କରୋନା ପାଇଁ ସର୍ବଭାରତୀୟ ଟେନିସ୍ କ୍ରିକେଟ ପ୍ରତିଯୋଗିତାରେ ଭାଗ ନେବ ନାହିଁ ଓଡ଼ିଶା ଦଳ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଟେନିିସ୍ କ୍ରିକେଟ ଆସୋସିଏସନ ଅଫ୍ ଇଣ୍ଡିଆ ଦ୍ୱାରା ଚଳିତମାସ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ରୋହିଣୀ କ୍ରିକେଟ ଗ୍ରାଉଣ୍ଡରେ ବରିଷ୍ଠ ବର୍ଗର ସର୍ବଭାରତୀୟ ଟେନିସ୍ କ୍ରିକେଟ ପ୍ରତିଯୋଗିତା-୨୦୨୨ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଟେନିସ୍ କ୍ରିକେଟ ଆସୋସିଏସନ, ଓଡ଼ିଶା ତରଫରୁ ଏକ ୧୬ଜଣିଆ ଓଡ଼ିଶା ଟେନିସ୍ କ୍ରିକେଟ ଦଳ ଚୟନ କରାଯାଇଥିଲା । ଏଥିପାଇଁ ଏକ ରାଜ୍ୟସ୍ତରୀୟ ଚୟନ ଶିବିର ୧୪ ଏବଂ ୧୫ ଏପ୍ରିଲ୍ରେ ସୁନ୍ଦରପଦାସ୍ଥିତ ସାକ୍ସ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ମାତ୍ର ବର୍ତ୍ତମାନ ଦିଲ୍ଲୀରେ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିଥିବାରୁ ଟେନିିସ୍ କ୍ରିକେଟ ଆସୋସିଏସନ ଅଫ୍ ଇଣ୍ଡିଆ ଦ୍ୱାରା ଚଳିତମାସ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀସ୍ଥିତ ରୋହିଣୀ କ୍ରିକେଟ ଗ୍ରାଉଣ୍ଡରେ ବରିଷ୍ଠ ବର୍ଗର ସର୍ବଭାରତୀୟ ଟେନିସ୍ କ୍ରିକେଟ ପ୍ରତିଯୋଗିତାରେ ଓଡ଼ିଶା ଦଳ ଭାଗ ନ ନେବା ପାଇଁ ଟେନିସ୍ କ୍ରିକେଟ ଆସୋସିଏସନ, ଓଡ଼ିଶା ତରଫରୁ ନିଷ୍ପତ୍ତି ନିଆଯାଇଛି । ଆସୋସିଏସନର ସଭାପତି ବିଜୟ କେତନ ମିଶ୍ର ଏନେଇ ସୂଚନା ଦେଇଛନ୍ତି ଯେ, ଆମର ୧୬ଜଣିଆ ଟେନିସ୍ କ୍ରିକେଟ ଦଳ ଚୟନ କରାଯାଇଥିଲା । ହେଲେ ଖେଳାଳୀୟଙ୍କ ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଗଲା ।


