କରୋନା ପାଇଁ ଅର୍ଥନୀତି ଦୁର୍ବଳ, ୧୨ କୋଟି ହେବେ ଗରିବ
ନୂଆଦିଲ୍ଲୀ: ମହାମାରୀ କେବଳ ଲୋକଙ୍କ ଜୀବନ ନେଉନାହିଁ ଅର୍ଥନୀତିକୁ ମଧ୍ୟ ଦୁର୍ବଳ କରିଚାଲିଛି । ଏହା ଦିନକୁ ଦିନ ଅର୍ଥନୀତି ପାଇଁ ଘାତକ ସାବ୍ୟସ୍ତ ହେବାରେ ଲାଗିଛି । କୋଭିଡ-୧୯ ପ୍ରଭାବରେ ଭାରତରେ ୧୩.୫ କୋଟି ଲୋକ ବେକାର ହୋଇଯିବେ । ଏଥିସହିତ ୧୨ କୋଟି ଲୋକ ଗରିବ ହୋଇଯିବେ ବା ଦାରିଦ୍ର୍ୟ ସୀମା ରେଖା ତଳକୁ ଚାଲିଯିବେ । ଆମେରିକାର ଆର୍ଥର ଡି ଲିଟିଲ ନାମକ ସଂସ୍ଥା ପକ୍ଷରୁ ଏଭଳି ଭୟଙ୍କର ଆକଳନ କରାଯାଇଛି ।
କୋଭିଡ-୧୯ ଯୋଗୁଁ ଲୋକଙ୍କ ଆୟ, ବ୍ୟୟ ଓ ସଞ୍ଚୟ ଗୁରୁତର ମାତ୍ରାରେ ପ୍ରଭାବିତ ହେବ । ଲୋକଙ୍କ ମୁଣ୍ଡପିଛା ଆୟ କମିବ । ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ମଧ୍ୟ ସାଂଘାତିକ ଭାବେ କମିଯିବ ବୋଲି ଏହି ଅନ୍ତର୍ଜାତୀୟ ମ୍ୟାନେଜମେଣ୍ଟ ଫାର୍ମ ପକ୍ଷରୁ କୁହାଯାଇଛି । ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରରେ ବଢ଼ି ଚାଲିଛି ସେଥିରୁ ଜଣାଯାଉଛି ଯେ ଏଠାରେ ଇଂରାଜୀ ଅକ୍ଷର ‘ଡବ୍ଲ୍ୟୁ’ ଆକୃତିର ସୁଧାରର ସମ୍ଭାବନା ସବୁଠୁ ଅଧିକ । ଅର୍ଥାତ ଭାରତରେ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଜିଡିପି ୧୦.୮ ପ୍ରତିଶତ ସଙ୍କୁଚିତ ହେବ ଏବଂ ୨୦୨୧-୨୨ ରେ ଅଭିବୃଦ୍ଧି ହାର ୦.୮ ପ୍ରତିଶତ ରହିବ ।
ଏହି ରିପୋର୍ଟର ନାମ କୋଭିଡ-୧୯ ଦ୍ୱାରା ସୃଷ୍ଟ ହୋଇଥିବା ଆର୍ଥିକ ଆହ୍ୱାନକୁ ଅତିକ୍ରମ କରିବା ଭାରତର କୋଭିଡ ପରବର୍ତ୍ତୀ ଅର୍ଥନୀତିର ସୁଧାର ଆଣିବା ଓ ସୁଦୃଢ଼ କରିବା ରହିଛି । ଜିଡିପିରେ ହ୍ରାସ ନେଇ ଯେଉଁ ଆକଳନ କରାଯାଇଛି ତାହାର ସର୍ବାଧିକ ଖରାପ ପ୍ରଭାବ ନିଯୁକ୍ତି, ଦାରିଦ୍ର୍ୟ, ଦୂରୀକରଣ, ମୁଣ୍ଡପିଛା ଆୟ ଆଦି କ୍ଷେତ୍ରରେ ସାଂଘାତିକ ଭାବେ ଅନୁଭୂତ ହେବ । ଦେଶରେ ବେକାରି ୭.୬ ପ୍ରତିଶତରୁ ୩୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇପାରେ । ଫଳରେ ୧୩୬ ନିୟୁତ ବା ୧୩.୬ କୋଟି ଭାରତୀୟ ସେମାନଙ୍କ ଚାକିରି ହରାଇବେ । ବେକାରିଙ୍କ ସଂଖ୍ୟା ୧୭୪ ନିୟୁତ ବା ୧୭.୪ କୋଟିକୁ ବୃଦ୍ଧି ପାଇବ । ଦେଶରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକୁ ଧକ୍କା ଲାଗିବ । ଅନେକଙ୍କ ଭାଗ୍ୟ ଖରାପ ହୋଇଯିବ । ୧୨ କୋଟି ଲୋକ ଗରିବ ହୋଇଯିବେ । ତେବେ ସେଥିରୁ ୪ କୋଟି ଲୋକ ଉକ୍ରଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।