କରୋନା ପାଇଁ ଶୀତ ୨ମାସ ସତର୍କତା ପାଇଁ ଗଜପତିରେ ତ୍ୱରାନ୍ୱିତ ଆଣ୍ଟିଜେନ ପରୀକ୍ଷା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ବର୍ତ୍ତମାନ ଶୀତର ପ୍ରକୋପ ଗଜପତି ଜିଲ୍ଲାରେ ବଢିଚାଲିଛି । ତଥାପି ବର୍ତ୍ତମାନ କରୋନା ପରିସ୍ଥିତି ସାମାନ୍ୟ କମିଥିବା ବେଳେ ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ଶୀତ ଦିନକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଆଣ୍ଟିଜେନ ଟେଷ୍ଟକୁ ତ୍ୱରାନ୍ୱିତ କରାଯାଇଛି । ମୁଖ୍ୟତଃ ଏହା ଏକ ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବା ଯୋଗୁଁ ବିଭିନ୍ନ ନାକା ପଏଣ୍ଟରେ ଏହିପରି ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଆଣ୍ଟିଜେନ ଟେଷ୍ଟ ସମୟରେ ମୁଖ୍ୟତଃ ଆନ୍ଧ୍ର ରାଜ୍ୟରୁ ଆସିଥିବା କିମ୍ବା ବାହାର ଜିଲ୍ଲାରୁ ଆସିଥିବା ଲୋକମାନଙ୍କର ପରୀକ୍ଷା କରାଯାଉଛି । ଯଦି ଏହି ପରୀକ୍ଷା ସମୟରେ କୌଣସି ବ୍ୟକ୍ତିଙ୍କର କରୋନା ପଜିଟିଭ୍ ବାହାରେ ତେବେ ସେ ଯେଉଁ ବ୍ୟକ୍ତିଙ୍କର ସଂସ୍ପର୍ଷରେ ରହିଥିଲେ ସମସ୍ତଙ୍କର ଆଣ୍ଟିଜେନ ଟେଷ୍ଟ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସାରା ରାଜ୍ୟରେ କରୋନା ସ୍ଥିତି ଥମି ନଥିଲେ ମଧ୍ୟ ଗଜପତି ଜିଲ୍ଲାରେ କରୋନା ପରିସ୍ଥିତି ସାମାନ୍ୟ ଶୀଥିଳତା ଦେଖା ଯାଇଥିବା ଯୋଗୁଁ ସାଧାରଣ ଲୋକେ ଆଶ୍ୱସ୍ଥ ରହିଛନ୍ତି । ତଥାପି କୋଭିଡ୍-୧୯ର ସମସ୍ତ ନିୟମ ଜିଲ୍ଲାରେ ପାଳନ କରିବାପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି । ଏହି ଆଣ୍ଟିଜେନ ଟେଷ୍ଟରେ ଡାକ୍ତର ଶ୍ରୀକାନ୍ତ ଦାସ, ପୌରପରିଷଦର ଗୋଷ୍ଠୀ ସଂଗଠିକା ଇନ୍ଦିରା ଗୌଡ ପ୍ରମୁଖଙ୍କ ସହ ସ୍ୱେଚ୍ଛାସେବୀ, ସ୍ୱେଚ୍ଛାସାଥି, ଆଶା, ଏ.ଏନ୍.ଏମ୍. ପ୍ରମୁଖ ଏଥିରେ ସାମିଲ ହେଉଛନ୍ତି । ସେହିପରି ପାରଳାଖେମୁଣ୍ଡି ସହରର ବିଜୁ କଲ୍ୟାଣ ମଣ୍ଡପ ଓ ମୁଖ୍ୟ ଚିକିତ୍ସାଳୟ ପରିସରରେ ମଧ୍ୟ ଜନସାଧାରଣଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଇଛି ।