କରୋନା : ଭାରତ ଲାଲ ହୋଇଯିବ କି !

ବିପିନ ବିହାରୀ ମହାନ୍ତି

ଇତିହାସରୁ ପଞ୍ଜାବର ମହାରାଜା ରଣଜିତ ସିଂହ (୧୭୮୦-୧୮୩୯)ଙ୍କ ସଂପର୍କରେ ଆମେ ଜାଣୁ । ଐତିହାସିକ ମାନଙ୍କ ମତରେ ସେ ଥିଲେ ଆକବର ଶିବାଜୀଙ୍କ ପ୍ରତିଭାର ଏକ ଅପୂର୍ବ ସମନ୍ୱୟ । ଫରାସୀ ପରିବ୍ରାଜକ ଭିକ୍‌ଟର କାକମଣ୍ଟଙ୍କ ମତରେ ରଣଜିତ ସିଂହ ହେଉଛନ୍ତି ଜଣେ ଅସାଧାରଣ ବୀର ପୁରୁଷ ଯିଏ କି ନେପାଲିୟନ ବୋନାପାର୍ଟଙ୍କ ଏକ କ୍ଷୁଦ୍ର ସଂସ୍କରଣ । ଯେତେବେଳେ ନେପୋଲିୟନ ଦିଗ୍‌ବିଜୟରେ ବ୍ୟସ୍ତ ଥିଲେ, ସେତେବେଳେ ଇଂରେଜମାନେ ଭାରତରେ ତାଙ୍କ ସାମ୍ରାଜ୍ୟ ବିସ୍ତାରରେ ଲାଗିପଡ଼ିଥାନ୍ତି । ଠିକ୍ ଏତିକି ବେଳେ ରଣଜିତ ସିଂହ ଶିଖମାନଙ୍କର କ୍ଷୁଦ୍ର କ୍ଷୁଦ୍ର ରାଜ୍ୟକୁ ନେଇ ଏକ ବିଶାଳ ଶିଖ୍ ସାମ୍ରାଜ୍ୟ ଗଢ଼ିବାରେ ଲାଗିପଡ଼ିଥାନ୍ତି । ଇଂରେଜମାନଙ୍କର ନେପୋଲିୟନଙ୍କ ପ୍ରତି କାଳେ ଭାରତ ଆକ୍ରମଣ କରିଦେବେ ବୋଲି ଯେତିକି ଭୟ ଥିଲା, ରଣଜିତ ସିଂହଙ୍କୁ ରାଜ୍ୟ ଜୟରେ ପ୍ରତିହତ କରିବାରେ ସେତିକି ଡର ମଧ୍ୟ ଥିଲା । ଅଥଚ ଭାରତକୁ ସଂପୂର୍ଣ୍ଣ ଆକ୍ତିଆର କରିବାରେ ଇଂରେଜମାନଙ୍କର ପ୍ରବଳ ଇଚ୍ଛା ମଧ୍ୟ ଥିଲା । ଏଣୁ ରଣଜିତଙ୍କୁ ନିଜ ଆଡକୁ ଟାଣିବାରେ ତାଙ୍କ କୂଟନୀତି ପ୍ରୟୋଗ କରି ତିନିଗୋଟି ସନ୍ଧି ଯଥାକ୍ରମେ ଖ୍ରୀଷ୍ଟାବ୍ଦ ୧୮୦୦, ଖ୍ରୀଷ୍ଟବ୍ଦ ୧୮୦୫-୦୬ ଓ ଖ୍ରୀଷ୍ଟାବ୍ଦ୧୮୦୯ରେ କରିଥିଲେ । ଶେଷୋକ୍ତ ସନ୍ଧିଟି ଥିଲା ଅମୃତସର ସନ୍ଧି । ଏହି ସନ୍ଧି ଅନୁସାରେ ସତ୍‌ଲେଜ ନଦୀର ଦକ୍ଷିଣପୂର୍ବ ପାଶ୍ୱର୍ରେ ଥିବା ସମସ୍ତ ଅଂଚଳରେ ରଣଜିତ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିପାରିବେ ନାହିଁ; କିନ୍ତୁ ଏହାର ଅପରପାଶ୍ୱର୍ରେ ସେ ସାମ୍ରାଜ୍ୟ ବିସ୍ତାର କରିପାରନ୍ତି । ଏହି ଅମୃତସର ସନ୍ଧିଟି ଥିଲା ରଣଜିତଙ୍କ ପାଇଁ ଏକ କୂଟନୈତିକ ପରାଜୟ । ଏହି ଚୁକ୍ତିର କେଇଦିନ ପରେ ରଣଜିତ ସିଂହ ଦେଖିଲେ ଯେ ସତଲେଜ ନଦୀର ଦକ୍ଷିଣପୂର୍ବ ପାଶ୍ୱର୍ ବ୍ରିଟିଶ/ଭାରତ ମାନଚିତ୍ରରେ ଲାଲ ହୋଇଯାଇଛି । ବ୍ରିଟିଶ ନୀତି ଅନୁସାରେ ଭାରତର ଯେଉଁ ଅଂଚଳଟି ତାଙ୍କ ଶାସନାଧିନ ହେଉଥିଲା ମାନଚିତ୍ରରେ ସେ ଅଂଶଟି ନାଲିରଙ୍ଗରେ ରଂଜିତ କରୁଥିଲେ । ଏଥିରେ ରଣଜିତ ସିଂହ ଗଭୀର ଦୁଃଖ ପାଇ କହିଥିଲେ ଯଦି ଇଂରେଜମାନଙ୍କର ପ୍ରତିରୋଧ ରୋକା ନଯାଏ, ଦିନେ ସମଗ୍ର ଭାରତ ଲାଲ ହୋଇଯିବ (ଭାରତ ଲାଲ ହୋ ଯାଏଗା) । ତାହାହିଁ ହେଲା ଏବଂ ଯେଉଁ ରଙ୍ଗକୁ ଉଠାଇବାକୁ ଭାରତୀୟମାନଙ୍କୁ ୧୫୦ରୁ ଊର୍ଦ୍ଧ୍ୱ ସମୟ ଲମ୍ବା ଲଢ଼େଇ କରିବାକୁ ପଡ଼ିଥିଲା । ପୁନଶ୍ଚ ଇଂରେଜମାନଙ୍କ ପରି ସେହି ସମୟରେ ଭାରତରେ ପର୍ତ୍ତୁଗୀଜ, ଦିନାମାର, ବୋଲନ୍ଦାଜ ଓ ଫରାସୀମାନେ ମଧ୍ୟ କିଛି କିଛି ଅଂଚଳ ଭାରତର ଦଖଲ କରି ସେଠାରେ ଶାସନ ବା ବ୍ୟବସାୟ ଚଳାଉଥିଲେ । ସେହି ଅଂଚଳଗୁଡିକୁ ସେମାନେ ତାଙ୍କର ନିଜସ୍ୱ ରଙ୍ଗରେ ରଂଜିତ କରି ଚିହ୍ନିତ କରିଥିଲେ ।
ଏଠାରେ ଏ କଥାର ଆଲୋଚନା କରିବାର ପ୍ରାସଙ୍ଗିକତା ଏହି ଯେ ବିଦେଶୀମାନଙ୍କ ପରି କରୋନା ଭାଇରସ୍ ଆମ ପାଇଁ ଏକ ବୈଦେଶିକ ଶତ୍ରୁ ଏବଂ ରୋଗ । ଯାହାର ଜନ୍ମ ଡିସେମ୍ବର ୨୦୧୯ରେ ଚୀନ୍‌ରୁ ହୋଇଛି । ଏହା ଖାଲି ଭାରତ ନୁହେଁ, ସମଗ୍ର ବିଶ୍ୱର ୨୧୩ଟି ରାଷ୍ଟ୍ର ଓ ୨ଟି ଜାହାଜକୁ ସଂକ୍ରମିତ କରିଛି । ଆଜିର ଦିନରେ ଏହି ସଂକ୍ରମଣରେ ବିଶ୍ୱର ପ୍ରାୟ ୬,୧୬୨,୫୧୬ ଲକ୍ଷରୁ ଊର୍ଦ୍ଧ୍ୱ ୩୭୧,୦୩୭ ଲୋକଙ୍କର ମୃତ୍ୟୁ ଘଟିଲାଣି । ଭାରତରେ ଏହି ସଂକ୍ରମିତଙ୍କ ସଂଖ୍ୟା ୧,୮୨,୪୯୦ ଏବଂ ଏଥିରେ ମୃତ୍ୟୁର ଶିକାର ହୋଇଥିବା ସଂଖ୍ୟା ୫୧୮୬ । ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୪୮, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୯, ଆରୋଗ୍ୟ ଲାଭ କରିଛନ୍ତି ୧୦୫୦ ଏବଂ ମୃତକଙ୍କ ସଂଖ୍ୟା ମାତ୍ର ୭ । ବିଶ୍ୱ, ଦେଶ ଏବଂ ଆମ ରାଜ୍ୟ ଓଡ଼ିଶାକୁ ବିଚାରକୁ ନେଲେ ଅବଶ୍ୟ ଓଡ଼ିଶାର ସ୍ଥିତି ଏକ ପ୍ରକାର ନିୟନ୍ତ୍ରଣାଧୀନ ଅଛି । ଦୁଃଖ ଯେ ମହାମାରୀ କରୋନା ବିଶ୍ୱକୁ ଏପରି କବଳିତ କରିଛି ଯେ, ଦୈନିକ ଏଥିରେ ହଜାର ହଜାର ଆକ୍ରାନ୍ତ ଏବଂ ମୃତ୍ୟୁବରଣ କରୁଛନ୍ତି । ବର୍ତ୍ତମାନ ବିଶ୍ୱରେ ଭାରତର ସ୍ଥିତି ୯ମ ସ୍ଥାନରେ ଅଛି । କିନ୍ତୁ ଗବେଷକମାନଙ୍କ ମତରେ କେହିଦିନ ଭିତରେ ବିଶ୍ୱର ଶୀର୍ଷ ସ୍ଥାନ ଦଖଲ କରିବ । ଏଯାବତ୍ ଏଥିପାଇଁ ନିର୍ଦ୍ଦିଷ୍ଟ ଟୀକା ଏବଂ କୌଣସି ଔଷଧ ବାହାରିନଥିବା ହେତୁ, ଏହା ନିୟନ୍ତ୍ରଣରେ ରହିବା ଅଥବା କମିବାର ପ୍ରଶ୍ନ ଉଠୁନାହିଁ । ବର୍ତ୍ତମାନ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଅଧିକାଂଶ ରାଜ୍ୟ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ଓ ଆମ ଓଡ଼ିଶାରେ ଏହା ୩୦ଟି ଜିଲ୍ଲା ମଧ୍ୟରୁ ୨୯ଟିକୁ ଛୁଇଁ ସାରିଲାଣି । ବିଶ୍ୱରେ ଆମେରିକା, ଇଟାଲୀ, ସ୍ପେନ, ଇଂଲଣ୍ଡ ଓ ଫ୍ରାନ୍ସ ଅବସ୍ଥା ଅତି ସଙ୍ଗୀନ ହୋଇପଡ଼ିଛି । ସେମିତି ଭାରତର ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ କଥା କହିଲେ ନସରେ । ଏସବୁ ରାଜ୍ୟରେ କରୋନାର ସ୍ଥିତି ଅତି ଦୟନୀୟ ।
କରୋନା ରୋକିବାରେ ସାରା ବିଶ୍ୱରେ କିଛି ଗୋଟେ ପ୍ରତିଷେଧକ ଟୀକା ବା ଔଷଧ ବାହାର କରିବା ପାଇଁ ବହୁତ ପ୍ରଚେଷ୍ଟା ଚାଲିଛି । କିନ୍ତୁ ଯାହା ଜଣାପଡ଼ୁଛି ନିକଟ ଭବିଷ୍ୟତରେ ସେମିତି କିଛି ବାହାରିବାର ପ୍ରଶ୍ନ ନାହିଁ । ଏହା ଏକ ଲମ୍ବା ଲଢ଼େଇ । ହୁଏତ ଏ ଲଢ଼େଇରେ ଆମେ ଜିତିପାରୁ ବା ହାରିପାରୁ କିମ୍ବା ସବୁଦିନ ପାଇଁ ଏଚ୍‌ଆଇଭି ପରି ଏହା ଆମ ସହିତ ଦୂରାରୋଗ୍ୟ ରୋଗ ହୋଇରହିପାରେ । ଅଥବା ଆମ ଦେହରେ ରହି ଏକ ପ୍ରତିରୋଧକ ଶକ୍ତି ରୂପେ କାମ କରିପାରେ । ଅବଶ୍ୟ ଏହା ଭବିଷ୍ୟତର ଅଦୃଶ୍ୟ ହାତର କଥା ।
ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟାନ୍ୟ ଗବେଷକ ସଂସ୍ଥାମାନେ ମତ ଦିଅନ୍ତି ଯେ ଦିନକୁ ଦିନ କରୋନା ବା କୋଭିଡ଼ ୧୯ ଏକ ଭୟଙ୍କର ରୂପ ନେଉଛି । ଏମାନେ ଅନୁମାନ କରନ୍ତି ଯେ ଜୁନ୍‌-ଜୁଲାଇ ଆଡ଼କୁ ଏଥିରେ ସଂକ୍ରମିତ ମୃତ୍ୟୁ ସଂଖ୍ୟା ୬/୭ ହଜାର ଦିନକୁ ହୋଇପାରେ ଏବଂ ଅକ୍ଟୋବର ୨୦୨୦ ପୂର୍ବରୁ ଏହା ଥମିବା ବା କମିବାର ପ୍ରଶ୍ନ ଉଠୁନି ।
କରୋନା ବା କୋଭିଡ଼-୧୯ ଏକ ସଂକ୍ରାମକ ରୋଗ । ଏହା ଝିଙ୍କ, କାଶ, ଶ୍ୱାସ, ସର୍ଦ୍ଦି, ସ୍ୱାବ ଓ ସ୍ପର୍ଶ ଇତ୍ୟାଦି ଦ୍ୱାରା ସଂକ୍ରମିତ ହୋଇଥାଏ । ଏଥିପାଇଁ ସଂକ୍ରମିତ ରୋଗୀ ବା ଏ ରୋଗ ଠାରୁ ମୁକ୍ତି ପାଇଁ ନିଜକୁ ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ ତା ପ୍ରତି ସଙ୍ଗରୋଧ ଉପାୟ ଅବଲମ୍ବନ କରାଯାଏ । ସବୁଠୁ ନିରାପଦ ଘରେ ରହିବା ଏବଂ ସୁସ୍ଥ ରହିବା । ଏଥିସହିତ ଆଖି, ନାକ ଓ ମୁହଁ ଇତ୍ୟାଦିକୁ ସ୍ପର୍ଶ ନକରିବା ତଥା ହାତକୁ ଦିନକୁ ଆଠଦଶ ଥର ସାବୁନ ଦ୍ୱାରା ସଫା କରିବା ହିଁ ଏହାପ୍ରତି ସତର୍କତା ଓ ସାବଧାନତାର ମହତ୍ତ୍ୱ ଉପାୟ । ମନେରଖିବା ଉଚିତ୍ ଯେ ଏହା ଏକ ଭୟଙ୍କର ଡିଆଁ ବା ଛୁଆଁ ରୋଗ । ଏଇଥିପାଇଁ ରୋଗୀ ଠାରୁ ଅନ୍ତତଃ ଦୁଇ ମିଟର ବା ୧୨ ଫୁଟ ସାମାଜିକ ଦୂରତା ରକ୍ଷା କରିବା କଥା ।
ଏ ବିଶ୍ୱ ଓ ଆମ ଦେଶ ଭିନ୍ନ ଭିନ୍ନ ସମୟରେ ଏହିପରି ଭୂତାଣୁ ଜନିତ ବହୁ ମହାମାରୀ ଦେଖିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଚିକୁନ୍‌ଗୁନିଆ, ପ୍ଲେଗ ଅଫ୍ ଇଣ୍ଡିଆନ୍‌, ବମ୍ବେ ଇନ୍‌ଫ୍ଲୁଏନ୍‌ଜା, ପ୍ଲେଗ, ବସନ୍ତ, ହଇଜା, ମାର୍ଶାଲ ପ୍ଲେଗ, ସ୍ପାନିସ୍ ଫ୍ଲୁ, ବ୍ଲାକଡେଥ୍‌, ମାରବର୍ସ, ଇବୋଲା, ରୋଟା, ମାର୍ସ ଏବଂ ବର୍ତ୍ତମାନକୁ କରୋନା ପରି ଭୟଙ୍କର ଭୂତାଣୁଜନିତ ରୋଗ । ଏଥିରେ କେବଳ ଶହ ବା ହଜାର ସଂଖ୍ୟାରେ ଲୋକ ମରିନାହାନ୍ତି । ଲକ୍ଷ ଏବଂ କୋଟି କୋଟି ସଂଖ୍ୟାରେ ମରିଛନ୍ତି ।
ଆମେ ଏବେ ରୋଗଠୁ ନିଜକୁ ନିବୃତି ନେବାରେ ସଙ୍ଗରୋଧ ବା ସାମାଜିକ ଦୂରତା ରଖିବାରେ ଯେଉଁ ଗୁରୁତ୍ୱ ଦେଉଛୁ, ଏହାର ଏକ କାରଣ ଅଛି । ବ୍ଲାକଡେଟ୍ ମହାମାରୀ ୟୁରୋପରେ ପ୍ରଥମେ ୧୩୪୭ ମସିହାରେ ଦେଖାଯାଇଥିଲା । ଯେଉଁଥିରେ କି ଦୁଇଶତ ନିୟୁତ ଲୋକ ଏହାର ଶୀକାର ହୋଇଥିଲେ । ପୁନଶ୍ଚ ୧୩୪୮ରେ ଏହାର ପ୍ରଭାବରେ ପ୍ରାୟ ୨୦ ପ୍ରତିଶତ ମହିଳା ଓ ଶିଶୁ ଏଥିରେ ପ୍ରାଣ ହରାଇଥିଲେ । ୧୬୬୫ ମସିହାରେ ଏହା ପୁଣି ତୃତୀୟଥର ପାଇଁ ଲଣ୍ଡନରେ ଦେଖାଯାଇଥିଲା ଏବଂ ଏଥିରେ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରିଥିଲେ । ଏହାକୁ ପ୍ରତିରୋଧ ପାଇଁ ଯେତେ ଚେଷ୍ଟା କଲେ ବି ସବୁ ବିଫଳ ହୋଇଥିଲା । ଏଣୁ ତତ୍‌କାଳୀନ ଶାସକମାନେ ଏକ ନିୟମ ପ୍ରଣୟନ କରି ସଂକ୍ରମିତଙ୍କୁ ସୁସ୍ଥ ଲୋକ ଠାରୁ ଦୂରେଇ ରଖିଥିଲେ । ଅର୍ଥାତ୍ ସଙ୍ଗରୋଧ ଓ ସାମାଜିକ ଦୂରତ୍ୱର ନିୟମ ରକ୍ଷା କରିଥିଲେ ଯାହା ଫଳରେ କି ଏହି ରୋଗ ଏକ ପ୍ରକାର ପ୍ରଶମିତ ହୋଇଥିଲା । ଏଣୁ ୧୬୬୫ ମସିହାରୁ କୌଣସି ସଂକ୍ରାମକ ରୋଗ କ୍ଷେତ୍ରରେ ଏ ନିୟମ ଏଯାବତ୍ କାର୍ଯ୍ୟ କରି ଆସୁଛି, ବିଶେଷକରି ଯେଉଁଠି ଟୀକା ବା ଔଷଧ ବାହାରି ନାହିଁ । ଏହି କାରଣରୁ ଆମ ଦେଶରେ କରୋନା କ୍ଷେତ୍ରରେ ଆମ ଦେଶରେ ତଥା ବିଶ୍ୱରେ ସଙ୍ଗରୋଧ ଏବଂ ସାମାଜିକ ଦୂରତ୍ୱକୁ ଆପଣେଇ ନେଇଛୁ ।
ଆମ ଦେଶ ଓ ରାଜ୍ୟରେ କରୋନା କିପରି ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରୁଛି ତାହା ଆମେ ଜାଣେ । ଏଥିପାଇଁ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ତୀକ୍ଷ୍ମଣ ଦୃଷ୍ଟି ରଖିଛନ୍ତି । ବିଶେଷ କରି କର୍ଫ୍ୟୁ ଜାରି, ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, କଣ୍ଟେନ୍‌ମେଂଟ୍ ଜୋନ୍ ଓ ବିଭିନ୍ନ ପ୍ରକାର କ୍ୱାରେନ୍‌ଟାଇନ୍ ଓ ସଙ୍ଗରୋଧ ଗୃହ ଇତ୍ୟାଦି ଯାବତୀୟ ବ୍ୟବସ୍ଥା କରିବା ସହ ସତର୍କତା ଓ ସଚେତନତା ସୃଷ୍ଟି କରୁଛନ୍ତି । କରୋନା ଚିକିତ୍ସା ପାଇଁ ସ୍ୱତନ୍ତ୍ର କୋଭିଡ୍ ଡାକ୍ତରଖାନା ନିର୍ମାଣ ସହ କରୋନା ଯୋଦ୍ଧା ବିଶେଷ କରି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସଫେଇ କର୍ମୀ ତଥା ପଂଚାୟତିରାଜସ୍ତରରେ ସରପଂଚମାନଙ୍କୁ ନିୟୋଜିତ କରିଛନ୍ତି । ଯେଉଁମାନେ କି ଜୀବନକୁ ପାଣି ଛଡ଼ାଇ ପୁରା କରୋନା ବିରୋଧରେ ରୀତିମତ ସଂଗ୍ରାମ ଜାରି ରଖିଛନ୍ତି । ଆମ ଦେଶରେ ଜାତୀୟ ରାଜ୍ୟସ୍ତରର ସମସ୍ତ ଶାସନ କଳରେ ସେଇ ଗୋଟିଏ ଚିନ୍ତା : କରୋନା ହଟାଅ ।
କରୋନା ଭୟରେ ଆମ ଦେଶର ପ୍ରାୟ ୧୦ କୋଟି ପ୍ରବାସୀ ନିଜ ନିଜ ରାଜ୍ୟ ବା ଦେଶମୁହାଁ । ସମସ୍ତଙ୍କ ଜୀବନ ଓ ଜୀବିକା ଲକ୍‌ଡାଉନ୍ କାରଣରୁ ବିପର୍ଯ୍ୟସ୍ତ । ସେମାନଙ୍କୁ ନିଜ ନିଜ ଅଂଚଳକୁ ଫେରାଇ ଆଣିବାରେ ସରକାର ସବୁ ପ୍ରକାର ବ୍ୟବସ୍ଥା ଏବେ କରୁଛନ୍ତି । ଆମେ ଏସବୁରେ ସାହାଯ୍ୟ କରିବା କଥା । କିନ୍ତୁ ଦୁଃଖର କଥା ଯେ ଆମ ଭିତରୁ ୧୦ ଶତାଂଶ ଏ ନିୟମ ଭାଙ୍ଗି ସମଗ୍ର ଦେଶକୁ ମରଣମୁହଁକୁ ଠେଲି ଦେଉଛନ୍ତି । ତହିଁକୁ ଏବେ ସରକାରଙ୍କ ଦ୍ୱାରା କରୋନା ନିୟନ୍ତ୍ରଣ ନିମନ୍ତେ କରାଯାଇଥିବା ନିୟମକୁ କିଛି କୋହଳ କରିବା ଦ୍ୱାରା ଏବେ ଅବସ୍ଥା ଅନିୟନ୍ତ୍ରିତ ହେବାକୁ ଯାଉଛି । ଏହି କାରଣରୁ ଆମେ ଆମକୁ ସଜାଗ ରଖିବା କଥା ।
ପ୍ରଥମରୁ କହିଛୁ ଇଂରେଜମାନେ ଯେଉଁ ଅଂଚଳ ଭାରତରେ ଦଖଲ କରୁଥିଲେ, ତାଙ୍କ ମାନଚିତ୍ରରେ ସେ ଏହାକୁ ଲାଲ ରଙ୍ଗରେ ରଂଜିତ କରୁଥିଲେ । ଲାଲ କହିଲେ ବିପଦର ସଂକେତ । ଆମେ ଏବେ କରୋନା ନେଇ ସେୟା କରୁଛୁ । ଯେଉଁ ଅଂଚଳ ଏହାଦ୍ୱାରା ଆକ୍ରାନ୍ତ ହେଉଛି ତାର ସ୍ଥିତି ଦେଖି ଆମେ ତାକୁ ରେଡ୍‌, ଅରେଞ୍ଜ ବା ଗ୍ରୀନ୍ ରଙ୍ଗରେ ଦର୍ଶାଉଛୁ । କିନ୍ତୁ ଏହା ପରିବର୍ତ୍ତନଶୀଳ । ଅତଏବ ଆଜି ଯାହା ଗ୍ରୀନ କାଲିକୁ ତାହା ଅରେଞ୍ଜ ବା ରେଡ୍ ହୋଇପାରେ । ବର୍ତ୍ତମାନ ଆମେ ଯେଉଁ ସ୍ଥିତିରେ ଅଛେ ଏବଂ କରୋନା ନେଇ ଏମିତି କ୍ଷୀପ୍ର ଗତିରେ ଆଗେଇ ଚାଲିଛେ, ସେଥିରେ ଦିନେ ନା ଦିନେ ଭାରତର ମାନଚିତ୍ର ଲାଲ ହୋଇଯିବନି ତ । ରଣଜିତ୍ ସିଂହଙ୍କ ଭାଷାରେ ‘ସବ୍ ଲାଲ ହୋ ଯାଏଗା’ ! ଏହା ଏବେ ଆମର ଚିନ୍ତାର ବେଳ । କଣ କରିବା, କଣ ନକରିବା ଅଥବା କେମିତି ବଂଚିବା ଓ ଅନ୍ୟକୁ ବଂଚାଇବା ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ;
ବିପିନ ବିହାରି ପାଠାଗାର, ଜଟଣୀ
ଶୂନ୍ୟ ଭାଷା: ୯୯୩୮୩୪୪୧୩୮

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ