କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ

କେନ୍ଦ୍ରାପଡା : କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅତ୍ୟାବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାର ମୋଟ ୧୦ଟି ଆବାସିକ ଛାତ୍ରାବାସରେ ରହୁଥିବା ୧୨୭୭ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରେ ପହଁଚାଇ ଦିଆଯିବା ସହ ଛାତ୍ରାବାସ ଗୁଡିକୁ ଖାଲି କରିଦିଆଯାଇଛି । ଜିଲ୍ଲାର ୨୪୯ଟି ଗ୍ରାମପଂଚାୟତରେ ଅସ୍ଥାଇ ସଙ୍ଗରୋଧ ଶିବିର ଖୋଲାଯାଇଛି । ପ୍ରତି ପଂଚାୟତରେ ୨୦ଜଣ କରି ଜିଲ୍ଲାରେ ମୋଟ ୪୯୮୦ଜଣଙ୍କ ପାଇଁ ସଙ୍ଗରୋଧ ଶିବିରରେ ରହିବାର ବ୍ୟବସ୍ଥା କରାଯାଇଛି । କରୋନା ରୋଗୀଙ୍କ ସ୍ୱାସ୍ଥ୍ୟସେବା ପାଇଁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ସାନ୍ଧ୍ୟ ମହାବିଦ୍ୟାଳୟରେ ୫ଶହଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ ତରାଣ୍ଡୋସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଏକଶହଟି, ଛତାସ୍ଥିତ ସରକାରୀ ପଲିଟେକନିକ ସ୍କୁଲରେ ୨ଶହଟି ଓ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନା ସନ୍ନିକଟରେ ଥିବା ସଂଖ୍ୟାଲଘୁ ଛାତ୍ରାବାସରେ ୧୫୦ଟି ଶଯ୍ୟା ପ୍ରସ୍ତୁତ ରଖାଯାଇଛି । ଜାତୀୟ ଜିଲ୍ଲାର ଏକଲକ୍ଷ ୮୫ହଜାର ୯୩୧ଜଣ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀମାନଙ୍କ ମଧ୍ୟରୁ ୬୪ହଜାର ୭୨୧ଜଣଙ୍କୁ ଏକକାଳିନ ୪ମାସର ଭତ୍ତା ବାବଦକୁ ୧୩କୋଟି ୮୭ଲକ୍ଷ ୬୩ହଜାର ୫ଶହ ଟଙ୍କା ବଂଟନ କରାଯାଇଛି । ଜିଲ୍ଲାର ମୋଟ ୨ଲକ୍ଷ ୯୭ହଜାର ୭୫୭ରାସନକାର୍ଡରେଥିବା ୧୧ଲକ୍ଷ ୫୯ହଜାର ୯୩୩ଜଣ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ମଧ୍ୟରୁ ୨୭ହଜାର ୨୩୧କାର୍ଡର ୧ଲକ୍ଷ ୮ହଜାର ୯୨୪ଜଣଙ୍କୁ ୮ହଜାର ୫୬୦କ୍ୱିଂଟାଲ ଚାଉଳ ତିନିମାସ ପାଇଁ ବଂଟନ କରାଯାଇଛି । ବିଦେଶରୁ ଆସିଥିବା ଜିଲ୍ଲାର ୫୩୯ଜଣ ପଞ୍ଜିକୃତ ହୋଇଥିବାବେଳେ ରାଜ୍ୟବାହାରୁ ଆସିଥିବା ୬୭୯୧ଜଣଙ୍କୁ ମଧ୍ୟ ପଞ୍ଜିକୃତ କରାଯାଇଛି । ତାଲାବନ୍ଦ ଆଇନ ଉଲଙ୍ଘନ କରିଥିବାରୁ ୨୪ଟି ମାମଲା ୪୪ଜଣ ଅଭିଯୁକ୍ତଙ୍କ ନାମରେ ରୁଜୁ କରାଯାଇଛି ଓ ୨୭ଟି ଗାଡି ଜବତ କରାଯାଇଛି । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜିଲ୍ଲା ରେଡକ୍ରସକୁ ୨କୋଟି ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସମସ୍ତ ପଦକ୍ଷେପକୁ କଡାକଡି ଭାବେ ପାଳନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେବା ସହିତ କରୋନା ମୁକାବିଲା ପାଇଁ ସଜାଗ ଦୃଷ୍ଟି ରଖିଛନ୍ତି । କରୋନା ମୁକାବିଲାରେ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି । ନିଜ ନିଜ ଘରେ ରହି ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ଜିଲ୍ଲାପାଳ ଜିଲ୍ଲାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ