କରୋନା ମୁକାବିଲାର ମନ୍ତ୍ର ଦେଲେ ନବୀନ
ଭୁବନେଶ୍ୱର: ଗତ ଦୁଇ ମାସରୁ ଅଧିକ ସମୟ ହେବ, ଆମେ ଲକଡାଉନରେ ରହିଆସିଛୁ । ଏହି ସମୟ ମଧ୍ୟରେ ମୁଁ ଆପଣମାନଙ୍କୁ ବାରମ୍ବାର ଅନୁରୋଧ କରିଛି, ସଚେତନ ମଧ୍ୟ କରୁଛି । ଏ ଲଢେ଼ଇ ଲମ୍ବା ଲଢେ଼ଇ । କରୋନାର ଭ୍ୟାକ୍ସିନ ବା ମେଡିସିନ ଏ ପର୍ଯ୍ୟନ୍ତ ଆସିନାହିଁ । ପୁଣି ଆଗକୁ ମୌସୁମୀ ମଧ୍ୟ ଆସୁଛି । ତେଣ ଆମକୁ ଅଧିକ ସତର୍କ ରହିବାକୁ ହେବ । ଲକଡାଉନ କୋହଳ ହେଲା । ତାର ମାନେ ନୁହେଁ ଯେ କରୋନା ଚାଲିଗଲା । ଏ ଭୁଲ କରନ୍ତୁ ନାହିଁ । ମୁଁ ଆଗରୁ କହିଥିଲି ଜୁନ ମାସ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ୧. ବର୍ତ୍ତମାନ ୫ ଲକ୍ଷ ଓଡ଼ିଆ ଭାଇଭଉଣୀ ଘରକୁ ଫେରୁଛନ୍ତି । ସେମାନେ ଫେରିବା ଦ୍ୱାରା ଯେଉଁ ପ୍ରଭାବ ପଡ଼ିବ, ତାହା ୧୫ ରୁ ୨୦ ଦିନ ମଧ୍ୟରେ କମିଯିବ । ସେହିପରି ଜୁନ ୧୦ ରୁ ମୌସୁମୀ ବର୍ଷା ଆରମ୍ଭ ହେବାର ସୂଚନା ମିଳୁଛି । ଥଣ୍ଡା, କାଶ, ଜ୍ୱର-ଏହି ସମୟରେ ବିଶେଷ ଭାବରେ ଦେଖା ଦେଇଥାଏ । ଏହି ଦୁଇଟି କାରଣ ଯୋଗୁଁ ମୁଁ ବାରମ୍ବାର କହିଆସୁଛି ଯେ ଆସନ୍ତା ୨୫ ଦିନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟକୁ ଆମେ ଯେଭଳି ଉପଯୋଗ କରିବା, ତା ଉପରେ କରୋନା ଲଢେ଼ଇରେ ଆମର ସଫଳତା ନିର୍ଭର କରୁଛି । ତେଣୁ ଜୁନ ମାସ ହିଁ ଆମ ପାଇଁ ନିର୍ଣ୍ଣାୟକ ହେବ । ଆପଣ ଜାଣନ୍ତି, କରୋନା ସଂକ୍ରମଣ ବର୍ତ୍ତମାନ ବଢିବାରେ ଲାଗିଛି । ୧୫ ଦିନ ତଳେ ଆମ ଦେଶରେ ଦିନକୁ ତିନି ହଜାର ଲୋକ ସଂକ୍ରମିତ ହେଉଥିଲେ । ଆଜି ଏହା ଆସି ୧୦ ହଜାରରେ ପହଞ୍ଚିଲାଣି । ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି । ତେଣୁ ମୁଁ ଆପଣମାନଙ୍କୁ ବିନମ୍ର ଅନୁରୋଧ କରୁଛି ଯେ ଜରୁରୀ କାମ ନଥିଲେ ଆପଣ ଘରୁ ବାହାରକୁ ଯାଆନ୍ତୁ ନାହିଁ । ମୋର ସାଢେ଼ ଚାରି କୋଟି ଭାଇ ଭଉଣୀଙ୍କ ସୁରକ୍ଷା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆପଣମାନଙ୍କର ବାହାରକୁ ଆସିବା କମ୍ କରିବା ପାଇଁ ଆମେ ଲକଡାଉନ, ସଟଡାଉନ କରୁଛୁ । ଆମର ୧୧ଟି ଜିଲ୍ଲାରେ ଚଳିତ ଜୁନ ମାସର ସବୁ ଶନିବାର ଓ ରବିବାର ସଟଡାଉନ କରିବା ପାଇଁ ନିଷ୍ପତ୍ତି କରିଛୁ । ଜୁନ ମାସରେ ସପ୍ତାହକୁ ଦୁଇ ଦିନ । ମାସକୁ ଆଠ ଦିନ ସଟଡାଉନ । ତାର ଅର୍ଥ ଆମେ ପୁରା ଆଠଦିନ ଘରେ ରହିବା । ବାହାରକୁ ଯିବା ନାହିଁ । ଏଥିରେ ଆମର ଲାଭ ହେଉଛି, ଆମେ ପୁରା ୮ ଦିନ କରୋନା ସଂକ୍ରମଣରୁ ଦୂରରେ ରହିବା । ପ୍ରତିଦିନ ରାତି ୭ଟାରୁ ଭୋର ୫ଟା । ପୁରା ୧୦ ଘଣ୍ଟା କର୍ଫ୍ୟୁ । ୩୦ ଦିନର ୩୦୦ ଘଣ୍ଟା । ତେଣୁ ସଟଡାଉନ ଓ ରାତି କର୍ଫ୍ୟୁ ମିଶି ଜୁନ ମାସରେ ଆମେ ପୁରା ୧୭ ଦିନ ଘରେ ରହିବା । ଏହା ଦ୍ୱାରା ସଂକ୍ରମଣ କେତେ କମିପାରିବ । ଆପଣ ନିଜେ ଚିନ୍ତା କରନ୍ତୁ । ଆପଣ ବାହାରକୁ ନ ଆସିଲେ, କରୋନା ଆପଣଙ୍କ ଘରକୁ ଯାଇପାରିବ ନାହିଁ । ଏହି ପରିପ୍ରେକ୍ଷୀରେ ଆପଣମାନଙ୍କୁ ମୋର କିଛି ନିବେଦନ ।
୧. ଘରେ ରୁହନ୍ତୁ । ଜରୁରୀ କାମ ନଥିଲେ, ବାହାରକୁ ଯାଆନ୍ତୁ ନାହିଁ ।
୨. ଯେତେବେଳେ ବି ବାହାରକୁ ଯାଉଛନ୍ତି, ମୁହଁରେ ମାସ୍କ ନିଶ୍ଚୟ ଲଗାନ୍ତୁ । ଠିକ ଠାକ ମାସ୍କ ଲଗାଇରେ କରୋନା ସଂକ୍ରମଣ ୯୦ ପ୍ରତିଶତ କମିଯିବ ।
୩. ହାଟ, ବଜାର, ଅଫିସ ବା ଟ୍ରାଫିକ ସବୁଠାରେ ସାମାଜିକ ଦୂରତା ରକ୍ଷା କରନ୍ତୁ । କାରଣ ଆମ ପାଖରେ କିଏ କରୋନା ପଜିଟିଭ ଅଛି, ତାହା ଆମେ ଜାଣିପାରିବା ନାହିଁ ।
୪. ଆମର ନିଜ ଲୋକ କିଏ କୋଭିଡ ହସ୍ପିଟାଲକୁ ଯାଉ, ଏହା କେହି ଚାହିଁବେ ନାହିଁ । ତେଣୁ ଘରକୁ ଫେରିବା ପରେ ଭଲ ଭାବରେ ସାବୁନରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ନିଶ୍ଚୟ ହାତ ଧୁଅନ୍ତୁ ।
୫. ୬୫ ବର୍ଷରୁ ଅଧିକ ବୟସର ଲୋକ, ଗୁରୁତର ରୋଗରେ ପୀଡ଼ିତ ଲୋକ, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ କେବେ ବି ବାହାରକୁ ଛାଡ଼ନ୍ତୁ ନାହିଁ ।
ଜୀବନ ଓ ଜୀବିକା ଦୁଇଟି ଯାକ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମେ ସୁସ୍ଥ ରହିଲେ ଜୀବିକା ଆଗକୁ ବଢ଼ିବ । ଜୀବିକା ଉପରେ ମଧ୍ୟ ସରକାରଙ୍କୁ ଧ୍ୟାନ ଦେବାକୁ ହେବ । ଲକଡାଉନ କୋହଳ ହୋଇଛି ଜୀବିକା ପାଇଁ । କିନ୍ତୁ ଜୀବନ ପ୍ରତି ଯେପରି ବିପଦ ସୃଷ୍ଟି ନ କରିବ, ସେଥିପାଇଁ ଆମେ ନିଜେ ସାବଧାନ ରହିବା ଜରୁରୀ । ବର୍ତ୍ତମାନ ପରିସ୍ଥିତିରେ ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ । ଆମେ ନିଜେ ହିଁ କେବଳ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିପାରିବା । ମୁଁ ପୁଣି ଥରେ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଜୁନ୍ ମାସ ଆମ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଆପଣ ଘରେ ରୁହନ୍ତୁ କରୋନାଠାରୁ ଦୂରେଇ ରୁହନ୍ତୁ। ସରକାରଙ୍କ ଗାଇଡଲାଇନକୁ ଭଲ ଭାବରେ ପାଳନ କରନ୍ତୁ।