କରୋନା ଯୋଗୁଁ ଦେଶରେ ବଢ଼ିଛି ବେକାରୀ ସମସ୍ୟା
ନୂଆଦିଲ୍ଲୀ: କରୋନା ଯୋଗୁଁ ଦେଶର ବେକାରୀ ହାର ବଢ଼ିଛି । ଗତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ମଧ୍ୟରେ ସହରାଞ୍ଚଳରେ ବେକାରୀ ହାର ୧୦.୩ ପ୍ରତିଶତ ଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ଉକ୍ତ ତ୍ରୟମାସରେ ବେକାରୀ ହାର ୭.୮ ପ୍ରତିଶତ ରହିଥିଲା। କରୋନା ମହାମାରୀ ପାଇଁ ଅନେକ ଲୋକ ସେମାନଙ୍କ ଚାକିରି ହରାଇଛନ୍ତି। ତେଣୁ ସହରାଞ୍ଚଳରେ ବେକାରୀ ହାର ଅଧିକ ରହିଥିବା କେନ୍ଦ୍ର ସରକାରଙ୍କ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ପିଏଲଏଫଏସ ରିପୋର୍ଟରୁ ଜଣାପଡ଼ିଛି। ଭାରତରେ ମହାମାରୀ ଏବଂ ଲକଡାଉନ୍ ଆରମ୍ଭ ହେବାପରେ ଏପ୍ରିଲ-ଜୁନ୍ ମାସରେ ବେକାରୀ ହାର ୨୦.୮ ପ୍ରତିଶତରେ ରହିଥିବାବେଳେ ପରବର୍ତ୍ତୀ ତିନି ମାସ ଅର୍ଥାତ ଜୁଲାଇ-ସେପ୍ଟେମ୍ବରରେ ତାହା ୧୩.୨ ପ୍ରତିଶତକୁ ହ୍ରାସ ପାଇଥିଲା। ଦ୍ଵିତୀୟ ଲହର ପରେ ଅର୍ଥନୀତିକୁ ଖୋଲାଯିବା ଦ୍ଵାରା ରୋଜଗାର ସ୍ଥିତିରେ କିଛିଟା ଉନ୍ନତି ଆସିଥିବା ରିପୋର୍ଟରୁ ଜଣାଯାଇଛି। ଗତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତଥ୍ୟକୁ ଦେଖିଲେ ମହିଳାଙ୍କ ବେକାରୀ ହାର ୧୩.୧ ପ୍ରତିଶତ ଥିବାବେଳେ ପୁରୁଷଙ୍କ ବେକାରୀ ହାର ୯.୫ ପ୍ରତିଶତ ରହିଥିଲା। ସେହିଭଳି ଯୁବ(୧୫ରୁ ୨୯ ବର୍ଷ) ବେକାରୀ ହାର ଗତବର୍ଷ ଅକ୍ଟୋବର ଡିସେମ୍ବର ଅବଧିରେ ୨୪.୯ ପ୍ରତିଶତ ଥିଲା। ରାଜ୍ୟଗୁଡ଼ିକ ମଧ୍ୟରେ ଗତବର୍ଷ ଅକ୍ଟୋବର-ଡିସେମ୍ବର ଅବଧିରେ ଜମ୍ମୁ କାଶ୍ମୀରର ସହରାଞ୍ଚଳରେ ବେକାରୀ ହାର ସର୍ବାଧିକ ୧୭.୮ ପ୍ରତିଶତ ଥିବାବେଳେ ଏହା ପଛକୁ କେରଳ ୧୬.୭ ପ୍ରତିଶତ, ଝାଡ଼ଖଣ୍ଡ ୧୬ ପ୍ରତିଶତ, ଓଡ଼ିଶା ୧୫ ପ୍ରତିଶତ ଏବଂ ଛତିଶଗଡ଼ ୧୪.୫ ପ୍ରତିଶତ ରହିଥିଲା। ଅନ୍ୟପକ୍ଷରେ ଗୁଜରାଟରେ ବେକାରୀ ହାର ସର୍ବନିମ୍ନ ଅର୍ଥାତ ୪ ପ୍ରତିଶତ ରହିଥିଲା।


