କରୋନା ମହାମାରୀ ସମ୍ପର୍କରେ ବାରଣାସୀର ଜନସାଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ପ୍ନୂଆଦିଲ୍ଲୀ : ରଧାନମନ୍ତ୍ରୀ ଆଜି ତାଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀର ଜନସାଧାରଣଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ବାରଣାସୀର ସାଂସଦ ଭାବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ସେ ସେମାନଙ୍କ ଗହଣରେ ରହିବା କଥା । ମାତ୍ର ଦିଲ୍ଲୀରେ ଚାଲିଥିବା ପରିସ୍ଥିତି କାରଣରୁ ତାହା ସମ୍ଭବ ହୋଇପାରୁନାହିଁ । ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ୱେ ସେ ନିୟମିତ ଭାବେ ନିଜ ସହଯୋଗୀମାନଙ୍କ ଠାରୁ ବାରଣାସୀର ସ୍ଥିତି ସମ୍ପର୍କରେ ଖବର ସଂଗ୍ରହ କରୁଛନ୍ତି । କରୋନା ମହାମାରୀ ବ୍ୟାପିବା ପରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । କରୋନା ଭୂତାଣୁ ବିରୋଧରେ ଦେଶର ଲଢ଼େଇକୁ ସବଳ କରିବା ଲାଗି ଦେବୀ ଶୈଳପୁତ୍ରୀଙ୍କ ନିକଟରେ ପରମ୍ପରା ମୁତାବକ ପ୍ରାର୍ଥନା କରିବା ନିମନ୍ତେ ବାରଣାସୀର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ । ସେ କହିଥିଲେ ଯେ, “ଅନେକ ସମୟରେ ଲୋକମାନେ ଗୁରୁତ୍ୱପୂର୍ଣ୍ଣ କଥା ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ବର୍ତମାନ ଭାରତରେ ତାହା ହିଁ ଘଟୁଛି ।” ତଥ୍ୟକୁ ବୁଝିବା ଏବଂ ଗୁଜବକୁ ବିଶ୍ୱାସ ନକରିବା ନିମନ୍ତେ ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ । ସେ ଆହୁରି କହିଥିଲେ ଯେ କରୋନା ଭୂତାଣୁ ଧନୀ ଓ ଗରିବଙ୍କ ମଧ୍ୟରେ ପ୍ରଭେଦ ଦେଖିନଥାଏ, ଏହା କାହାକୁ ମଧ୍ୟ ଛାଡ଼ିବ ନାହିଁ । କାବୁଲ ଗୁରୁଦ୍ୱାରାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜ୍ଞାପନ କରିଥିଲେ । କରୋନା ଭୂତାଣୁ ସମ୍ପର୍କରେ ସଠିକ ସୂଚନା ଦେବା ଲାଗି ହ୍ୱାଟ୍ସଆପ ସହିତ ମିଶି ସରକାର ଏକ ହେଲ୍ପ ଡେସ୍କ ପ୍ରତିଷ୍ଠା କରିଛନ୍ତି । ଇଂରାଜୀ କିମ୍ବା ହିନ୍ଦୀରେ ‘ନମସ୍ତେ’ ଲେଖି ୯୦୧୩୧୫୧୫୧୫ ହ୍ୱାଟ୍ସ ଆପ ନମ୍ବରରେ ମେସେଜ କଲେ ସଠିକ ସୂଚନା ମିଳିପାରିବ । ମହାଭାରତ ଯୁଦ୍ଧରେ ଜିତିବା ଲାଗି ୧୮ ଦିନ ଲାଗିଥିଲା କରୋନା ଭୂତାଣୁ ବିରୋଧରେ ଲଢ଼ିବାକୁ ଭାରତକୁ ୨୧ ଦିନ ଆବଶ୍ୟକ । ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଥିଲେ ଯେ ଯଦି ସେମାନେ ଡାକ୍ତର ଓ ନର୍ସଙ୍କୁ ଦୁର୍ବ୍ୟବହାର କରୁଥିବା କୌଣସି ସ୍ଥାନରେ ଦେଖନ୍ତି ତେବେ ସେମାନେ ଭୁଲ କାମ କରୁଥିବା ଲୋକମାନଙ୍କୁ ଚେତାଇଦେବା ଉଚିତ । ଏହି କଷ୍ଟକର ସମୟରେ ସେବା ଯୋଗାଉଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ପେସାଦାରଙ୍କୁ ସହଯୋଗ କିମ୍ବା ସମର୍ଥନ କରୁନଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଡିଜିପିମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିବା କହିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଠିକ ସମୟରେ ଠିକ ପଦକ୍ଷେପ ଗ୍ରହଣ କରିବାରେ ଦେଶର ସାଧାରଣ ନାଗରିକ ବିଶ୍ୱାସ କରିଥାଏ । ସେ କହିଥିଲେ, ୨୨ ମାର୍ଚ୍ଚରେ ଦେଶର ସମସ୍ତ ନାଗରିକ ଜନତା କର୍ଫ୍ୟୁକୁ ସମର୍ଥନ କରିଥିଲେ ଏବଂ ପରେ ଅପରାହ୍ଣ ୫ଟା ସମୟରେ ଜରୁରି ସେବା ଯୋଗାଇ ଦେଉଥିବା ପେସାଦାରମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ । ସେ ଆହୁରି କହିଥିଲେ ଯେ ଡାକ୍ତରଖାନାଗୁଡ଼ିକରେ ଧଳା ୟୁନିଫର୍ମରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟସେବା ପେସାଦାରମାନେ ଆମ ପାଇଁ ଭଗବାନ ସଦୃଶ । ସେମାନେ ନିଜ ଜୀବନକୁ ବାଜି ଲଗାଇ ଆମକରୁ ରୋଗ କବଳରୁ ରକ୍ଷା କରୁଛନ୍ତି । ସେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବର୍ଗର ଜନସାଧାରଣଙ୍କ ପ୍ରଶ୍ନର ଉତର ଦେଇଥିଲେ ।