୁ ଯାଇଫେରିଥିଲେ। ଗ୍ରାମରେ ରହିବା ସମୟରେ ସାଙ୍ଗମାନଙ୍କ ସହ ତାସ ଖେଳିବା, ସାଙ୍ଗହୋଇ ବନ୍ଧକୁ ସ୍ନାନ ଶୌଚ ପାଇଁ ଯିବା ସହ ଗ୍ରାମରେ ଅନ୍ୟ ଲୋକମାନଙ୍କ ସହ ମିଳାମିଶା କରି ବ୍ୟକ୍ତି ଜଣକ ଆଇନକୁ ସମ୍ପୂର୍ଣ୍ଣ ଉଲଘଂନ କରିଥିଲେ। ସଙ୍ଗରୋଧ କେନ୍ଦ୍ରରୁ ଯିବାପରେ ଜ୍ୱର ହେବା ପରେ ପଞ୍ଚାୟତର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଖବର ନଦେଇ ଜଣେ କ୍ୱାକ ଦ୍ୱାରା ଚିକିତ୍ସା ଆରମ୍ଭ କରିଥିଲେ। ସେଠାରେ ଭଲ ନହେବା ଯୋଗୁଁ ନିଜ ଗ୍ରାମରୁ ଏକ ଅଟୋରେ ଆସି ବୁଗୁଡା ମେଡ଼ିକାଲ, ଓ ବୁଗୁଡ଼ାର ଏକ ଘରୋଇ କ୍ଲିନିକରେ ମଧ୍ୟ ଚିକିତ୍ସା ହୋଇଥିଲେ। ଏହି ଦୁଇ ଡାକ୍ତରଙ୍କୁ ମଧ୍ୟ ଘରେ ସଙ୍ଗରୋଧରେ ଥିବା ପ୍ରକାଶ କରିନଥିଲେ। ଜ୍ୱର ଭଲ ନହେବା ଯୋଗୁଁ ବ୍ୟକ୍ତିଗତ ଭଡା କରି ଏକ ଗାଡ଼ିରେ ବ୍ରହ୍ମପୁର ସିଟି ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଡାକ୍ତରଙ୍କ ସନ୍ଦେହ ହେବାରୁ ସେହି ବ୍ୟକ୍ତିଙ୍କ ସ୍ଲାବ ଟେଷ୍ଟ କରିବାରୁ କରୋନା ପଜିଟିଭ ଥିବା ଜଣାପଡିଥିଲା ଓ ସେ କୋଭିଡ ହସପିଟାଲରା ଭର୍ତ୍ତି ହୋଇଥିଲେ। ପ୍ରଶାସନ କେବଳ ମେଡ଼ିକାଲରେ ଚିକିତ୍ସା ହୋଇଥିବା ଭାବି ମେଡ଼ିକାଲ ଡାକ୍ତର ଓ ରକ୍ତ ପରୀକ୍ଷା କରିଥିବା ଘରୋଇ ପାଥୋଲିଜି କ୍ଲିନିକ ମାଲିକଙ୍କୁ ଘରେ ସଙ୍ଗରୋଧରେ ରଖିବା ସହ କ୍ଲିନିକକୁ ସିଲ କରିଥିଲେ। ସେ ବ୍ୟକ୍ତି ବିଭିନ୍ନ ସ୍ଥାନରେ ବହୁ ଲୋକଙ୍କ ସହ ସଂସ୍ପର୍ଶରେ ଆସି ଥିବା ବିଷୟ ଖବର ପ୍ରକାଶ କଲାପରେ କ୍ୱାକ, ଅଟୋ ଡ୍ରାଇଭର ଓ ତାଙ୍କ ପରିବାର, କାର ଡ୍ରାଇଭର ଓ ମାଲିକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଥିବା ବେଳେ ଆହୁରି କେତକ ସଙ୍ଗରୋଧ କେନ୍ଦ୍ରକୁ ଯାଇପାରନ୍ତି। ଏହି ଖବର ବୁଗୁଡା ପ୍ରଶାସନ ଜିଲ୍ଲାପାଳଙ୍କ ଗୋଚରକୁ ନେବାପରେ ଜିଲ୍ଲାପାଳ ବେତାରସିଂ ଗ୍ରାମର ତିନି ସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ଏଥିସହ ବୁଗୁଡା ଏନଏସିର ଏକ ନମ୍ବର ୱାର୍ଡର କାଞ୍ଜିଆ ପଲ୍ଲୀ ଏବଂ ବୁଗୁଡା ବ୍ଲକର ଗୋଲାବନ୍ଦର, ବିଷୋୟୀ ବନ୍ଦର, ଗୋଳାବନ୍ଧ, ସୋଲଣ୍ଡି ଓ ସୁବୁଦ୍ଧି ପଲ୍ଲୀକୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି। ବୁଗୁଡା ବ୍ଲକ ପ୍ରଶାସନ ବେତାରସିଂ ଗ୍ରାମକୁ ସମସ୍ତ ପ୍ରବେଶ ପଥକୁ ବାରିକଡ଼ କରିବା ସହ କଣ୍ଟେନମେଣ୍ଟ ଓ ବଫର ଜୋନ ଗ୍ରାମ ଗୁଡିକ ସାନିଟାଇଜର କରିବା ଆରମ୍ଭ କରି ସାରିଲେଣି। ପୋଲିସ ପ୍ରଶାସନ ମଧ୍ୟ ବେତାରସିଂ ଗ୍ରାମ ପ୍ରବେଶ ପଥରେ ଅସ୍ଥାୟୀ କ୍ୟାମ୍ପ ସ୍ଥାପନ କରି ସାରିଲେଣି। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା, ଏନଏସି ଇଓ ରଶ୍ମି ରଞ୍ଜନ ଦାଶ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ ପାଇଁ ଦିବାରାତ୍ର ଲାଗିପଡିଥିବା ଦେଖା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ