କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜିସୁଦ୍ଧା ଜିଲ୍ଲାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧ଲକ୍ଷ ୪୨ହଜାର ୯୬୧ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନର ଶୁଖିଲା ଖାଦ୍ୟ କୁପନ ବଂଟନ କରାଯାଇଛି । ଜିଲ୍ଲାର ସମସ୍ତ ୨୪୯ଟି ଗ୍ରାମପଂଚାୟତରେ ୨୮୩ଟି ଅସ୍ଥାଇ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୧୨ହଜାର ୪୬୬ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ସେହିପରି କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଚଂଳରେ ୧୩ଟି ଅସ୍ଥାଇ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୨୮୭ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । କରୋନା ରୋଗୀମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୩ଶହଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୬୦ଟି,ଛତାସ୍ଥିତ ସରକାରୀ ପଲିଟେକନିକରେ ୨୬୦ଟି,ପଟ୍ଟାମୁଣ୍ଡାଇ ଓ.ବି.ସି. ଛାତ୍ରାବାସରେ ୧୫୦ଟି ଓ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ୧୩୦ଟି କୋଭିଡ ଶଯ୍ୟା ପ୍ରସ୍ତୁତ କରାଯାଇଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଆଜି ସୁଦ୍ଧା ଜିଲ୍ଲାର ୮୨ଲକ୍ଷ ୨ହଜାର ୩୫୦ ହିତାଧିକାରୀଙ୍କୁ ଏକକାଳିନ ୩ମାସର ଚାଉଳ ବଂଟନ କରାଯାଇଛି । ବିଦେଶରୁ ଆସିଥିବା ଜିଲ୍ଲାର ୫୮୭ଜଣ ପଞ୍ଜିକୃତ ହୋଇଥିବା ବେଳେ ରାଜ୍ୟ ବାହାରୁ ଆସିଥିବା ୮ହଜାର ୮୮୦ଜଣ ଙ୍କୁ ଆଜି ସୁଦ୍ଧା ପଞ୍ଜିକୃତ କରାଯାଇଛି । ତାଲାବନ୍ଦ ଆଇନ ଉଲ୍ଲଙ୍ଘନ କରିଥିବାରୁ ୧୧୫ଜଣ ଅଭିଯୁକ୍ତଙ୍କ ନାମରେ ୬୯ଟି ମାମଲା ରୁଜୁ କରାଯାଇ ୫୮ଟି ବାଇକ, ୯ଟି ଚାରି ଚକିଆ ଓ ୨ଟି ଅଟୋରିକ୍ସା ଜବତ କରାଯିବା ସହ ୪୭ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଚଂଳର ୩୬୫ଜଣ ପଞ୍ଜିକୃତ ରାସ୍ତାକଡ ଦୋକାନୀଙ୍କୁ ୩ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାର ୨୦ହଜାର ୨୦୩ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।