କରୋନା ମୁକାବିଲା ନେଇ ସରପଞ୍ଚଙ୍କ ଶପଥ ପାଠ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ସହ ଲଢେଇ କରୁଛି ସାରା ରାଜ୍ୟ । ଆଉ ଏ ନେଇ ଆଜି ରାଜ୍ୟର ସମସ୍ତ ସଂରପଚଙ୍କ ସହ ଭିଡିଓ କନଫରେନ୍ସିରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । କରୋନା ନେଇ ସେ ସରପଂଚଙ୍କୁ ମନ୍ତ୍ର ଦେଇଛନ୍ତି। ଗାଁରେ ବାହାରୁ ଆସୁଥିବା ଲୋକଙ୍କୁ ସଂଗରୋଧରେ ରଖିବାକୁ ଶପଥ ନେଇ ସରପଂଚ ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରିବେ । କରୋନାକୁ ରୋକିବା ପାଇଁ ସରକାରଙ୍କ ସବୁ ପଦକ୍ଷେପକୁ କଡାକଡି ଭାବେ ପାଳନ କରିବେ । କରୋନା ରୋକିବା ପାଇଁ ଦିଆଯାଇଥିବା ଦାୟିତ୍ୱ ଓ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବାକୁ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ମାନେ ଶପଥ ନେଇଛନ୍ତି । କରୋନା ବିରୁଦ୍ଧରେ ସାରା ବିଶ୍ୱବ୍ୟାପୀ ଜାରି ରହିଥିବା ଲଢେଇରେ ଓଡିଶା ବି ବାଦ୍ ପଡିନି । ରାଜ୍ୟରେ କରୋନାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଯାଇଛି । ରାଜ୍ୟବ୍ୟାପୀ ଯେଭଳି କରୋନାର ପ୍ରକୋପ ଥମିବାର ନା ଧରୁନି । ଇତିମଧ୍ୟରେ କରୋନା ମୁକାବିଲା ରାଜ୍ୟର ସମସ୍ତ ସରପଂଚଙ୍କୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୃଣମୂଳ ସ୍ତରରେ ଯେଭଳି କରୋନାର ଗତିରୋଧ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେଇ ରାଜ୍ୟର ସମସ୍ତ ସରପଂଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେଣୁ କରୋନା ଯୁଦ୍ଧରେ କିଭଳି ନିଜକୁ ସଜାଗ ରଖିବେ ସେନେଇ ଆଜି ସବୁ ସରପଂଚମାନଙ୍କୁ ମନ୍ତ୍ର ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଶପଥପାଠରେ କୁହାଯାଇଛି ଯେ, ‘ମୋ ପଂଚାୟତରେ କରୋନାକୁ ରୋକିବା ପାଇଁ ମୋତେ ଦିଆଯାଇଥିବା ଦାୟିତ୍ୱ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିଛି । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକମାନଙ୍କୁ କ୍ୱାରେଂଟାଇନରେ ରଖିବି । ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରିବି ।କରୋନାକୁ ରୋକିବା ପାଇଁ ସରକାରଙ୍କର ସବୁ ପଦକ୍ଷେପକୁ ମୋ ପଂଚାୟତରେ ଭାଇଭଉଣୀମାନଙ୍କ ମଙ୍ଗଳ ପାଇଁ କଡାକଡି ଭାବରେ ପାଳନ କରିବି । ମୋ ପଂଚାୟତରେ କରୋନାକୁ ପଶିବାକୁ ଦେବି ନାହିଁ ବୋଲି ଅଞ୍ଚଳର ସମସ୍ତ ସରପଞ୍ଚ ଶପଥ ନେଇଥିଲେ l