କରୋନା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ରାଜ୍ୟବାହାରୁ ଆସିବାକୁଥିବା ବ୍ୟକ୍ତିମାନଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ଓ ଶଯ୍ୟା ବୃଦ୍ଧି କରିବା ଉପରେ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁତ୍ୱାରୋପ କରିଛନ୍ତି । ଆଜି ସୁଦ୍ଧା ଜିଲ୍ଲାର ସମସ୍ତ ୨୪୯ଟି ପଂଚାୟତରେ ୧୦୮୭ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୪୩ହଜାର ୪୨୪ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ପକ୍ଷରୁ ୩୦ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୧୭୦୬ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ଗତ ସୋମବାର ଠାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ରାଜ୍ୟ ବାହାରୁ ଆସିଥିବା ମୋଟ ୭୧୨ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୭୨ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୧୨୮, ମହାକାଳପଡା ବ୍ଲକର ୨୧୮, ମାର୍ଶାଘାଇ ବ୍ଲକର ୬୫, ରାଜନଗର ବ୍ଲକର ୧୧୬, ରାଜକନିକା ବ୍ଲକର ୫୭, ଆଳି ବ୍ଲକର ୨୪, ଡେରାବିଶି ବ୍ଲକର ୩୨ ଓ ଗରଦପୁର ବ୍ଲକର ୧୫ଜଣ ଅଛନ୍ତି । ତାଲାବନ୍ଦ ଆଇନ ଉଲ୍ଲଙ୍ଘନ କରିଥିବାରୁ ୧୫୯ଜଣ ଅଭିଯୁକ୍ତଙ୍କ ନାମରେ ୮୯ଟି ମାମଲା ରୁଜୁ କରାଯାଇ ୬୯ଟି ବାଇକ,୧୦ଟି ଚାରି ଚକିଆ ୨ଟି ଅଟୋରିକ୍ସା ଜବତ କରାଯାଇ ୩ଲକ୍ଷ ୩୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଚଂଳର ୬୯୬ଜଣ ପଞ୍ଜିକୃତ ରାସ୍ତାକଡ ଉଠାଦୋକାନୀଙ୍କୁ ୩ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମୁକାବିଲା ରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖିବାକୁ ଓ ମାସ୍କ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।