କରୋନା ଭାଇରସକୁ ନେଇ ସଚେତନତା ବୈଠକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଖେଳିଯାଇଛି । ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୫୧୨୨ ବୋଲି ଜଣାପଡ଼ିଛି । ଏଯାବତ୍ ଭାରତରେ କରୋନା ଭାଇାସ ଦ୍ୱାରା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜ୍ୟ ସରକାର କରୋନା ଭାଇରସକୁ ନେଇ ରାଜ୍ୟ ବିପର୍ଯ୍ୟୟ ଘୋଷଣଶ କରିଛନ୍ତି । କରୋନା ରୋକିବାକୁ ‘ଓଡ଼ିଶା କୋଭିଡ଼-୧୯ ରେଗୁଲେସନ-୨୦୨୦ କୁ ମଂଜୁରୀ ମିଳିଛି । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ସିନେମା ହଲ, ସୁଇମିଂ ପୁଲ ଓ ଜିମ୍ ଗୁଡ଼ିକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ବାହାଘର ଭୋଜି ଏବଂ ଅନ୍ୟାନ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା କରାଯାଇଥିବା ବେଳେ ସରକାରୀ ସଭା- ସମ୍ମିଳନୀ- କର୍ମଶାଳା ମନା ହୋଇଛି । କରୋନା ଭାଇରସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜରୁରୀ ପରିସ୍ଥିତ ଘୋଷଣାକୁ ଆଖି ଆଗରେ ରଖି ଗଂଜାମ ଜିଲ୍ଲାରେ ବ୍ୟାପକ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଗୁଆ ପଦକ୍ଷେପ ଗ୍ରହଣ ସକାଶେ ସଚେତନତା ନେଇ ପ୍ରତ୍ୟେକ ବ୍ଳକରେ ଶନିବାର ସଚେତନତା ବୈଠକ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଏହି ପରିପେକ୍ଷୀରେ ଶନିବାର ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ଏକ କରୋନା ଭାଇରସ ସଚେତନତା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଉପ ଜିଲ୍ଲାପାଳ (ରାଜସ୍ୱ) ଅମିୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର ପ୍ରମୁଖ ମଂଚାସିନ ଥିଲେ । ସଚେତନ ରୁହନ୍ତୁ ଏବଂ କରୋନାକୁ ହରାନ୍ତୁ ସ୍ଳୋଗାନ ଦିଆଯାଇଥିଲା । ହାତକୁ ବାରମ୍ବାର ସାବୁନରେ ଧୁଅନ୍ତୁ, ମୁହଁରେ ମାସ୍କ ଓ ରୁମାଲ ବାନ୍ଧି ବାହାରକୁ ବାହରନ୍ତୁ, ଖୋଲାରେ ଛିକନ୍ତୁ ନାହିଁ, କାଶ, ଛିଙ୍କ ସମୟରେ ମୁହଁରେ ରୁମାଲ ବ୍ୟବହାର କରନ୍ତୁ, ଜ୍ୱର, କାଶ ହେଲେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ, ଜନଗହଳି, ସଭା ସମିତି ଠାରୁ ଦୂରେଇ ରହିବା, କର ମର୍ଦ୍ଧନ ନକରିବା, କାନ, ନାକ, ପାଟିକୁ ବାରମ୍ବାର ସ୍ପର୍ଶ ନକରିବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ମଂଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ । କରୋନା ସମ୍ପର୍କିତ ସୂଚନା ପାଇଁ ଜିଲ୍ଲା ପ୍ରଶାସନ ୨ଟି ଟେଲିଫୋନ ନମ୍ବର (୦୬୮୦-୨୨୪୭୯୮ ଏବଂ ୯୪୩୮୯୮୩୯୫୬) ଜାରୀ କରାଯାଇଥିବା ନେଇ ଉପ ଜିଲ୍ଲାପାଳ ସାହୁ ସୂଚନା ଦେଇଥିଲେ । ଉକ୍ତ ବୈଠକରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ବହୁ ସରଂପଚ, ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ