କରୋନା ପ୍ରତିରୋଧ ଲାଗି ପ୍ରସ୍ତୁତ ହେଲା ସ୍କାଉଟ ଗାଇଡ୍ ବ୍ରିଗେଡ
ଭୁବନେଶ୍ୱର : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ରାଜ୍ୟ ଜନସାଧାରଣଙ୍କୁ “କରୋନା ଭାଇରସ” ସଚେତନତା ଉପରେ ଅବଗତ କରାଇବା ପାଇଁ ଏକ ସ୍କାଉଟ ଗାଇଡ୍ ବ୍ରିଗେଡ ଗଠନ କରାଯାଇଅଛି । ରାଜ୍ୟର ୨୦ଟି ଜିଲ୍ଲାରୁ ୧୪୦ ଜଣ ସ୍କାଉଟ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନ ଉକ୍ତ ବ୍ରିଗେଡରେ ଯୋଗଦେଇ ନିଜ ନିଜ ଜିଲ୍ଲାରେ ସ୍କାଉଟ ଓ ଗାଇଡ୍ମାନଙ୍କୁ ନେଇ ଜନ ସଚେତନତା ସୃଷ୍ଟି କରିବା ଲାଗି ପରାମର୍ଶ ଦିଆଯାଇଥିଲା । କିମସ୍ର ଡାକ୍ତର ପ୍ରଣବ କୁମାର ମହାପାତ୍ର, ବ୍ରିଗେଡରେ ଯୋଗଦାନ କରିଥିବା ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନଙ୍କୁ ପ୍ରାଞ୍ଜଳ ଭାବରେ କରୋନା ସଚେତନତା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର କରୋନା ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ପାଇଁ ଆନୁସଙ୍ଗିକ ପ୍ରକ୍ରିୟା ଉପରେ ଆଲୋକପାତ କରି ନିଜ ନିଜ ଅଞ୍ଚଳରେ ଏହାକୁ ପ୍ରସାର କରିବା ପାଇଁ ନିର୍ଦ୍ଦେଶ ନାମା ଦେଇଥିଲେ । ଏହି ଉପଲକ୍ଷେ ସଚେତନତା ସଂକ୍ରାନ୍ତୀୟ ବ୍ୟାନର, ଓ ପ୍ଲାକାର୍ଡ ଛପାଯାଇ ସେମାନଙ୍କୁ ପ୍ରଦାନ କରାଯାଇଥିଲା । ତା୧୬ା୩ା୨୦୨୦ରିଖ ଦିନ ପ୍ରତ୍ୟୁଷରେ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ସଚେତନା ଅଭିଯାନ ନିକଟବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କୁ ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ଉପାୟମାନ ଅବଲମ୍ବନ କରିବା ପାଇଁ ବୁଝା ଯାଇଥିଲା । ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଏହି କର୍ମଶାଳାରୁ ଫେରି ଯାଇ ନିଜ ନିଜ ଅଞ୍ଚଳରେ କରୋନା ବିଭୀଷିକାରୁ ନିଜକୁ ସୁରକ୍ଷା ରଖିବା ନିମିତ୍ତ ଜନସାଧାରଣଙ୍କୁ ଅବଗତ କରିବା ପ୍ରକ୍ରିୟା ଜାରି ରଖିବାକୁ ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ପରାମର୍ଶ ଦେଇଛନ୍ତି । ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନ ଫେରିଯାଇ ନିଜ ନିଜ ଅଞ୍ଚଳରେ ଛୋଟ ଛୋଟ ଦଳରେ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରିବା ପାଇଁ ଦୃଢ଼ ସଂକଳ୍ପ ହୋଇ ନିଜ ନିଜ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।


