କରୋନା ମାଡ଼ : ପୁଲିସ ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବିଶ୍ରାମ ନାହିଁ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): କରୋନା ମହାମାରୀ ସଂକ୍ରମଣରୁ ରକ୍ଷା ଲାଗି ନିଜକୁ ସମର୍ପିତ କରି ଦେଇଛନ୍ତିି ପୁଲିସ ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମଚାରୀ । ସେମାନଙ୍କ ଆଖିରୁ ନିଦ ହଜିଯାଇଛି । ତଥାପି ଏଭଳି ସ୍ଥିତିରେ କିଛି ଅମାନିଆ ସେମାନଙ୍କ ପ୍ରକୃତି ଛାଡ଼ୁନାହାନ୍ତି । କରୋନା ଭୁତାଶରୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କୌଣସି ପ୍ରତିଷେଧକ ମୂଳକ ଔଷଧ ଆବିଷ୍କୃତ ହୋଇନଥିବା ବେଳେ କେବଳ ସଚେତନତା ହିଁ ଏହାର ଏକମାତ୍ର ପନ୍ଥା ବୋଲି ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଜନସାଧାରଣଙ୍କୁ ସଚେତନ କରିବା ଲାଗି ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଏକ ଡ଼ାକବାଜି ଯନ୍ତ୍ର ସହାୟତାରେ ସ୍ଥାନୀୟ ପୌରାଂଚଳ ସମେତ ଥାନାର ବିଭିନ୍ନ ଗ୍ରାମାଂଚଳ ପରିଭ୍ରମଣ କରି ଜନ ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଛି । ଜନସାଧାରଣଙ୍କୁ କରୋନା ଭଳି ମାରାତ୍ମକ ଭୁତାଣୁ କବଳରୁ ରକ୍ଷା କରିବା ଲାଗି ଗତ ମାର୍ଚ୍ଚ ୨୨ ତାରିଖରୁ ଦିନ ରାତି ପହରା ଦେଉଥିବା ପୁଲିସ ବାହୀନିଙ୍କୁ ଏପର୍ଯ୍ୟନ୍ତ ବିଶ୍ରାମ ନାହିଁ । ଜନସାଧାରଣଙ୍କ ସେବାରେ ସର୍ମପିତ ପୁଲିସ ବାହୀନିର କର୍ମଚାରୀ ଜନସାଧାରଣଙ୍କୁ ସଚେତନ କରିବା ସହିତ ସେମାନଙ୍କର ସଂହଯୋଗ ଲୋଡ଼ିଛନ୍ତି । ଜନସାଧାରଣ ଯଦି ଲକଡ଼ାଉନକୁ ଠିକ୍‌ରେ ପାଳନ କରି ନିଜେ ଘରେ ରହିବେ, ତେବେ ସେମାନେ କିଛି ସମୟ ପାଇଁ ନିଜ ନିଜ ପରିବାରଙ୍କୁ ମଧ୍ୟ ସମୟ ଦେଇ ପାରିବେ ।ଏପରିକି ମହିଳା ପୁଲିସ କର୍ମଚାରୀ ମାନେ ମଧ୍ୟ ସେମାନଙ୍କ କୁନି କୁନି ଛୁଆଁଙ୍କୁ ଘରେ ଛାଡ଼ି ଦିନତମାମ ବାହାରେ ଡ଼୍ୟୁଟି କରୁଛନ୍ତି । ଏପ୍ରିଲ ମାସର ମୁଣ୍ଡଫଟା ଖରାରେ ଦିନ ତମାମ ବ୍ଳକିଂ, ଚେକିଂ, ପେଟ୍ରୋଲିଂରେ ସମୟ ଯାଉଛି । ଅନୁରୂପ ଭାବେ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଦିନରାତି ଡ଼ାକ୍ତରଖାନାରେ ରୋଗୀଙ୍କ ସେବା ଓ କରୋନା ଭୁତାଣୁ ସଂକ୍ରମିତ ରୋଗୀଙ୍କ ପରୀକ୍ଷା ନିରୀକ୍ଷାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ