କରୋନା ପ୍ରଭାବ: ବଲରେ ଛେପ ଲଗାଇ ପାରିବେ କି ବୋଲର?

ନୂଆଦିଲ୍ଲୀ: କ୍ରିକେଟ ମ୍ୟାଚରେ ବଲର ଗୋଟିଏ ପଟକୁ ଚିକ୍କଣ ରଖିବା ପାଇଁ ଏଥିରେ ଛେପ କିମ୍ବା ଝାଳ ଲଗାଇ ଥାଆନ୍ତି ବୋଲର ଏବଂ ଫିଲଡର । ତେବେ ମହାମାରୀ କୋଭିଡ-୧୯ ପରେ ଯେତେବେଳେ ସାରା ବିଶ୍ୱରେ କ୍ରିକେଟ ମ୍ୟାଚ ଆରମ୍ଭ ହେବ, ସେତେବେଳେ କ’ଣ ବୋଲର ପାଟିର ଲାଳ ବଲରେ ଲଗାଇପାରିବେ? କ୍ରିକେଟ ବିଶେଷଜ୍ଞଙ୍କ ମଧ୍ୟରେ ଏହି ପ୍ରଶ୍ନ ଉଙ୍କିମାରିଛି । କାରଣ କୋଭିଡ-୧୯ର ଭୂତାଣୁ ପାଟି ଓ ନାକରୁ ନିର୍ଗତ ଜଳୀୟ ଅଂଶରୁ ଜଣେ ରୋଗୀଙ୍କ ଠାରୁ ସୁସ୍ଥ ଲୋକଙ୍କୁ ସଂକ୍ରମିତ ହୋଇଥାଏ ।
କି୍ରକେଟ ଦୁନିଆରେ ଏକାଧିକ ଥର ବଲ ଟାମ୍ପରିଂ ଅଭିଯୋଗ ହୋଇଛି । ତେଣୁ ପଡ଼ିଆ ଅମ୍ପାୟାର ଓ ମ୍ୟାଚ ରେଫରୀ ଏହାକୁ ନେଇ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି । ସେମାନେ ମ୍ୟାଚ ସମୟରେ ବାରମ୍ବାର ବଲକୁ ପରୀକ୍ଷା କରିବା ସହ ବୋଲର ଓ ଫିଲଡର ଏଥିରେ କଣ ଲଗାଉଛନ୍ତି ତାହା ଉପରେ ତୀକ୍ଷଣ ନଜର ରଖିଥାଆନ୍ତି । ଭେସଲିନ କିମ୍ବା ଅନ୍ୟ କୌଣସି ବାହ୍ୟ ଦ୍ରବ୍ୟ ବଲରେ ଲଗାଇବାକୁ ସମ୍ପୂର୍ଣ୍ଣ ବାସନ୍ଦ କରାଯାଇଛି । ତେବେ ବଲରେ ଛେପ କିମ୍ବା ଝାଳ ଲଗାଇବା ଉପରେ କୌଣସି କଟକଣା ନାହିଁ । ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ସ୍ଥିତି ଯାହା ନିକଟ ଅତୀତରେ ଆନ୍ତର୍ଜାତିକ କ୍ରିକେଟ ଆରମ୍ଭ ହେବାର ସମ୍ଭାବନା କ୍ଷୀଣ । ତେବେ ଯେବେ ବି କ୍ରିକେଟ ଆରମ୍ଭ ହେଉ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ବଲରେ ପାଟିର ଲାଳ ଲଗାଇବାର ଅନୁମତି ଦେଇ ନ ପାରେ ବୋଲି କହିଛନ୍ତି ୩ ଆନ୍ତର୍ଜାତିକ ପେସ ବୋଲର ଅଷ୍ଟ୍ରେଲିଆର ଜେସନ ଗିଲେସ୍ପି ଏବଂ ଭାରତର ପ୍ରବୀଣ କୁମାର ଓ କେଙ୍କଟେଶ ପ୍ରସାଦ । କାରଣ କରୋନା ଭୂତାଣୁ ସଂକ୍ରମଣର ପରବର୍ତ୍ତୀ ସମୟରେ ଖେଳାଳିଙ୍କ ନିରାପତ୍ତାକୁ ଆଇସିସି ସର୍ବାଧିକ ଗୁରୁତ୍ୱ ଦେବ । ତେଣୁ ବଲରେ ଲାଲ ଲଗାଇବା ପରିବର୍ତ୍ତେ ଏଥିରେ କେବଳ ଝାଳ ଲଗାଇବାର ଅନୁମତି ଆଇସିସି ଦେଇପାରେ । ଫଳରେ ବଲର ଗୋଟିଏ ପାଖକୁ ଚିକ୍କଣ ରଖିବା ବୋଲରଙ୍କ ପକ୍ଷେ କଷ୍ଟକର ହୋଇପାରେ । ହେଲେ ଏହା ହେଉଛି ସମୟରେ ଆବଶ୍ୟକତା । ଭେଙ୍କଟେଶ ପ୍ରସାଦ କହିଛନ୍ତି ଯେ ବଲକୁ ସ୍ୱିଙ୍ଗ କରିବା ପାଇଁ ଏହାର ଗୋଟିଏ ପାଖରେ ଲାଳ ଲଗାଇ ବୋଲର ଚିକ୍କଣ କରିଥାନ୍ତି । ତେବେ ବଲକୁ ସ୍ୱିଙ୍ଗ କରିବା ପାଇଁ ଏହା ଅନିବାର୍ଯ୍ୟ ନୁହେଁ । ବୋଲରଙ୍କ ପାଖରେ ଦକ୍ଷତା ଥିଲେ ସେ ଏପରି କରିପାରିବେ । ପ୍ରସାଦ ଆହୁରି କହିଛନ୍ତି ଯେ ସବୁ କ୍ରିକେଟରଙ୍କର ଝାଳ ବାହାରେ ନାହିଁ । ବିଶେଷ କରି ଥଣ୍ଡା ବାତାବରଣରେ । ଫଳରେ ପ୍ରତି ବଲ ପରେ ବୋଲର ଯେଉଁ ଖେଳାଳିଙ୍କର ଝାଳ ବାହାରୁଥିବ ତାକୁ ବଲ ଦେବାକୁ ପଡ଼ିପାରେ । ତେବେ ଲାଳ ଲଗାଇଲେ ବଲ ଯେତିକି ଚିକ୍କଣ ହୁଏ ଝାଳରେ ସେତିକି ହୋଇନଥାଏ ବୋଲି ସେ କହିଛନ୍ତି ପ୍ରବୀଣ କୁମାର । ଏବେ କ୍ରିକେଟରେ ସମସ୍ତ ନିୟମ ବ୍ୟାଟସମ୍ୟାନଙ୍କୁ ସୁହାଇବା ପରି ହୋଇଥିବା ବେଳେ ବଲରେ ଲାଳ ଲଗାଇବା ବନ୍ଦ ହୋଇଗଲେ ବୋଲର ସାମାନ୍ୟ ଧାରହୀନ ହୋଇପାରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ