କରୋନା ପାଇଁ ଦଣ୍ଡନାଚ ବନ୍ଦ, ଡ଼ାକବାଜି ଯନ୍ତ୍ରରେ ସଚେତନ କଲା ପୋଲିସ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା ଭାଇରସକୁ ପ୍ରତିହତ ପାଇଁ ଚଳିତ ବର୍ଷ ଦଣ୍ଡନାଚକୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଛି । ଚଳିତ ବର୍ଷ ଦଣ୍ଡନାଚ ସମୟରେ ରେକର୍ଡ଼ ଡ଼୍ୟାନ୍ସ ଓ ରାତି ଅଧିଆ ନାଚ ଗୀତ ଆଉ ଶୁଣା ଯିବ ନାହିଁ । ଦଣ୍ଡନାଚ ନାମରେ ନାଚ ଗୀତ ଓ ସମାବେଶ ଉପରେ କୋରନା ଭାଇରସ କାରଣରୁ ରୋକ ଲଗାଇଛି ପ୍ରଶାସନ । ।ଏଥି ସଂକ୍ରାନ୍ତରେ ତହସିଲଦାର ହିଂଜିଳିକାଟୁ ଗୋପୀନାଥ କୁଅଁର ଅଂଚଳର ସମସ୍ତ ଦଣ୍ଡକାଳୀ ଯାତ୍ରା କମିଟିକୁ ନିର୍ଦ୍ଦେଶ ସହ ଚଳିତ ବର୍ଷ ଦଣ୍ଡକାଳୀ ଯାତ୍ରା ବନ୍ଦ ପାଇଁ ଅନୁରୋଧ କରିଛନ୍ତି । ଅନ୍ୟ ପକ୍ଷରେ ଜନ ଗହଳି ,ଯାତ୍ରା ଉତ୍ସବ ଆୟୋଜନ ପ୍ରତିରୋଧ ପାଇଁ ସମଗ୍ର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରୀ ହୋଇଛି । ପ୍ରଶାସନର ବିନା ଅନୁମତିରେ ଉତ୍ସବ ,ଜନ ଗହଳି ଓ ଯାତ୍ରା ଇତ୍ୟାଦି ଆୟୋଜନ ବନ୍ଦ କରାଯିବାକୁ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରାଯାଇଛି । ଅନୁରୂପ ଭାବେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବାହାଘର, ବ୍ରତ, ଚୈତ୍ର ମଙ୍ଗଳବାର ଯାତ୍ରା ସମେତ ଜନଗହଳି ପକରିବା ସକାଶେ ଅନୁରୋଧ କରାଯାଇଛି । ଯଦି କେହି ଏକାକୁ ଅମାନ୍ୟ କରନ୍ତି, ତେବେ ସଂପୃକ୍ତ ବ୍ୟକ୍ତି / ଅନୁଷ୍ଠାନ ବିରୋଧରେ ଆଇପିସି ଧାରା ୧୮୮ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । କରୋନା ସଂକ୍ରମଣର ସଚେତନତା ଲାଗି ସୋମବାର ହିଂଜିଳି ପୋଲିସ ପକ୍ଷରୁ ସ୍ଥାନୀୟ ଥାନା ଅଂଚଳର ବିଭିନ୍ନ ଗାଁ ବୁଲି ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ସଚେତନତା କରାଯାଇଛି । ଅନ୍ୟ ପକ୍ଷରେ କରୋନା ଭାଇରସକୁ ପ୍ରତିରୋଧ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା ରାଲି ଓ ପ୍ରଚାର ଆରମ୍ଭ ହୋଇଛି । କେବଳ ସଚେତନତା ଓ ଅବଶ୍ୟକ ପ୍ରତିରୋଧ ଫଳରେ କୋରନା ଭୁତାଣୁରୁ ତ୍ରାହି ମିଳିବ ବିଭିନ୍ନ ସଙ୍ଗଠନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି । ରୋଗର ଭୟାଭୟତାକୁ ଜାଣି ଜନ ସାଧାରଣ ମଧ୍ୟ ଉତ୍ସବ, ସମାବେଶ ଓ ଯାତ୍ରାରୁ ଦୂରେଇବାକୁ ସହଯୋଗ କରୁଛନ୍ତି । ତେବେ, ଗଂଜାମ ପ୍ରସିଦ୍ଧ ପାରମ୍ପରିକ ଦଣ୍ଡଯାତ୍ରାରେ ମାନସିକଧାରୀ ଦଣ୍ଡୁଆଙ୍କ ସମାବେଶ ଓ ପୁଜାର୍ଚ୍ଚନା କିପରି କରାଯିବ କି ନାହିଁ ସେଥି ନେଇ କୌଣସି ସ୍ପଷ୍ଟ ହୋଇନାହିଁ ।


