କରୋନା ମହାମାରୀ ପାଇଁ ମୁଣ୍ଡୁଳା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ୫୦ ପ୍ରତିଶତ ଫିସ୍ ଛାଡ
କୋଦଳା,(ଗୁଲସନ କୁମାର କର):କରୋନା ମହାମାରୀରେ ଚଳିତ ବର୍ଷ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢା ଓ ସ୍କୁଲ ଫିସ୍ କୁ ନେଇ ଚିନ୍ତାରେ ପଡିଛନ୍ତି ଅଭିଭାବକ ।ଏଭଳି ସ୍ଥିତିରେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମୁଣ୍ଡୁଳା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ଛାତ୍ରଛାତ୍ରୀଙ୍କ ନାମଲେଖା ଫିସ୍ ଏବଂ ଅନ୍ୟାନ୍ୟ ସମସ୍ତ ଫିସ୍ ବାବଦକୁ ୫୦ ଭାଗ ଅର୍ଥ ରାଶି ଛାଡ କରାଯାଇଛି। ଏହି ବେସରକାରୀ ଶିକ୍ଷାନୁଷ୍ଠାନର ପରିଚାଳନା ଦାୟିତ୍ବରେ ଥିବା ସୁରେନ୍ଦ୍ର ନାଥ ପ୍ରଧାନ କହିଛନ୍ତି ଯେ, କରୋନାରେ ସର୍ବସାଧାରଣଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଲୋକେ ଏବେ ଆର୍ଥିକ ସଂକଟ ଦେଇ ଗତିକରୁଛନ୍ତି। ଏଥି ପାଇଁ ଅନୁଷ୍ଠାନ ପକ୍ଷରୁ ଅଧା ଫି ଛାଡ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବ୍ଲକର ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ମୁଣ୍ଡୁଳା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପ୍ରଥମ କରି ଏହି ଫି ଛାଡ କରିଥିବା କଥା ସେ କହିଛନ୍ତି। ଏହି ଶିକ୍ଷାଅନୁଷ୍ଠାନରେ ମୋଟ ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟା ୩୦୦ ଥିବା ବେଳେ ଏହି ବିଦ୍ୟାଳୟଟି ସିଓଆର୍ ର ମାନ୍ୟତା ମଧ୍ୟ ପାଇଛି। ନର୍ସରୀ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଏଠାରେ ଶିକ୍ଷାଦାନ କରାଯାଉଛି ଏବଂ କରୋନା ପାଇଁ ଅନଲାଇନ୍ ଜରିଆରେ କ୍ଲାସ୍ ଚାଲିଥିବା ଶିକ୍ଷକ ଶିକ୍ଷୟିତ୍ରୀ ପ୍ରକାଶ କରିଛନ୍ତି।