କରୋନା ପ୍ରତିବନ୍ଧକରେ ପ୍ରତ୍ୟକ୍ଷ ପ୍ରଭାବିତ ସମସ୍ତଙ୍କୁ ମାଗଣାରେ ଖାଦ୍ୟ ଦିଅନ୍ତୁ ସରକାର : ଆମ ଜନତା ଅଧିକାର

ଭୁବନେଶ୍ୱର : କରୋନାର ଭୟାବହତାରେ ବର୍ତ୍ତମାନ ସମସ୍ତେ ଜର୍ଜରିତ । ସମଗ୍ର ବିଶ୍ୱବାସୀ ଏହି ମହାମାରୀକୁ ସାମ୍ନା କରିବା ସହିତ ଧୈର୍ଯ୍ୟ ଓ ପ୍ରତିଷେଧକ ମୂଳକ ସତର୍କତା ଅବଲମ୍ବନ କରି ସାମ୍ନା କରିବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ନିଜର ସୁରକ୍ଷା ଓ ସମଗ୍ର ମାନବ ଜାତିର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ସତର୍କତା ଓ ପର୍ଯ୍ୟାପ୍ତ ପରିମାଣର ସାବଧାନତା ଅବଲମ୍ବନ କରିବାକୁ “ଆମ ଜନତା ଅଧିକାର” ସଂଗଠନ ଜନସାଧାରଣଙ୍କୁ ନିବେଦନ କରୁଛି । କରୋନାକୁ ରୋକିବା ପାଇଁ ସରକାର ବର୍ତ୍ତମାନ ସମସ୍ତ ପର୍ଯ୍ୟଟନସ୍ଥଳୀ, ସ୍କୁଲ, କଲେଜ, ମଲ୍ ଏବଂ ଜନସମାଗମ ହେଉଥିବା ସମସ୍ତ ସ୍ଥଳୀକୁ ବନ୍ଦ କରିଦେଇଛନ୍ତି । ଏହାଦ୍ୱାରା ଆମର କରୋନା ସୁରକ୍ଷା ପାଇଁ ଲକ୍ଷ ପୂରଣ ହୋଇପାରିବ, ହେଲେ ଏହି ସବୁ ସ୍ଥାନରେ ନିଜର ପେଷାକୁ ଆଦରି ପ୍ରତ୍ୟକ୍ଷରେ ଓ ପରୋକ୍ଷରେ ଅନେକ କ୍ଷୁଦ୍ର ବ୍ୟବସାୟୀ, ମଜଦୁର, ଅଟୋବାଲା, ରିକ୍ସାବାଲା, ଉଠାଦୋକାନୀ, ପର୍ଯ୍ୟଟନ ଶିଳ୍ପ ଦ୍ୱାରା ପରିଚାଳିତ ଅନେକ ଲୋକ ନିଜର ଗୁଜୁରାଣ ମେଣ୍ଟାଉଥିଲେ, ହେଲେ ଏ ସବୁ ବନ୍ଦ ହେବା ଦ୍ୱାରା ବର୍ତ୍ତମାନ ରୋଜଗାର ହରାଇ ଅନେକ ସାଧାରଣ ମଣିଷ ନିଜର ଖାଦ୍ୟ ଚାହିଦାକୁ ଭରଣା କରିପାରୁ ନାହାଁନ୍ତି । ସରକାର ତୁରନ୍ତ ତ୍ୱରିତ ପଦକ୍ଷେପ ନିଅନ୍ତୁ ଓ ପ୍ରଭାବିତ ସମସ୍ତଙ୍କୁ ମାଗଣା ଖାଦ୍ୟ ପ୍ରଦାନ ପାଇଁ ତୁରନ୍ତ ବନ୍ଦୋବସ୍ତ କରିବା ପାଇଁ ଦାବୀ ରଖିଛି “ଆମ ଜନତା ଅଧିକାର” । ଆହାର କେନ୍ଦ୍ର ଗୁଡିକୁ ପର୍ଯ୍ୟାପ୍ତ କରିବା ସହିତ ପର୍ଯ୍ୟାପ୍ତ ଖାଦ୍ୟ ପ୍ରଦାନ କରନ୍ତୁ । ଏହା ସହିତ ପ୍ରତି ସହରାଞ୍ଚଳରେ ଯୁୂଦ୍ଧକାଳନୀ ଭିତ୍ତିରେ ଆବଶ୍ୟକ ଅନୁଯାୟୀ ତୁରନ୍ତ ଆହାର କେନ୍ଦ୍ରଗୁଡିକ ଖୋଲନ୍ତୁ । ନଚେତ୍ କରୋନାର ପ୍ରକୋପଠାରୁ ଖାଦ୍ୟାଭାବର ପ୍ରକୋପ ପୁଣି ବଳିଯିବ । ରୋଜଗାର ନ ଥିବାରୁ ବାଧ୍ୟ ହୋଇ ପ୍ରଭାବିତ ଲୋକମାନେ ଚୋରୀ, ରାହାଜାନୀ ଭଳି ଅନେକ ଅସାମାଜିକ କାର୍ଯ୍ୟକୁ ଆଦରି ବସିବେ । ଆବଶ୍ୟକସ୍ଥଳେ ଅସ୍ଥାୟୀ ଆହାର କେନ୍ଦ୍ର ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଖୋଲିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ “ଆମ ଜନତା ଅଧିକାର” ଦାବୀ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ